Cyclone Montha Update: କ୍ଷୀପ୍ର ଗତିରେ ମାଡି ଆସୁଛି ‘ମୋନ୍ଥା’, ସନ୍ଧ୍ୟାରୁ ବଢିବ ବର୍ଷାର ପରିମାଣ, ରାତିରେ ଲ୍ୟାଣ୍ଡଫଲ୍
ଭୁବନେଶ୍ବର: ମାଡ଼ି ଆସୁଛି ଭୀଷଣ ବାତ୍ୟା ‘ମୋନ୍ଥା’ । ଗତ ୬ଘଣ୍ଟା ଧରି ସମୁଦ୍ରରେ ଏହା ଘଣ୍ଟା ପ୍ରତି ୧୭କି.ମି. ବେଗରେ ଆନ୍ଧ୍ରପ୍ରଦେଶ ଉପକୂଳ ଆଡ଼କୁ ଗତି କରୁଛି । ମଙ୍ଗଳବାର ରାତି ପ୍ରାୟ ୧୦ଟା ସମୟରେ ଆନ୍ଧ୍ର ଉପକୂଳ ଛୁଇଁବ । ଭୀଷଣ ବାତ୍ୟା ରୂପରେ କାକିନାଡ଼ାର ସାମାନ୍ୟ ଉତ୍ତରରେ କୋନାପାପାପେଟା ନିକଟରେ ଲ୍ୟାଣ୍ଡଫଲ୍ କରିବା ନେଇ ସୂଚନା ରହିଛି ।
‘ମୋନ୍ଥା’ ଆନ୍ଧ୍ରପ୍ରଦେଶ ଉପକୂଳ ଛୁଇଁବା ପରେ ଓଡ଼ିଶା ଆଡ଼କୁ ମୁହାଁଇବ। ମାଲକାନଗିରି, କୋରାପୁଟ, ଗଜପତି ଏବଂ ରାୟଗଡ଼ା ଜିଲ୍ଲା ଦେଇ ଦକ୍ଷିଣ ଛତିଶଗଡ଼ ଆଡ଼କୁ ଗତି କରିବ । ଓଡ଼ିଶାରେ ବାତ୍ୟାର ସର୍ବାଧିକ ପ୍ରଭାବ ପ୍ରାୟ ୮ଟି ଜିଲ୍ଲାରେ ପଡ଼ିବାକୁ ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସମ୍ପୃକ୍ତ ଜିଲାଗୁଡ଼ିକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି ।
କନ୍ଧମାଳ, ନବରଙ୍ଗପୁର, କଳାହାଣ୍ଡି, ଖୋର୍ଦ୍ଧା, ନୟାଗଡ଼, ପୁରୀ, ବୌଦ୍ଧ, ସୋନପୁର, ବଲାଙ୍ଗୀର, ନୂଆପଡ଼ା, ବରଗଡ଼ରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ । ଗଞ୍ଜାମ, କନ୍ଧମାଳ, ବୌଦ୍ଧ, ବଲାଙ୍ଗୀର, ନୂଆପଡ଼ାରେ ୫୦-୬୦ କିମି ପବନ ଓ ପବନ ଧକ୍କା ୭୦ କିମି ଛୁଇଁପାରେ । ଜଗତସିଂହପୁର, କଟକ, କେନ୍ଦ୍ରାପଡ଼ା, ଯାଜପୁର, ଭଦ୍ରକ, ବାଲେଶ୍ୱର, ମୟୂରଭଞ୍ଜ, କେନ୍ଦୁଛର, ଢେଙ୍କାନାଳ, ଅନୁଗୁଳ, ଦେବଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବ । କିଛି ଜିଲ୍ଲାରେ ୪୦-୫୦ କିମି ପବନ ହୋଇପାରେ ।
ଏବେ ସମୁଦ୍ର ଭିତରେ ‘ମୋନ୍ଥା’ ଥିବା ସତ୍ବେ ବି ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ ଏବଂ ଓଡ଼ିଶାର ଅନେକ ସ୍ଥାନରେ ପ୍ରଭାବ ଦେଖାଗଲାଣି । ଭୁବନେଶ୍ବର, କଟକ, ପାରାଦ୍ବୀପ, ଗୋପାଳପୁର, କୋରାପୁଟ, ଗଜପତି, ମାଲକାନଗିରି, ରାୟଗଡ଼ା ଆଦି ଜିଲ୍ଲା ଗୁଡ଼ିକରେ ପବନ ସାଙ୍ଗକୁ ବର୍ଷାର ପ୍ରକୋପ କିଛିମାତ୍ରାରେ ଆରମ୍ଭ ହୋଇଛି ।
ପାଣିପାଗ ବିଭାଗର ସୂଚନା ମୁତାବକ, ଓଡ଼ିଶାରେ ମଙ୍ଗଳବାର ଓ ବୁଧବାର ବାତ୍ୟା ପ୍ରଭାବ ପଡ଼ିବ । ୬୦-୭୦ କିମି ପବନ ହେବ ଦକ୍ଷିଣ ଓଡ଼ିଶାରେ । ଦୁଇଦିନ ପ୍ରବଳରୁ ଅତି ପ୍ରବଳ ବର୍ଷା କରାଇବ ମୋନ୍ଥା ।
ବୁଧବାର ଅଧିକାଂଶ ସ୍ଥାନରେ ବର୍ଷା ସହ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ବିଶେଷ କରି ରାୟଗଡ଼ା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡିକୁ ଅତି ପ୍ରବଳ ବର୍ଷା ଆଶଙ୍କା ଅଛି । ପବନ ବେଗ ୬୦-୭୦ ରହିପାରେ । ଉପକୂଳ ଅଞ୍ଚଳରେ ବି ପ୍ରବଳ ବର୍ଷା ସହ ୪୦-୫୦ କିମି ପବନ ହୋଇପାରେ । ଗୁରୁବାରଠାରୁ ପ୍ରଭାବ କମିବ । ତଥାପି ଅନେକ ସ୍ଥାନରେ ବର୍ଷା ଓ ପଶ୍ଚିମ ଓ ଆଭ୍ୟନ୍ତରୀଣ ଅଞ୍ଚଳର କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇପାରେ ।
Comments are closed.