ନୂଆଦିଲ୍ଲୀ: ବିହାର ନିର୍ବାଚନରେ ପ୍ରଶାନ୍ତ କିଶୋରଙ୍କ ଭୂମିକାକୁ ନେଇ ଆଲୋଚନା ଜୋର୍ ଧରୁଛି। ଏନେଇ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ମଧ୍ୟ ବିଶ୍ଳେଷଣ ହେଉଛି। ଏହିକ୍ରମରେ ରବିବାର ସନ୍ଧ୍ୟାରେ NDTVରେ ବିଭିନ୍ନ ନିର୍ବାଚନ ବିଶେଷଜ୍ଞ ଓ ନେତାଙ୍କ ସହ ବିଶେଷ ଆଲୋଚନା ହୋଇଥିଲା। ଏଥିରେ ପ୍ରଶାନ୍ତ କିଶୋରଙ୍କ ପ୍ରଭାବ ଉପରେ ମଧ୍ୟ ବହୁ ଆଲୋଚନା ହୋଇଥିଲା। ଏହି ବିଶେଷ କାର୍ଯ୍ୟକ୍ରମରେ ସି-ଭୋଟର୍ର ପ୍ରତିଷ୍ଠାତା ଯଶବନ୍ତ ଦେଶମୁଖ, ବରିଷ୍ଠ ସାମ୍ବାଦିକ ପ୍ରଭୁ ଚାୱାଲା, ସତୀଶ କେ ସିଂହ, ବିଜୟ ତ୍ରିବେଦୀ, ନିର୍ବାଚନ ବିଶେଷଜ୍ଞ ଅମିତାଭ ତିୱାରୀଙ୍କ। ସମେତ ଅନେକ ବିଶେଷଜ୍ଞ ଉପସ୍ଥିତ ଥିଲେ। ଏହି ବିଶେଷ ଆଲୋଚନାରେ ଏକ ରୋଚକ ତଥ୍ୟ ସେହି ରାଜନୈତିକ ଦଳଗୁଡ଼ିକ ବିଷୟରେ ସାମ୍ନାକୁ ଆସିଥିଲା, ଯେଉଁମାନେ ନିଜର ଡେବ୍ୟୁରେ ହିଁ ବଡ଼ ଧମାକା କରିଥିଲେ।
୧୯୮୩: ଆନ୍ଧ୍ରପ୍ରଦେଶରେ ଏନ୍ଟି ରାମାରାଓଙ୍କ ବଡ଼ ଧମାକା
୧୯୮୩ରେ ଆନ୍ଧ୍ରପ୍ରଦେଶରେ ହୋଇଥିବା ବିଧାନସଭା ନିର୍ବାଚନରେ ଅଭିନେତାରୁ ରାଜନେତା ହୋଇଥିବା ଏନ୍ଟି ରାମାରାଓଙ୍କ ଦଳ ଟିଡିପି ବଡ଼ ଧମାକା କରିଥିଲା। ଟିଡିପିର ଏହା ପ୍ରଥମ ନିର୍ବାଚନ ଥିଲା ଏବଂ ପ୍ରଥମ ନିର୍ବାଚନରେ ହିଁ ଟିଡିପି ୪୬ ପ୍ରତିଶତ ଭୋଟ୍ ସହ ୨୯୪ରୁ ୨୦୨ ଆସନରେ ବିଜୟ ହାସଲ କରିଥିଲା। ଏନ୍ଟି ରାମାରାଓଙ୍କ ଦଳକୁ ମିଳିଥିବା ଏହି ବଡ଼ ବିଜୟ ସହ ଆନ୍ଧ୍ରରୁ କଂଗ୍ରେସ ସତ୍ତାରୁ ଦୂର ହୋଇଯାଇଥିଲା।
୧୯୮୫: ଆସାମରେ ପ୍ରଫୁଲ୍ଲ ମହନ୍ତାଙ୍କ ଧମାକା
