Latest Odisha News

ବଢୁଛି ଆମିଷ ଚାହିଦା; ହେଲେ ରାଜ୍ୟରେ ଯଥେଷ୍ଟ ପରିମାଣରେ ଉତ୍ପାଦନ ହେଉନି ମାଛ ଓ ଅଣ୍ଡା

ଭୁବନେଶ୍ବର: ରାଜ୍ୟରେ ଯଥେଷ୍ଟ ଭାବେ ଉତ୍ପାଦାନ ହେଉନି ମାଛ ଓ ଅଣ୍ଡା । ଯାହା ଫଳରେ ରାଜ୍ୟ ବାହାରୁ ଏସବୁକୁ ଆମଦାନୀ କରାଯାଉଛି । କାର୍ତ୍ତିକ ମାସ ଶେଷ ହେବାପରେ ଏବେ ରାଜ୍ୟରେ ଆମିଷ ଚାହିଦା ବହୁ ପରିମାଣରେ ବୃଦ୍ଧି ପାଇଛି । ପଡ଼ୋଶୀ ଆନ୍ଧ୍ରପ୍ରଦେଶ ଓଡ଼ିଶାର ଆମିଷ ଉପଭୋକ୍ତାଙ୍କ ଚାହିଦା ମେଣ୍ଟାଉଛି । ଦୈନିକ ପ୍ରାୟ ୧୧୦ ମେଟ୍ରିକ୍‌ ଟନ୍ ମାଛ ଓ ୧୫ଲକ୍ଷ ଅଣ୍ଡା ଆମଦାନୀ ହେଉଛି ।

ମିଳିଥିବା ତଥ୍ୟ ଅନୁସାରେ, ଦୈନିକ ୧୧୦ ମେଟ୍ରିକ ଟନ୍ ଓ ବାର୍ଷିକ ୪୦ହଜାର ମେଟ୍ରିକ ଟନ୍ ମାଛ ଆମଦାନୀ ହେଉଛି। ଜନସଂଖ୍ୟା ବୃଦ୍ଧି ସହିତ ମାଛର ଚାହିଦା ଦିନକୁ ଦିନ ଅଧିକ ହେବାରେ ଲାଗିଛି । ୨୦୧୪-୧୫ରେ ୩୮, ୧୧୮ମେଟ୍ରିକ ଟନ୍ ଆମଦାନୀ ହୋଇଥିବା ବେଳେ ୨୦୧୯-୨୦ରେ ୪୬, ୨୭୩ ମେଟ୍ରିକ ଟନ୍ ମାଛ ବାହାରୁ ଆସିଥିଲା ।

ଏହି ସମୟ ମଧ୍ୟରେ ରାଜ୍ୟରେ ମିଶନ ମୋଡ଼ରେ ମାଛ ଓ ଅଣ୍ଡା ଉତ୍ପାଦନ ପାଇଁ ପଦକ୍ଷେପ ନିଆଯିବାରୁ ୨୦୧୯ରୁ ୨୦୨୪ ମଧ୍ୟରେ ପାଖାପାଖି ୨୮ପ୍ରତିଶତ ହ୍ରାସ ଘଟିଥିଲା। ଏହି ସମୟ ମଧ୍ୟରେ ସ୍ଥାନୀୟ ମାଛ ଉତ୍ପାଦନ ୮.୨ଲକ୍ଷ ଟନ୍ ଠାରୁ ବୃଦ୍ଧି ପାଇ ୧୧.୨ ଲକ୍ଷ ଟନ୍‌ରେ ପହଞ୍ଚିଥିଲା । ଉତ୍ପାଦନ ବୃଦ୍ଧି ପରେ ବି ପଡୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି ।

ସେହିପରି ରାଜ୍ୟରେ ଅଣ୍ଡା ଉତ୍ପାଦନ ଓ ଚାହିଦା ମଧ୍ୟରେ ବଡ଼ ଫରକ ରହିଛି । ଏହି ଚାହିଦାକୁ ମେଣ୍ଟାଇବା ପାଇଁ ପ୍ରତିଦିନ ୧୫ ଲକ୍ଷ ଅଣ୍ଡା ବାହାର ରାଜ୍ୟରୁ ଆସୁଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଓ ବିଭିନ୍ନ ଯୋଜନା ଯୋଗୁଁଁ ଅଣ୍ଡା ଉତ୍ପାଦନରେ ଉଲ୍ଲେଖନୀୟ ଭାବେ ବୃଦ୍ଧି ଆସିଥିଲେ ସୁଦ୍ଧା ଅନ୍ୟ ଉପରେ ନିର୍ଭରଶୀଳତା ହ୍ରାସ ପାଉନି ।

ତେବେ ରାଜ୍ୟ ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କହିଥିଲେ ଯେ, ମଧୁର ମାଛ ଉତ୍ପାଦନରେ ଆତ୍ମନିର୍ଭର ହେବ ଓଡିଶା । ଆଗାମୀ ୫ ବର୍ଷରେ ମଧୁର ମାଛ ରପ୍ତାନୀ ପାଇଁ ଟାର୍ଗେଟ ରଖାଯାଇଛି । ରାଜ୍ୟ ସରକାରଙ୍କ ଉଦ୍ୟମ ଓ ବିଭିନ୍ନ ଯୋଜନା ସତ୍ତ୍ବେ ଅନ୍ୟ ଉପରେ ନିର୍ଭରଶୀଳତା ହ୍ରାସ ପାଉନି ।

 

Comments are closed.