ଭୁବନେଶ୍ୱର: ୩୭ତମ ସଂସଦୀୟ ଇଣ୍ଟର୍ନଶିପ୍ କାର୍ଯ୍ୟକ୍ରମ ଅବସରରେ ନୂଆଦିଲ୍ଲୀ ସ୍ଥିତ ସଂସଦ ସଚିବାଳୟର ପାର୍ଲିଆମେଣ୍ଟାରି ରିସର୍ଚ୍ଚ ଆଣ୍ଡ ଟ୍ରେନିଂ ଇନଷ୍ଟିଚ୍ୟୁଟ ଫର୍ ଡେମୋକ୍ରାସିସ (PRIDE) ତରଫରୁ ୧୨ଟି ଦେଶର ୪୦ ଜଣ ବିଦେଶୀ ପ୍ରତିନିଧି ଆଜି ଲୋକସେବା ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ସାକ୍ଷାତ କରିବା ସହିତ ଏକ ବୈଠକରେ ଯୋଗଦେଇଥିଲେ ।
ମୁଖ୍ୟମନ୍ତ୍ରୀ ବୈଠକରେ ଉପସ୍ଥିତ ପ୍ରତିନିଧିମାନଙ୍କୁ ସ୍ଵାଗତ କରିବା ସହ ଓଡ଼ିଶାର ଦୃଢ଼ ଗଣତାନ୍ତ୍ରିକ ପରମ୍ପରା ଏବଂ ବିଧାନସଭାର ୮୯ ବର୍ଷର ଉତ୍ସର୍ଗୀକୃତ ଜନସେବାର ଐତିହ୍ୟ ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ, ଓଡ଼ିଶା ରାଜ୍ୟ ବିଧାନସଭାର ସଂସଦୀୟ କାର୍ଯ୍ୟ ପ୍ରଣାଳୀ ଭାରତର ଅନ୍ୟତମ ସର୍ବଶ୍ରେଷ୍ଠ ।
ଜୁନ୍ ୨୦୨୪ ରୁ ଜୁନ୍ ୨୦୨୫ ମଧ୍ୟରେ ଓଡିଶା ବିଧାନସଭା ୬୨ଟି ବୈଠକ ପରିଚାଳନା କରିଛି ଏବଂ ଓଡ଼ିଶା ବିଶ୍ୱବିଦ୍ୟାଳୟ (ସଂଶୋଧନ) ବିଲ୍, ୨୦୨୪ ଉପରେ ରେକର୍ଡ ୧୨ ଘଣ୍ଟା ୨୫ ମିନିଟ୍ ବିତର୍କ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ବିଧାନସଭା ପ୍ରକ୍ରିୟାର ଡିଜିଟାଲ୍ ରୂପାନ୍ତରଣ କ୍ଷେତ୍ରରେ ଓଡିଶା ଏକ ଅଗ୍ରଣୀ ରାଜ୍ୟ ବୋଲି ମତଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ବିଧାନସଭାରେ ଜାତୀୟ ଇ-ବିଧାନ ଆପ୍ଲିକେସନ୍ର ପୂର୍ଣ୍ଣ କାର୍ଯ୍ୟାନ୍ୱୟନ, ଇ-ପ୍ରଶାସନ ପାଇଁ OSWAS, ସମ୍ପୂର୍ଣ୍ଣ ଡିଜିଟାଲ୍ ଗୃହ, ଗବେଷଣା ଏବଂ ସୂଚୀକରଣ (Indexing) ପାଇଁ AI ର ବ୍ୟବହାର ଆଦି ଅନେକ ପଦକ୍ଷେପ ନିଆଯାଇଛି। ଡିଜିଟାଲ୍ ପ୍ରୟୋଗ କ୍ଷେତ୍ରରେ ଉତ୍କର୍ଷତା ପାଇଁ ଓଡିଶା ବିଧାନସଭା ଜାତୀୟ ପୁରସ୍କାର ହାସଲ କରିଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।
ବିଭିନ୍ନ ସଂସଦୀୟ କମିଟି ବ୍ୟବସ୍ଥାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଉପରେ ଗୁରୁତ୍ୱାରୋପ କରି ସେ କହିଥିଲେ ଯେ ଓଡ଼ିଶାର 10ଟି ବିଭାଗୀୟ ସ୍ଥାୟୀ କମିଟି ସମେତ 25ଟି କମିଟି ଗଠନ କରାଯାଇଛି। ଉନ୍ନତ ପ୍ରଶାସନ ସୁନିଶ୍ଚିତ କରିବା ପାଇଁ ଏହି କମିଟି ଗୁଡିକ “ମିନି-ପାର୍ଲିମେଣ୍ଟ” ଭାବରେ କାର୍ଯ୍ୟ କରୁଛି। ଓଡ଼ିଶା ନିକଟରେ ଅନୁସୂଚିତ ଜାତି ଏବଂ ଜନଜାତି କମିଟିର ଅଧ୍ୟକ୍ଷଙ୍କ ଜାତୀୟ ସମ୍ମିଳନୀକୁ ସଫଳତାର ସହିତ ଆୟୋଜନ କରିଥିଲା। ଏହା ଆମର Inclusive Governance ପ୍ରତି ପ୍ରତିବଦ୍ଧତାର ପ୍ରମାଣ ବୋଲି ସେ କହିଥିଲେ।
ଓଡ଼ିଶାର ସାଂସ୍କୃତିକ ସମୃଦ୍ଧି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ, ରାଜ୍ୟକୁ ପୂର୍ବ ଭାରତର ସାଂସ୍କୃତିକ କେନ୍ଦ୍ର ଭାବରେ ବର୍ଣ୍ଣନା କରିଥିଲେ । ବିଦେଶୀ ପ୍ରତିନିଧିମାନେ ପୂର୍ବରୁ ପୁରୀ, କୋଣାର୍କ, ଧଉଳି ଏବଂ ଅନ୍ୟାନ୍ୟ ଐତିହ୍ୟସ୍ଥଳୀ ପରିଦର୍ଶନ କରିଥିଲେ। ସେମାନେ ଓଡ଼ିଶାର ଐତିହ୍ୟ ଓ ଆତିଥ୍ୟର ଉଚ୍ଚ ପ୍ରଶଂସା କରିଥିଲେ।
Comments are closed.