୧୯୮୩ରେ ଆନ୍ଧ୍ରରେ ଯେପରି ଧମାକା ହୋଇଥିଲା, ସେହିପରି ଦୁଇ ବର୍ଷ ପରେ ଆସାମରେ ଦେଖିବାକୁ ମିଳିଥିଲା। ୧୯୮୫ରେ ଆସାମରେ ହୋଇଥିବା ବିଧାନସଭା ନିର୍ବାଚନରେ ପ୍ରଫୁଲ୍ଲ ମହନ୍ତାଙ୍କ ଦଳ ଆସାମ ଗଣ ପରିଷଦ ୩୫ ପ୍ରତିଶତ ଭୋଟ୍ ସହ ମୋଟ ୧୨୬ରୁ ୬୪ ଆସନରେ ବିଜୟ ହାସଲ କରିଥିଲା। ଏହି ବଡ଼ ବିଜୟ ସହ ପ୍ରଥମ ଥର ପାଇଁ ଦଳ ଆସାମ ଗଣ ପରିଷଦ ରାଜ୍ୟରେ ସତ୍ତାକୁ ଆସିଥିଲା।
୨୦୧୩: ଦିଲ୍ଲୀରେ କେଜରିୱାଲଙ୍କ ଧମାକେଦାର ଡେବ୍ୟୁ
୧୯୮୫ ପରେ ବିଭିନ୍ନ ରାଜ୍ୟରେ ହୋଇଥିବା ନିର୍ବାଚନରେ ଅନେକ ନୂଆ ରାଜନୈତିକ ଦଳ ଆସିଥିଲେ ଓ ଚାଲିଯାଇଥିଲେ। ତା’ପରେ ଆସିଲା ୨୦୧୩। ଏହି ବର୍ଷ ଦିଲ୍ଲୀରେ ହୋଇଥିବା ବିଧାନସଭା ନିର୍ବାଚନରେ ଅରବିନ୍ଦ କେଜରିୱାଲଙ୍କ ନୂଆ ଦଳ ଆମ୍ ଆଦମୀ ପାର୍ଟି ୩୦ ପ୍ରତିଶତ ଭୋଟ୍ ସହ ମୋଟ ୭୦ରୁ ୨୮ ଆସନରେ ବିଜୟ ହାସଲ କରିଥିଲା। ପରେ ଦିଲ୍ଲୀର ଜନତା ଅରବିନ୍ଦ କେଜରିୱାଲଙ୍କୁ ଦୁଇ ଥର ମୁଖ୍ୟମନ୍ତ୍ରୀ କରିଥିଲେ।ଏବେ ବିହାରରେ ପ୍ରଶାନ୍ତ କିଶୋରଙ୍କ ଦଳ ଜନ ସୁରାଜ୍ ଠାରୁ ଏପରି ଧମାକାର ଆଶା ତାଙ୍କ ସମର୍ଥକମାନେ କରୁଛନ୍ତି। କିନ୍ତୁ ଏଠାରେ ଧ୍ୟାନ ଦେବାର କଥା ଏହା ଯେ, ଏହି ତିନି ଧମାକେଦାର ରାଜନୈତିକ ଡେବ୍ୟୁର ସମୟର ପରିସ୍ଥିତି ଭିନ୍ନ ଭିନ୍ନ ଥିଲା। ଆନ୍ଧ୍ରରେ ଅଭିନୟ ଛାଡ଼ି ରାଜନୀତିକୁ ଆସିଥିବା ଏନ୍ଟି ରାମାରାଓଙ୍କୁ ଲୋକେ ଜିତାଇଥିଲେ। ଆସାମରେ ଛାତ୍ର ରାଜନୀତିରୁ ରାଜନୀତିକୁ ଆସିଥିବା ପ୍ରଫୁଲ୍ଲ ମହନ୍ତା ବିଜୟ ହାସଲ କରିଥିଲେ। ଦିଲ୍ଲୀରେ ଜନ ଲୋକପାଳ ବିଲ୍ ଆନ୍ଦୋଳନରୁ ଉତ୍ପନ୍ନ ଆମ୍ ଆଦମୀ ପାର୍ଟି ବିଜୟ ହାସଲ କରିଥିଲା।
Comments are closed.