Latest Odisha News

BREAKING NEWS

ମହିଳା କ୍ରିକେଟର ସଫଳତା ପଛରେ ରହିଛି ବିସିସିଆଇର ଗୁରୁତ୍ୱପୂର୍ଣ୍ଣ ଯୋଗଦାନ

ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ଭାରତୀୟ ମହିଳା କ୍ରିକେଟ ଟିମ ବିଶ୍ୱ ଚାମ୍ପିୟନ ହୋଇଛି । ଯେଉଁ ମହିଳା ଟିମର ମ୍ୟାଚ ଦେଖିବା ପାଇଁ ଷ୍ଟାଡିୟମ ଫାଙ୍କା ରହୁଥିଲା ଏବେ ତାହା ପୂର୍ଣ୍ଣ ହୋଇଥିଲା । ପଡିଆରେ ସମର୍ଥକଙ୍କ ଉପସ୍ଥିତି ଖେଳାଳିଙ୍କ ମନୋବଳ ବଢ଼ାଇଥାଏ ଓ ଉତ୍ସାହିତ କରିଥାଏ । ଏହି ସବୁ ପଛରେ ବିସିସିଆଇର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ ଥିଲା । ୨୦୦୬ ପୂର୍ବରୁ ଭାରତୀୟ ମହିଳା ଟିମର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିଲା । ଭାରତୀୟ ମହିଳା କ୍ରିକେଟ ସଂଘ ଏହାକୁ ପରିଚାଳନା କରୁଥିଲେ । ସେ ସମୟରେ ମହିଳା ଟିମକୁ କମ ସୁବିଧା ଓ ସୁଯୋଗ ମିଳୁଥିଲା । ଏହା ପରେ ବିସିସିଆଇ ମହିଳା କ୍ରିକେଟକୁ ହାତମୁଠାକୁ ନେଇଥିଲା । ସେବେଠାରୁ ପରିବର୍ତନର ଧାରା ଆରମ୍ଭ ହୋଇଥିଲା । ୨୦୦୫ ମହିଳା ବିଶ୍ୱକପ ସମୟରେ ପ୍ରତ୍ୟେକ ଖେଳାଳିଙ୍କୁ ୮ ହଜାର ଟଙ୍କା ମିଳୁଥିଲା ବୋଲି ମିଥାଲୀ ରାଜ କହିଛନ୍ତି । ସେ ସମୟରେ କୌଣସି ବାର୍ଷିକ ଚୁକ୍ତି ମଧ୍ୟ ନ ଥିଲା । ୨୦୨୨ରେ ବିସିସିଆଇ ଏକ ଐତିହାସିକ ନିଷ୍ପତି ନେଇଥିଲା । ପୁରୁଷ କ୍ରିକେଟରଙ୍କ ପରି ମହିଳାଙ୍କୁ ମଧ୍ୟ ସମାନ ମ୍ୟାଚ ଫି ପ୍ରଦାନ କରାଗଲା । ଖେଳାଳିମାନେ ଉତ୍ସାହିତ ହେଲେ ।

ପରେ ବିସିସିଆଇ ବେଙ୍ଗାଲୁରରେ ଥିବା ଏନସିଏରେ ମହିଳା ଖେଳାଳିଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲା । ଏଠାରେ ବିଶ୍ୱସ୍ତରର ବିଭିନ୍ନ ପିଚ ରହିଛି । ଯାହା ଖେଳାଳିମାନଙ୍କ ଦକ୍ଷତାକୁ ବିକଶିତ କରିଥିଲା । ଫ୍ଲଡ ଲାଇଟ୍ସରେ ଖେଳିବାଠାରୁ ଆମ୍ଭ କରି ଜିମ, ଭିଡିଓ ବିଶ୍ଲେଷଣ, ଡିଡିସିଏ ଓ ଚେନ୍ନାଇରେ ସ୍ୱତନ୍ତ୍ର ଏକାଡେମୀ ସ୍ଥାପନ କରାଗଲା । ମହିଳା କ୍ରିକେଟର ଆଗକୁ ବଢ଼ିବାକୁ ଲାଗିଲେ । ଆଇପିଏଲ ସ୍ତରର ଲିଗ କ୍ରିକେଟ ମଧ୍ୟ ସେମାନଙ୍କୁ ପ୍ରତିଯୋଗିତାମୂଳକ କ୍ରିକେଟ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ କରାଇଲା । ପୁରୁଷଙ୍କ ପରି ପ୍ରଫେଶନାଲ ଖେଳିବା ସାଜିବା ଯୋଗୁ ସେମାନଙ୍କ ନିକଟରେ ଜିତିବା ଜୁନୁନ ରହିଥିଲା । ଆଉ ଏବେ ଏହି ସଫଳତା ମହିଳା କ୍ରିକେଟକୁ ଆହୁରି ଆଗକୁ ନେବ ବୋଲି ଆଶା କରାଯାଉଛି ।

Comments are closed.