ପୁରୀ: ପୁରୀ ଜିଲ୍ଲାର କୋଣାର୍କ ସୂର୍ଯ୍ୟ ମନ୍ଦିରକୁ ନେଇ ଭାରତୀୟ ପ୍ରତ୍ନତତ୍ତ୍ଵ କର୍ତ୍ତୃପକ୍ଷ (ଏଏସଆଇ) ପକ୍ଷରୁ ନୂଆ କଟକଣା ଜାରି ହୋଇଛି । ବିଶ୍ଵ ଐତିହ୍ୟ ସୂର୍ଯ୍ୟ ମନ୍ଦିର ନାଟମଣ୍ଡପରେ ଏଣିକି ଆଉ ପର୍ଯ୍ୟଟକ ଚଢି ପାରିବେ ନାହିଁ । ପର୍ଯ୍ୟଟକମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛି ଭାରତୀୟ ପ୍ରତ୍ନତତ୍ତ୍ଵ ବିଭାଗ ।
ସୂଚନା ମୁତାବକ, କୋଣାର୍କ ସୂର୍ଯ୍ୟ ମନ୍ଦିର ଭ୍ରମଣରେ ଆସୁଥିବା ଦେଶବିଦେଶର ପର୍ଯ୍ୟଟକମାନେ ପ୍ରଥମେ ନାଟମଣ୍ଡପ ଉପରେ ଚଢି କୀର୍ତ୍ତିରାଜି ଓ ମୁଖ୍ୟ ମନ୍ଦିରର ଦୃଶ୍ୟକୁ ଦେଖିଥାନ୍ତି । ଅନେକ ପର୍ଯ୍ୟଟକ ଫୋଟ ମଧ୍ୟ ଉଠାଇଥାନ୍ତି । ଯେଉଁ କାରଣରୁ ଅନେକ ସମୟରେ ଅସାବଧାନତାବଶତଃ ନାଟମଣ୍ଡପ ସିଡ଼ିରୁ ପଡ଼ି ଆହତ ହେଉଥିବା ଘଟଣା ନଜରକୁ ଆସିଛି ।
ତେଣୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ନଜରରେ ରଖି ଶୁକ୍ରବାର ଠାରୁ ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ନାଟମଣ୍ଡପ ଚଢ଼ିବା ଉପରେ କଟକଣା ଜାରି କରାଯାଇଛି । ପର୍ଯ୍ୟଟକମାନେ ତଳେ ରହି ନାଟମଣ୍ଡପର ଚତୁଃପାର୍ଶ୍ବ ବୁଲି ଦେଖିପାରିବେ । ଏନେଇ ସୂଚନା ଦେଇଛନ୍ତି ଏଏସଆଇର ପୁରୀ ସର୍କଲ୍ ଅଧୀକ୍ଷକ ତିବି ଗଡ଼ନାୟକ ।
Comments are closed.