କଟକ: ଐତିହାସିକ ବାଲିଯାତ୍ରାରେ ଆୟୋଜନ ହୋଇଥିବା କଟକ ରୂପା ତାରକସି ପାଭିଲିଅନ୍ ଉଦଘାଟିତ ହୋଇଯାଇଛି । ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର ଶାସନ ସଚିବ ତଥା କେନ୍ଦ୍ରାଞ୍ଚଳ ରାଜସ୍ଵ ଆୟୁକ୍ତ ଶ୍ରୀମତୀ ଗୁହା ପୁନମ ତାପସ କୁମାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବୁଧବାର ଦିନ ଏହାର ଉଦ୍ଘାଟନ କରିଛନ୍ତି । ଏହି ପାରମ୍ପରିକ ସୂକ୍ଷ୍ମ କାରୁକାର୍ଯ୍ୟ ବିଷୟରେ ଯୁବପିଢ଼ିଙ୍କୁ ଆକୃଷ୍ଟ ଓ ଅବଗତ କରାଇବା ପାଇଁ ଲାଇଭ ଡେମନଷ୍ଟ୍ରସନ ବ୍ୟବସ୍ଥା କରାଯାଇଛି । ରୂପା ତାରକସି ପାଭିଲିୟନରେ ମୋଟ ୧୦ ଟି ଷ୍ଟଲ ଖୋଲିଛି ।
ଏହା ନଭେମ୍ବର ୧୨ ପର୍ଯ୍ୟନ୍ତ ଚାଲୁ ରହିବ । ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ହସ୍ତଶିଳ୍ପ ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ପ୍ରତାପ ଚନ୍ଦ୍ର ହୋତା, ହସ୍ତଶିଳ୍ପ ଉପନିର୍ଦ୍ଦେଶକ ମାନଗୋବିନ୍ଦ ଜେନା, ଉପନିର୍ଦ୍ଦେଶକ ସୌମ୍ୟା ସୁରଭିତା ସିଂ ପ୍ରମୁଖ ଉପସ୍ଥିତ ଥିଲେ ।
ସେହିପରି ଓଡ଼ିଶାର ସମୃଦ୍ଧ ହସ୍ତତନ୍ତ ଓଡ଼ିଆ ଅସ୍ମିତାର ବାର୍ତ୍ତାବହ । ଲୋକଙ୍କୁ ସୁଲଭ ମୂଲ୍ୟରେ ଏହି ବସ୍ତ୍ର ଯୋଗାଇ ଦେବା ଲକ୍ଷ୍ୟରେ ବାଲିଯାତ୍ରାରେ ବୟନିକା ଦ୍ୱାରା ସ୍ୱତନ୍ତ୍ର ହସ୍ତତନ୍ତ ମେଳାର ଆୟୋଜନ କରାଯାଇଛି ବୋଲି ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗର କମିଶନର ତଥା ଶାସନ ସଚିବ ଗୁହା ପୁନମ ତାପସ କୁମାର କହିଛନ୍ତି । ଐତିହାସିକ କଟକ ବାଲିଯାତ୍ରାରେ ଆୟୋଜିତ ସ୍ୱତନ୍ତ୍ର ହସ୍ତତନ୍ତ ମେଳା ଗତ ବୁଧବାର ଦିନ ଉଦଘାଟନ କରିବା ଅବସରରେ ସେ ଏହା କହିଛନ୍ତି ।
ବୟନିକା, ସମ୍ବଲପୁରୀ ବସ୍ତ୍ରାଳୟ, ରେଶମ ଓଡ଼ିଶା, ଉତ୍କଳିକା ପକ୍ଷରୁ ସ୍ୱତନ୍ତ୍ର ଷ୍ଟଲ ଖୋଲାଯାଇଛି । ପ୍ରତ୍ୟେକ ଷ୍ଟଲରେ ୧୦+୨୦% ରିହାତି ବ୍ୟବସ୍ଥା ରହିଛି । ଏହା ସହ ଓଡ଼ିଶାର ୧୫ ଟି ଜୋନରୁ ୬୦ ଗୋଟି ସମିତି ଅଂଶଗ୍ରହଣ କରି ଷ୍ଟଲ ଖୋଲିଛନ୍ତି ।
ଭାରତ ସରକାରଙ୍କ ବସ୍ତ୍ର ମନ୍ତ୍ରାଳୟ ଅଧୀନରେ ଥିବା ବୁଣାକାର ସେବା କେନ୍ଦ୍ର ପକ୍ଷରୁ ଥିମ୍ ପାଭିଲିଅନ ପ୍ରସ୍ତୁତ କରାଯାଇଛି । ଯୁବପିଢ଼ିଙ୍କୁ ଏହି ସମୃଦ୍ଧ ହସ୍ତତନ୍ତ ବିଷୟରେ ଅବଗତ କରାଇବା ପାଇଁ ଥିମ ପାଭିଲିଅନରେ ଲାଇଭ ଡେମନଷ୍ଟ୍ରସନ ବ୍ୟବସ୍ଥା କରାଯାଇଛି ।
Comments are closed.