Latest Odisha News

BREAKING NEWS

କୋଲକାତା ଟ୍ରେଜେଡି: ମାମଲାରେ ବଡ଼ କାର୍ଯ୍ୟାନୁଷ୍ଠାନ, ରିମାଣ୍ଡରେ ୭ ଅଭିଯୁକ୍ତ

କୋଲକାତା: ପଶ୍ଚିମବଙ୍ଗ କୋଲକାତାର ଚୋରବାଗାନ ଦୁର୍ଗାପୂଜା ମଣ୍ଡପରେ ଘଟିଥିବା ଦଳାଚକଟା ଅନେକ ପରିବାରର ହସଖୁସି ଛଡ଼ାଇ ନେଇଛି। ଚୋରବାଗାନ ଦୁର୍ଗାପୂଜା ମଣ୍ଡପ ଦଳାଚକଟା ଘଟଣାରେ ୭ ଜଣ ଗିରଫ ହୋଇଛନ୍ତି। ଏହି ୭ ଅଭିଯୁକ୍ତଙ୍କୁ ବ୍ୟାଙ୍କଶାଲ କୋର୍ଟ ୧୦ ଦିନିଆ ପୋଲିସ ରିମାଣ୍ଡରେ ପଠାଇଛନ୍ତି। ପୋଲିସ ପକ୍ଷରୁ ୧୪ ଦିନର ରିମାଣ୍ଡ ମଗାଯାଇଥିବା ବେଳେ କୋର୍ଟ ଅଭିଯୁକ୍ତମାନଙ୍କୁ ଅକ୍ଟୋବର ୨୮ ପର୍ଯ୍ୟନ୍ତ (୧୦ ଦିନ) ପୋଲିସ ହେପାଜତକୁ ପଠାଇଛନ୍ତି।

ଏହି ୭ ଜଣଙ୍କ ମଧ୍ୟରେ ଚୋରବାଗାନ ପୂଜା କମିଟିର ସମ୍ପାଦକ ରାଜକୁମାର ସେଓଡା, ଉପସଭାପତି ଶାନ୍ତନୁ ଦୁବେ, ମଣ୍ଡପ ନିର୍ମାଣକାରୀ ବିପ୍ଳବ ମୁଖାର୍ଜୀ, ଭିଆଇପି ପାସ୍ ଓ ଭିଡ଼ ନିୟନ୍ତ୍ରଣ ଦାୟିତ୍ୱରେ ଥିବା କୌଶିକ ସାହା ଓ ପିଣ୍ଟୁ ଦେ ଏବଂ ଦୁଇଜଣ ବେସରକାରୀ ସୁରକ୍ଷା କର୍ମୀ ସାମିଲ ଅଛନ୍ତି। ଗତ ଶନିବାର (ମହାସପ୍ତମୀ) ସନ୍ଧ୍ୟାରେ ପ୍ରବଳ ବର୍ଷା ଏବଂ ଅତ୍ୟଧିକ ଭିଡ଼ ଯୋଗୁଁ ଏହି ଦଳାଚକଟା ଘଟି ୧୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ମଣ୍ଡପ ଭାଙ୍ଗିଯିବାର ଏକ ମାଇକ୍ ଘୋଷଣା ଯୋଗୁଁ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

କୋଲକାତା ପୋଲିସ ଅଭିଯୁକ୍ତମାନଙ୍କ ବିରୋଧରେ ହତ୍ୟା ସଦୃଶ ଅପରାଧ (Culpable homicide not amounting to murder) ମାମଲା ରୁଜୁ କରିଛି। ପେଣ୍ଡାଲର ସଂକୀର୍ଣ୍ଣ ଗେଟ୍ ଏବଂ କ୍ରାଉଡ୍ ମ୍ୟାନେଜମେଣ୍ଟର ଅଭାବ ଯୋଗୁଁ ଏହି ଅଘଟଣ ଘଟିଥିବା ପୋଲିସ ଦର୍ଶାଇଛି। ମାମଲାର ଗମ୍ଭୀରତାକୁ ଦେଖି ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (SIT) ଗଠନ କରାଯାଇଛି। ଏହା ସହିତ କୋଲକାତା ହାଇକୋର୍ଟଙ୍କ ଜଣେ କାର୍ଯ୍ୟରତ ବିଚାରପତିଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ-ଫାଇଣ୍ଡିଂ କମିଟି ମଧ୍ୟ ଏହାର ତଦନ୍ତ କରୁଛି। ପଶ୍ଚିମବଙ୍ଗ ସରକାର ଏହି ଘଟଣାର STF (Special Task Force) ତଦନ୍ତ ନିର୍ଦ୍ଦେଶ ଦେବା ସହ ମୃତକଙ୍କ ପରିବାର ପାଇଁ ୨୫ ଲକ୍ଷ ଟଙ୍କାର କ୍ଷତିପୂରଣ ଓ ଜଣକୁ ଚାକିରି ଦେବାକୁ ଘୋଷଣା କରିଛନ୍ତି। ଏଥିସହିତ ଗିରିଶ ପାର୍କ ଥାନାର ଓସି (OC) ଙ୍କୁ ପଦରୁ ହଟାଇ ଦିଆଯାଇଛି।

Leave A Reply

Your email address will not be published.