କୋଲକାତା: ଇଡେନଗାର୍ଡେନରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ମ୍ୟାଚରେ ରବୀନ୍ଦ୍ର ଜାଡେଜା ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି । ବିଶ୍ୱ ଟେଷ୍ଟ ଚାମ୍ପିୟନଶିପରେ ସେ ୨୫୦୦ରୁ ଅଧିକ ରନ ଓ ୧୫୦ରୁ ଊର୍ଦ୍ଧ୍ୱ ୱିକେଟ ହାସଲ କରିବା ଗୌରବ ଅର୍ଜନ କରିଛନ୍ତି । ସେ ତୃତୀୟ ଭାରତୀୟ ବୋଲର ଭାବେ ୧୫୦ ୱିକେଟ ନେଇଛନ୍ତି । ତାଙ୍କ ପୂର୍ବରୁ ରବିଚନ୍ଦ୍ରନ ଅଶ୍ୱୀନ ୪୧ ଟେଷ୍ଟରେ ୧୯୫ ଓ ଯଶପ୍ରୀତ ବୁମରାହ ୪୧ ଟେଷ୍ଟରେ ୧୯୨ ୱିକେଟ ନେଇ ଏହି କ୍ଲବରେ ସାମିଲ ହୋଇଥିଲେ । ତେବେ ଅଷ୍ଟ୍ରେଲିଆର ନାଥାନ ଲିୟନ ୫୩ ଟେଷ୍ଟରେ ୨୧୯ ୱିକେଟ ନେଇ ଏବେ ମଧ୍ୟ ଶୀର୍ଷ ସ୍ଥାନରେ ରହିଛନ୍ତି ।
କପିଳ ଦେବ, ଇଆନ ବୋଥାମ ଓ ଡାନିୟଲ ଭିଟ୍ଟୋରୀଙ୍କ ପରେ ଟେଷ୍ଟ କ୍ରିକେଟରେ ୪୦୦୦ ରନ ଓ ୩୦୦ରୁ ଊର୍ଦ୍ଧ୍ୱ ୱିକେଟ ନେଇଛନ୍ତି । ଜାଡେଜା ୮୭ ମ୍ୟାଚରେ ଏହି ସଫଳତା ହାସଲ କରି କପିଳ ଦେବଙ୍କୁ ପଛରେ ପକାଇ ଦେଇଛନ୍ତି । ବୋଥାମ ସବୁଠାରୁ କମ ମ୍ୟାଚ (୭୨)ରେ ଏହି ଉପଲବ୍ଧି ହାସଲ କରିଥିଲେ । ଜାଡେଜାଙ୍କ ପ୍ରଭାବୀ ପ୍ରଦର୍ଶନ ସତ୍ୱେ ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକା ନିକଟରୁ ୩୦ ରନରେ ପରାଜିତ ହୋଇଛି । ଦକ୍ଷିଣ ଆଫ୍ରିକା ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ର ଅଗ୍ରଣୀ ହାସଲ କରିଛି ।
Comments are closed.