Latest Odisha News

ବୋଲରଙ୍କ ଭୂସ୍ୱର୍ଗରେ ଟିମଇଣ୍ଡିଆକୁ ୩୦ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

କୋଲକାତା: ଇଡେନ ଗାର୍ଡେନରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ୩୦ ରନରେ ଭାରତକୁ ପରାସ୍ତ କରିଛି । ଏଥିସହ ୨ ମ୍ୟାଚ ବିଶିଷ୍ଟ ସିରିଜରେ ଦକ୍ଷିଣ ଆଫ୍ରିକା ୧-୦ର ଅଗ୍ରଣୀ ହାସଲ କରିଛି । ଭାରତ ୧୨୪ ରନର ଲକ୍ଷ୍ୟକୁ ପିଛା କରି ୯୩ ରନରେ ଅଲଆଉଟ ହୋଇଯାଇଛି । ଶୁଭମନ ଗିଲ ଦ୍ୱିତୀୟ ଇନିଂସରେ ବ୍ୟାଟିଂ କରିବାକୁ ଆସି ନଥିଲେ । ୧୫ ବର୍ଷ ପରେ ଘରୋଇ ପରିବେଶରେ ଦକ୍ଷିଣ ଆଫ୍ରିକା ନିକଟରୁ ଭାରତ ପରାଜିତ ହୋଇଛି । ୱାଶିଂଟନ ସୁନ୍ଦର ସର୍ବାଧିକ ୩୧ ରନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ ୨୬, ରବୀନ୍ଦ୍ର ଜାଡେଜା ୧୮, ଧ୍ରୁବ ଜୁରେଲ ୧୩ ରନ କରିଥିଲେ । ଅନ୍ୟ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରି ନ ଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ସିମୋନ ହାର୍ମର ୪ଟି ୱିକେଟ ନେଇଥିଲେ । ମାର୍କୋ ୟାନସେନ ଓ କେଶବ ମହାରାଜ ୨ଟି ଲେଖାଏଁ ଏବଂ ଆଇଡେନ ମାର୍କରାମ ଗୋଟିଏ ୱିକେଟ ହାସଲ କରିଥିଲେ ।

ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନ କରିଥିଲା । ଏହାର ଜବାବରେ ଭାରତ ୧୮୯ ରନ କରିବାକୁ ସକ୍ଷମ ହୋଇଥିଲା । ଦ୍ୱିତୀୟ ଇନିଂସରେ ଟେମ୍ବା ବାଭୁମାଙ୍କ ୫୫ ରନ ବଳରେ ଦକ୍ଷିଣ ଆଫ୍ରିକା ୧୫୩ ରନ କରି ଅଲଆଉଟ ହୋଇଥିଲ । ପ୍ରଭାବୀ ପ୍ରଦର୍ଶନ ପାଇଁ ହାର୍ମର ପ୍ଲେୟାର ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ବୋଲରଙ୍କ ପାଇଁ ଭୂସ୍ୱର୍ଗ ସାଜିଥିବା ଇଡେନଗାର୍ଡେନରେ ମାତ୍ର ୩ ଦିନ ମଧ୍ୟରେ ମ୍ୟାଚର ଫଳାଫଳ ବାହାରିଥିଲା ।

Comments are closed.