Latest Odisha News

BREAKING NEWS

ବାଲିଯାତ୍ରାରେ ଦଳାଚକଟା ଭଳି ସ୍ଥିତି; ୨ ଆହତ

କଟକ: ଗାୟିକା ଶ୍ରେୟା ଘୋଷାଲ ଯେକୌଣସି ସ୍ଥାନରେ ସଙ୍ଗୀତ ପରିବେଷଣ କଲେ ମଧ୍ୟ ସେଠାରେ ବହୁ ସଂଖ୍ୟାରେ ଦର୍ଶକଙ୍କ ଭିଡ଼ ଜମିଥାଏ। ଗୁରୁବାର ସନ୍ଧ୍ୟାରେ କଟକରେ ବାଲିଯାତ୍ରା ରେ ଶ୍ରେୟାଙ୍କର ସଙ୍ଗୀତ ସମାରୋହରେ ଖୁବ୍ ଭିଡ଼ ହୋଇଥିଲା। ବାଲି ଯାତ୍ରାର ଶେଷ ଦିନରେ ଭିଡ଼ ଏତେ ବଢି ଯାଇଥିଲା ଯେ ସେଠାରେ ଦଳାଚକଟା ଭଳି ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ଯେଉଁଥିରେ ଅତି କମରେ ଦୁଇ ଜଣ ଆହତ ହୋଇଥିଲେ।

ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ଅନେକ ବ୍ୟାରିକେଡ୍ ସ୍ଥାପନ କରିଥିଲେ ମଧ୍ୟ ଶ୍ରେୟା ଷ୍ଟେଜରେ ପହଞ୍ଚିବା ପରେ ସେଠାକୁ ପହଞ୍ଚିବା ପାଇଁ ଲୋକଙ୍କର ଦଳାଚକଟା ଆରମ୍ଭ ହୋଇଯାଇଥିଲା। ଯାହାଫଳରେ କିଛି ଲୋକ ତଳେ ପଡ଼ିଯାଇ ଆହତ ହୋଇଥିଲେ।

ସେହି ସମୟରେ ଦୁଇଜଣ ବ୍ୟକ୍ତି ଅଚେତ ହୋଇ ପଡ଼ିଥିଲେ ଓ ସେମାନଙ୍କୁ ଚିକିତ୍ସା ପାଇଁ ତୁରନ୍ତ ଏସସିବି ମେଡିକାଲ୍ କଲେଜକୁ ପଠାଯାଇଥିବା ସୂଚନା ମିଳିଛି। ତେବେ ବର୍ତ୍ତମାନ୍ ସୁଦ୍ଧା କୌଣସି ମୃତାହତ କିମ୍ବା କେହି ଗୁରୁତର ଆହତ ହୋଇଥିବାର ଖବର ଆସିନାହିଁ।

ସ୍ଥିତି ସମୀକ୍ଷା କରିବା ପାଇଁ ଟ୍ୱିନ୍ ସିଟି ପୋଲିସ କମିଶନର ଏସ ଦେବ ଦତ୍ତ ସିଂହଙ୍କ ସମେତ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ।

Comments are closed.