Amit Shah On SIR:ଭୁଜରୁ ଗୃହମନ୍ତ୍ରୀ ଅମିତ ଶାହଙ୍କ ବାର୍ତ୍ତା…’ଦେଶରୁ ଖୋଜି ଖୋଜି ସବୁ ଅନୁପ୍ରବେଶକାରୀଙ୍କୁ ବାହାର କରିବୁ’
ନୂଆଦିଲ୍ଲୀ:ସୀମା ସୁରକ୍ଷା ବାହିନୀ (BSF )ର ୬୧ତମ ପ୍ରତିଷ୍ଠା ଦିବସ (Raising Day)ସମାରୋହରେ ଯୋଗଦେବା ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ( Amit Shah) ଶୁକ୍ରବାର ଗୁଜରାଟର ଭୁଜରେ ପହଞ୍ଚିଥିଲେ । ଏଠାରେ ବିଏସଏଫ ଯବାନମାନଙ୍କୁ ସମ୍ବୋଧିତ କରି ଶାହ ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବାରେ ସେମାନଙ୍କ ଅବଦାନକୁ ପ୍ରଶଂସା କରିଥିଲେ ଏବଂ ୧୨ଟି ରାଜ୍ୟରେ ଭୋଟର ତାଲିକାର ଚାଲିଥିବା ସ୍ୱତନ୍ତ୍ର ଗହନ ସଂଶୋଧନ (SIR) ସମ୍ପର୍କରେ ନାଗରିକମାନଙ୍କୁ ଏକ ବାର୍ତ୍ତା ମଧ୍ୟ ଦେଇଥିଲେ।
ସେ କହିଛନ୍ତି ଯେ ଭାରତୀୟ ନାଗରିକମାନେ ଏହି ପ୍ରକ୍ରିୟାକୁ ପୂର୍ଣ୍ଣ ସମର୍ଥନ କରିବା ଉଚିତ, କାରଣ ଏହା ଦେଶ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏହା ମାଧ୍ୟମରେ ପ୍ରତ୍ୟେକ ଅନୁପ୍ରବେଶକାରୀଙ୍କୁ ଭୋଟର ତାଲିକାରୁ ବାଦ ଦିଆଯିବ।
ଶାହ ତାଙ୍କ ଅଭିଭାଷଣରେ କହିଥିଲେ, “ମୁଁ ଆଜି ସ୍ପଷ୍ଟ କରିବାକୁ ଚାହୁଁଛି ଯେ ଆମେ ଏହି ଦେଶରୁ ଗୋଟେ ଗୋଟେ କରି ସମସ୍ତ ଅନୁପ୍ରବେଶକାରୀଙ୍କୁ ବାହାର କରିଦେବୁ। ଏହା ଆମର ପ୍ରତିଜ୍ଞା। SIR ପ୍ରକ୍ରିୟା ଦେଶ ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ।”
ଶାହା କହିଛନ୍ତି, “ଏହା ଦୁର୍ଭାଗ୍ୟଜନକ ଯେ କିଛି ରାଜନୈତିକ ଦଳ ଭୋଟର ତାଲିକା ସଂଶୋଧନ ପାଇଁ ନିର୍ବାଚନ କମିଶନ ଦ୍ୱାରା ପ୍ରଚଳିତ SIR ପ୍ରକ୍ରିୟାକୁ ବିରୋଧ କରୁଛନ୍ତି।”
ଅମିତ ଶାହ ତାଙ୍କ ଅଭିଭାଷଣରେ ଆହୁରି କହିଥିଲେ, “ଆଜି ଏଠାରୁ ମୁଁ ଦେଶର ଜନସାଧାରଣଙ୍କୁ ନିର୍ବାଚନ କମିଶନ ଦ୍ୱାରା କରାଯାଉଥିବା SIR ପ୍ରକ୍ରିୟାକୁ ପୂର୍ଣ୍ଣ ସମର୍ଥନ କରିବାକୁ ନିବେଦନ କରୁଛି। ମୁଁ ଅନୁପ୍ରବେଶକାରୀଙ୍କୁ ରକ୍ଷା କରୁଥିବା ରାଜନୈତିକ ଦଳଗୁଡ଼ିକୁ ଚେତାବନୀ ଦେବାକୁ ଚାହୁଁଛି ଯେ ବିହାର ନିର୍ବାଚନ ସମଗ୍ର ଦେଶର ଜନାଦେଶ ଭଳି, ବିହାର ନିର୍ବାଚନରେ ଜନସାଧାରଣ ଏହା ସ୍ପଷ୍ଟ କରିଦେଇଛନ୍ତି।”
ସେ ପ୍ରଥମ ଥର ପାଇଁ “ଇ-ସୀମା ସୁରକ୍ଷା” ଧାରଣା ବିଷୟରେ ମଧ୍ୟ ଉଲ୍ଲେଖ କରିଥିଲେ ଏବଂ କହିଥିଲେ ଯେ ଏହାର ପରୀକ୍ଷଣ ସମାପ୍ତ ହୋଇଛି ଏବଂ ବିଏସଏଫ ଏଥିରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି।
ବିଏସଏଫର ଭୂମିକା ବିଷୟରେ କହି ଶାହ କହିଛନ୍ତି ଯେ ଦେଶର ସୁରକ୍ଷା ପାଇଁ ଏପର୍ଯ୍ୟନ୍ତ ୨,୦୧୩ ଜଣ ବୀର ଯବାନ ନିଜର ବଳିଦାନ ଦେଇଛନ୍ତି। ସେ ଘୋଷଣା କରିଥିଲେ ଯେ ଆଗାମୀ ବର୍ଷଟି ବିଏସଏଫ ଯବାନ ଏବଂ ସେମାନଙ୍କ ପରିବାରର କଲ୍ୟାଣ ପାଇଁ ଉତ୍ସର୍ଗୀକୃତ ହେବ। ସରକାର ଭବିଷ୍ୟତରେ ବିଏସଏଫକୁ ଦୁନିଆର ସବୁଠାରୁ ପ୍ରଯୁକ୍ତିବିଦ୍ୟା ଦୃଷ୍ଟିରୁ ଉନ୍ନତ ଏବଂ ଆଧୁନିକ ସୀମା ସୁରକ୍ଷା ବାହିନୀ କରିବା ଲକ୍ଷ୍ୟରେ ଆଗକୁ ବଢ଼ୁଛନ୍ତି।
Comments are closed.