Latest Odisha News

BREAKING NEWS

ମହିଳା ବିଶ୍ୱକପ କ୍ରିକେଟ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପଲା ଭାରୀ

ନଭି ମୁମ୍ବାଇ: ମହିଳା ବିଶ୍ୱକପ କ୍ରିକେଟ ୨୦୨୫ର ଫାଇନାଲ ମ୍ୟାଚ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ । ଅଷ୍ଟ୍ରେଲିଆକୁ ହରାଇ ଭାରତ ଓ ଇଂଲଣ୍ଡକୁ ପରାସ୍ତ କରି ଦକ୍ଷିଣ ଆଫ୍ରିକା ଫାଇନାଲରେ ପ୍ରବେଶ କରିଛନ୍ତି । ଘରୋଇ ପରିବେଶ ଏବଂ ଫର୍ମ ବିଚାରକୁ ନେଲେ ଭାରତ ପଲା ଭାରୀ ରହିଛି । ଦିନିକିଆ କ୍ରିକେଟରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ପ୍ରଦର୍ଶନ ଓଭରାଲ ଭଲ ରହିଛି । ଉଭୟ ଟିମ ମଧ୍ୟରେ ୩୪ ମ୍ୟାଚ ଖେଳାଯାଇଛି । ଭାରତ ୨୦ ଓ ଦକ୍ଷିଣ ଆଫ୍ରିକା ୧୩ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଗୋଟିଏ ମ୍ୟାଚର ଫଳାଫଳ ବାହାରି ପାରି ନାହିଁ । ନିକଟରେ ଖେଳାଯାଇଥିବା ୫ଟି ମ୍ୟାଚରେ ଭାରତ ୪ଟି ମୁକାବିଲା ଜିତି ଆଗରେ ରହିଛି ।

ବିଶ୍ୱକପର ଗ୍ରୁପ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ବହୁତ କଷ୍ଟରେ ଭାରତ ବିପକ୍ଷରେ ବିଜୟ ହାସଲ କରିଥିଲା । ବିଶ୍ୱକପରେ ଅବଶ୍ୟ ଉଭୟ ଟିମ ସମାନ ସମାନ ସ୍ଥିତିରେ ରହିଛି । ଦୁଇ ଦେଶ ମଧ୍ୟରେ ୬ଟି ମ୍ୟାଚ ଖେଳାଯାଛି । ଭାରତ ୩ ଓ ଦକ୍ଷିଣ ଆଫ୍ରିକା ୩ ମ୍ୟାଚରେ ବିଜୟୀ ହୋଇଛନ୍ତି । ଚଳିତ ସଂସ୍କରଣର ଗ୍ରୁପ ପର୍ଯ୍ୟାୟରେ ଦକ୍ଷିଣ ଆଫ୍ରିକା ୭ ମ୍ୟାଚରୁ ୫ରେ ବିଜୟ ହାସଲ କରି ସେମିକୁ ଉନ୍ନୀତ ହୋଇଥିଲା । ଅପରପକ୍ଷରେ ଭାରତ ୩ଟି ମ୍ୟାଚ ଜିତି ସେମିରେ ପ୍ରବେଶ କରିଥିଲା । ସେମିଫାଇନାଲରେ ଭାରତ ଶକ୍ତିଶାଳୀ ଅଷ୍ଟ୍ରେଲିଆ ବିପକ୍ଷରେ ୩୩୯ ରନର ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା । ଏହା ଦଳର ମନୋବଳ ବଢ଼ାଇବା ସହାୟ ହେବ ବୋଲି ଆଶା କରାଯାଉଛି ।

Comments are closed.