ଭୁବନେଶ୍ୱର: ସାରା ଓଡ଼ିଶା ଶୀତରେ ଥରୁଛି। ରାଜଧାନୀରେ ଭୁବନେଶ୍ୱରରେ ହାଡ ଭଙ୍ଗା ଶୀତ ଅନୁଭୂତ ହେଉଛି। ଥଣ୍ଡାରେ ୨୫ ବର୍ଷର ରେକର୍ଡ ଭାଙ୍ଗିଲା ଭୁବନେଶ୍ୱର। ଭୁବନେଶ୍ୱରରେ ଗତ ରାତିରେ ପ୍ରଚଣ୍ଡ ଶୀତ ଅନୁଭୂତ ହୋଇଛି । ରବିବାର ଭୁବନେଶ୍ୱରର ସର୍ବନିମ୍ନ ରାତ୍ରି ତାପମାତ୍ରା ୧୨.୯°C ରେକର୍ଡ ହେବା ସହ, ଏହା ଗତ ୨୫ ବର୍ଷର ରେକର୍ଡ ଭାଙ୍ଗିଛି। ଗତ ରାତି ନଭେମ୍ବର ମାସର ସବୁଠାରୁ ଥଣ୍ଡା ରାତି ବୋଲି ଭାରତୀୟ ପାଣିପାଗ ବିଭାଗ (IMD) ସୂଚନା ଦେଇଛି। ୨୦୦୦ ମସିହା ପରେ ନଭେମ୍ବର ମାସରେ ଭୁବନେଶ୍ୱରର ରାତ୍ରି ତାପମାତ୍ରା ଏପରି ତଳକୁ ଆସିଛି।
ପୂର୍ବ ଦିନ ଭୁବନେଶ୍ୱରରେ ୧୩° ସେଲସିୟସ ରେକର୍ଡ କରାଯାଇଥିଲା, ଯାହା ୨୦୦୦ ମସିହା ନଭେମ୍ବର ମାସରେ ସର୍ବନିମ୍ନ ତାପମାତ୍ରା ଥିଲା। ଏହା ପୂର୍ବରୁ, ନଭେମ୍ବର ମାସର ସବୁଠାରୁ ଥଣ୍ଡା ୨୯ ନଭେମ୍ବର ୨୦୦୯ ରେ ୧୩.୫° ସେଲସିୟସ ଥିଲା। ୨୫ ନଭେମ୍ବର ୨୦୧୮ ରେ ୧୩.୬° ସେଲସିୟସ; ଏବଂ ୨୬ ନଭେମ୍ବର ୨୦୧୭ ରେ ୧୩.୭° ସେଲସିୟସ ରହିଥିଲା।
ଗତ ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ତାପମାତ୍ରା କମିଛି । ଝାରସୁଗୁଡାରେ ୯.୮°C, ରାଉରକେଲାରେ ୧୦°C, କେନ୍ଦୁଝରରେ ୧୧°C ସର୍ବନିମ୍ନ ତାପମାତ୍ରା ରେକର୍ଡ ହୋଇଛି । ସମ୍ବଲପୁର (୧୩.୪°C), ହୀରାକୁଦ (୧୫°C), ପାରାଦ୍ବୀପରେ (୧୫.୨°C), ଗୋପାଳପୁର (୧୫.୬°C), ପୁରୀ (୧୭.୫°C) ଆଦି ସ୍ଥାନରେ ଥଣ୍ଡା ଦେଖାଦେଇଛି ।
ଆଗାମୀ ୩ରୁ ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ପରେ ତାପମାତ୍ରା ୨-୩ ଡିଗ୍ରୀ ବଢ଼ିବା ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ପୂର୍ବନୁମାନ କରିଛି। ତାପମାତ୍ରା ସାମାନ୍ୟ ବଢ଼ିଲେ ମଧ୍ୟ ଶୀତର ଲହରୀ ରହିବ। କିଛି କିଛି ସ୍ଥାନରେ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ। ସେପଟେ ଦକ୍ଷିଣ ଭାରତରେ ୨୨ ତାରିଖ ଯାଏଁ ପ୍ରବଳ ବର୍ଷା ହେବ ବୋଲି IMD ପୂର୍ବନୁମାନ କରିଛି।
Comments are closed.