ଭୁବନେଶ୍ୱର: ଓଲିଉଡ ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥାବସ୍ଥା ସଙ୍କଟାପନ୍ନ । ପତ୍ନି ଶ୍ରେୟାଙ୍କ ସୂଚନା ଅନୁସାରେ, ଗତ ୨୪ ଘଣ୍ଟାରେ ହ୍ୟୁମାନଙ୍କ ସ୍ୱାସ୍ଥରେ ଆସୁନି ସୁଧାର। ସ୍ବାସ୍ଥ୍ୟାବସ୍ଥା ନେଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ। ସେ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ଅଛନ୍ତି। ତାଙ୍କର ସ୍ବାସ୍ଥ୍ୟାବସ୍ଥାରେ କୌଣସି ସୁଧାର ଆସିନାହିଁ। ଅସୁସ୍ଥ ଅବସ୍ଥାରେ ହ୍ୟୁମାନ୍ ସାଗରଙ୍କୁ ଭୁବନେଶ୍ବର ଏମ୍ସ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଲିଭର୍ ଖରାପ ଥିବାବେଳେ କିଡ୍ନି ଗୁରୁତର ଭାବେ ପ୍ରଭାବିତ ହୋଇଛି।
ସେ ଗତ କିଛି ସପ୍ତାହ ହେଲା କଟକର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି। ଶ୍ବାସକ୍ରିୟା ଜନିତ ଅସୁବିଧା, ନିମୋନିଆ, ହେପାଟୋପାଥି, ଥ୍ରୋମ୍ବୋସାଇଟୋପେନିଆ ଓ କୋଆଗୁଲୋପାଥିରେ ପୀଡ଼ିତ ଅଛନ୍ତି । ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଛି। ଓଡ଼ିଆ ଚଳଚ୍ଚିତ୍ର ଓ ଆଲବମ୍ରେ ବହୁ ରୋମାଣ୍ଟିକ୍ ଗୀତ ଭେଟି ଦେଇଥିବା ହ୍ୟୁମାନ୍ ସାଗର ଘରେ ଘରେ ପରିଚିତ।
୨୦୧୫ରେ ହ୍ୟୁମାନ୍ ଓଡ଼ିଆ ଫିଲ୍ମ ‘ଇସ୍କ ତୁ ହି ତୁ’ରେ ପ୍ରଥମ ଥର ପାଇଁ ଗୀତ ଗାଇଥିଲେ। ତରଙ୍ଗର ରିଆଲିଟି ସୋ’ ଭଏସ୍-ଅଫ-ଓଡ଼ିଶା ତାଙ୍କୁ ଓଲିଉଡରେ ସିଙ୍ଗର ଭାବେ ଏଣ୍ଟ୍ରି କରିବାର ସୁଯୋଗ ଦେଇଥିଲା । ‘ଇସ୍କ ତୁ ହି ତୁ’ର ଟାଇଟଲ ସଂଗ ପାଇଁ ଖୁବ୍ ଲୋକପ୍ରିୟତା ପାଇଥିଲା ହ୍ୟୁମାନ୍ । ଆଉ ତା’ ପରେ ପରେ ଶହେରୁ ଅଧିକ ସିନେମାରେ ପାଇଥିଲେ ଗାଇବାର ସୁଯୋଗ । ଖାଲି ସିନେମା ନୁହେଁ, ଆଲବମରେ ବି ଛକା ମାରି ହୁଲୁସ୍ତୁଲ କରିଥିଲେ ଓଡ଼ିଆ ସିନେମା ଇଣ୍ଡଷ୍ଟ୍ରୀର ସଂଗୀତ ଜଗତ। ହ୍ୟୁମାନ୍ ସାଗରଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରାର୍ଥନା କରିଛନ୍ତି ତାଙ୍କ ମାଆ। ଅଧିକ ଚିକିତ୍ସା ଲାଗି ସେ ରାଜ୍ୟ ବାହାରକୁ ନେବା ପାଇଁ ଚିନ୍ତା କରୁଛନ୍ତି। ଏଥିପାଇଁ ରାଜ୍ୟ ସରକାରଙ୍କୁ ସହାୟତା କରିବାକୁ ଆକୁଳ ନିବେଦନ କରିଛନ୍ତି। ପୂର୍ବରୁ କଣ୍ଠଶିଳ୍ପୀ ଅଭିଜିତ ମଜୁମଦାର ଏମ୍ସରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ମଧ୍ୟ ସଙ୍କଟାପନ୍ନ ରହିଛି।
Comments are closed.