ଭୁବନେଶ୍ବର: ଖୋଲିଲା ଇକୋ ରିଟ୍ରିଟ । ଗତକାଲି ରାଜ୍ୟରେ ୬ଟି ଇକୋ ରିଟ୍ରିଟକୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଛନ୍ତି । ପର୍ଯ୍ୟଟକଙ୍କୁ ନିଆରା ଅନୁଭୂତି ଦେବାକୁ ହୀରାକୁଦ, ସାତକୋଶିଆ, ସୁନାପୁର (ଗଞ୍ଜାମ), ଦାରିଙ୍ଗିବାଡି, ପୁଟସିଲ,ଭିତରକନିକାରେ ଆଭାସୀ ଯୋଗେ ଇକୋ ରିଟ୍ରିଟ ଉଦଘାଟନ କରିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।
OTDC ମାଧ୍ୟମରେ ଏହି କଟେଜ ଗୁଡିକୁ ବୁକ କରାଯାଇ ପାରିବ ।
ସୂଚନାଥାଉକି, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଳକ ପେଣ୍ଠ ସମୂଦ୍ର କୂଳରେ ଆରମ୍ଭ ହୋଇଛି ଷଷ୍ଠ ବାର୍ଷିକ ଇକୋ-ରିଟ୍ରିଟ । ଭିତରକନିକା ଜୈବ ବିବିଧତା ସାଙ୍ଗକୁ ବଉଳା କୁମ୍ଭୀର ଦେଖିବାର ମଜା ନେବେ ପର୍ଯ୍ୟଟକ ।ପେଣ୍ଠ ଠାରେ ଥିବା ଇକୋ-ରିଟ୍ରିଟରେ ୨୫ଟି କଟେଜ ରହିଛି ଯେଉଁଥିରେ ୨୦ଟି ଡିଲକ୍ସ ଓ ୫ଟି ପ୍ରିମିୟମ କଟେଜ ରହିଛି । ରାଜ୍ୟର ପର୍ଯ୍ୟଟନର ବିକାଶ ନିମନ୍ତେ ରାଜ୍ୟ ସରକାର ଏହି ଯୋଜନା କରିଛନ୍ତି । ରାଜ୍ୟରେ ଥିବା ପର୍ଯ୍ୟଟନ ସ୍ଥଳୀର ବିକାଶ ସହ ଦେଶ ବିଦେଶରେ ଏହାକୁ ପରିଚିତ କରିବା ପାଇଁ ସରକାରଙ୍କର ଏହି ଯୋଜନା । ଏହି ଇକୋ-ରିଟ୍ରିଟରେ ସୂର୍ଯ୍ୟୋଦୟ ଓ ସୂର୍ଯ୍ୟାସ୍ତର ମନଲୋଭା ଦୃଶ୍ୟକୁ ପର୍ଯ୍ୟଟକ ମାନେ ଉପଭୋଗ କରିପାରିବେ ।

ସେହିପରି ସମ୍ବଲପୁର ସହର ଉପକଣ୍ଠ ହୀରାକୁଦ ଡ୍ୟାମର ଲେଫ୍ଟ ଡ଼ାଇକର ବଲବସପୁର ଗାଁ ନିକଟରେ ଚଳିତ ବର୍ଷ ଇକୋ-ରିଟ୍ରିଟ ଆରମ୍ଭ ହୋଇଛି । ପାରା ସେଲିଙ୍ଗ, ହୀରାକୁଦ ଜଳଭଣ୍ଡାରରେ ବୋଟିଂ, ସାଇକେଲ ରାଇଡିଙ୍ଗ ସହ ସମ୍ବଲପୁରର ବିଭିନ୍ନ ଦର୍ଶନୀୟ ସ୍ଥାନ ବୁଲିବାର ସୁବିଧା ପାଇ ପାରିବେ । କଟେଜ ଗୁଡିକରେ ବସି ହୀରାକୁଦ ଜଳଭଣ୍ଡାରର ସୁନ୍ଦର ଦୃଶ୍ୟ ମଜା ନେଇ ପାରିବେ ।

ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ମଧ୍ୟ ଇକୋ ରିଟ୍ରିଟ୍ ର ଶୁଭ ଉଦଘାଟନ ହୋଇଯାଇଛି । ଏହି ଇକୋ ରିଟ୍ରିଟ୍ ୯୦ ଦିନ ପାଇଁ ଖୋଲା ଯାଇଥିବା ବେଳେ ନିୟମିତ ଆସୁଥିବା ପର୍ଯ୍ୟଟକ ମାନଙ୍କ ସେବା ଓ ସେମାନଙ୍କ ରହିବା ଖାଇବାର ସମସ୍ତ ବ୍ୟବସ୍ଥା ରହିଛି । ଖାଲି ଦାରିଙ୍ଗବାଡି ନୁହେଁ, କନ୍ଧମାଳ ଜିଲ୍ଲା ରେ ଏପରି ବହୁ ପର୍ଯ୍ୟଟନ ସ୍ଥଳୀ ରହିଛି । ସେଥି ମଧ୍ୟରେ କୋଟଗଡ ବ୍ଲକ ରେ ଲୁଦୁ ଜଳପ୍ରପାତ, ତୁମୁଡିବନ୍ଧ ବ୍ଲକ ରେ ବେଲଘରର କାଠ ବଙ୍ଗଳା, ବାଲିଗୁଡା ବ୍ଲକ ରେ ଝୁଲା କାଠ ପୋଲ ଭଳି ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳରେ ଘନ କୁହୁଡି ସହ ପ୍ରବଳ ଶୀତ କୁ ଉପଭୋଗ କରିବା ପାଇଁ ବହୁ ଦର୍ଶନୀୟ ସ୍ଥାନ ରହିଛି ।

ରାଜ୍ୟ ତଥା ରାଜ୍ଯ ବାହାରେ ବହୁ ପରିଚିତ ହୋଇଥିବା ବେଳେ ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବାକୁ ନିୟମିତ ଶହଶହ ପର୍ଯ୍ୟଟକ ମାନେ ଦାରିଙ୍ଗବାଡିକୁ ଆସିଥାନ୍ତି ।
ଏପଟେ ଗଞ୍ଜାମ ଜିଲ୍ଲାର ସୁନାପୁର ବେଳାଭୂମିରେ ସୌନ୍ଦର୍ଯ୍ୟକୁ ଆହୁରି ବୃଦ୍ଧି କରିବା ନିମନ୍ତେ ଆରମ୍ଭ ହୋଇଛି ସୁନାପୁର ବେଳାଭୂମି ଇକୋ ରିଟ୍ରିଟ୍ ସେଣ୍ଟର । ବ୍ରହ୍ମପୁର ଠାରୁ ମାତ୍ର ୩୦ କିଲୋମିଟର ଦୂରରେ ରହିଛି ଏହି ସୁନାପୁର ବେଳାଭୂମି। ଶାନ୍ତ ଓ ସ୍ଵଚ୍ଛ ପରିବେଶରେ ଆୟୋଜିତ ହେବାକୁଥିବା ସୁନାପୁର ବେଳାଭୂମି ଇକୋ ରିଟ୍ରିଟ୍ରେ ସମସ୍ତ ପ୍ରକାରର ଅତ୍ୟାଧୁନିକ ସୁବିଧା ସୁଯୋଗର ଆୟୋଜନ କରାଯାଇଛି । ଏହି ସୁନାପୁର ବେଳାଭୂମି ବାହୁଦା ନଦୀ ଏବଂ ବଙ୍ଗୋପସାଗରର ନଦୀ ମୁହାଣରେ ଅବସ୍ଥିତ। ଏଠିକାର ସୂର୍ଯ୍ୟାସ୍ତ ଏବଂ ସୂର୍ଯ୍ୟୋଦୟର ସମୁଦ୍ର ଦୃଶ୍ୟ ଅତ୍ୟନ୍ତ ମନୋରମ ।
ଜାଣିରଖନ୍ତୁ ୨୦୨୩–୨୪ରେ ସୁନାପୁର ବେଳାଭୂମିକୁ ”BLUE FLAG” ବିଚର ମାନ୍ୟତା ମିଳିଥିଲା । ୨୦୨୪-୨୫ ପାଇଁ ମଧ୍ୟ ସୁନାପୁର ଏହି ମାନ୍ୟତା ବଜାୟ ରଖିଛି ।
Comments are closed.