Latest Odisha News

BREAKING NEWS

ଅମାନିଆଙ୍କ ବିରୋଧରେ ପରିବହନ ବିଭାଗର କଠୋର ଆଭିମୁଖ୍ୟ: ୪ ଦିନରେ କଟିଲା ୧୨,୧୫୫ ଇ-ଚାଲାଣ

ଭୁବନେଶ୍ୱର: ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ହ୍ରାସ ଲକ୍ଷ୍ୟରେ ବାଣିଜ୍ୟ ପରିବହନ ବିଭାଗ ଦ୍ୱାରା ‘ଶୂନ ମୃତାହତ ପକ୍ଷ’ ପାଳନ କରାଯାଉଛି । ସଡ଼କ ସୁରକ୍ଷା ନିୟମ ଉଲ୍ଲଙ୍ଘନ କରୁଥିବା ବେପରୁଆ ଗାଡ଼ି ଚାଳକଙ୍କୁ ନିୟନ୍ତ୍ରଣ କରିବାକୁ ରାଜ୍ୟବ୍ୟାପୀ ଏନଫୋର୍ସମେଣ୍ଟକୁ ଜୋରଦାର କରାଯାଇଛି । ନଭେମ୍ବର 16ରୁ ଆରମ୍ଭ ହୋଇଥିବା ଏହି ପକ୍ଷରେ ପ୍ରଥମ ଚାରି ଦିନରେ କେବଳ ପରିବହନ ବିଭାଗ ଦ୍ୱାରା 12,155 ଇ-ଚାଲାଣରେ ଦୁଇ କୋଟିରୁ ଅଧିକ ଟଙ୍କାର ଜରିମାନା ଜାରି କରାଯାଇଛି ।
ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଉଭୟ ପରିବହନ ବିଭାଗ ଓ ପୋଲିସ ପ୍ରଶାସନ ଦ୍ୱାରା କଡ଼ାକଡ଼ି ଏନଫୋର୍ସମେଣ୍ଟକୁ ପ୍ରାଧାନ୍ୟ ଦିଆଯାଇଛି । ଦ୍ରୁତଗତି ଯୋଗୁଁ ଦୁର୍ଘଟଣା ଅଧିକ ଘଟୁଥିବାରୁ ଏହା ଉପରେ ବିଶେଷ ନଜର ରଖାଯାଇଛି । କେବଳ ପରିବହନ ବିଭାଗ ଦ୍ୱାରା ଦ୍ରୁତଗତି ବିରୋଧରେ ଶୂନ ମୃତାହତ ପକ୍ଷର ପ୍ରଥମ ଚାରି ଦିନରେ 3,858 ଇ-ଚାଲାଣ ଜାରି କରାଯାଇଛି । ସେହିଭଳି ବିନା ହେଲମେଟ୍ ରେ ଦୁଇଚକିଆରେ ଯାଉଥିବାରୁ 3213 ଇ-ଚାଲାଣ ଜାରି କରାଯାଇଛି। ବିନା ସିଟବେଲ୍ଟରେ 2921, ଗାଡ଼ି ଚଲାଇବା ବେଳେ ମୋବାଇଲ ଫୋନ ବ୍ୟବହାରରେ 498, ନିଶା ସେବନ କରି ଗାଡ଼ି ଚଲାଉଥିବା ଯୋଗୁଁ 135, ଦୁଇ ଚକିଆରେ ଦୁଇରୁ ଅଧିକ ଯାଉଥିବାରୁ 628, ବିପରୀତ ଦିଗରେ ଗାଡ଼ି ଚଲାଉଥିବାରୁ 236, ବେଆଇ ପାର୍କିଂ ଯୋଗୁଁ 666 ଚାଲାଣ ଜାରି କରାଯାଇଛି ।
ସୁନ୍ଦରଗଡ଼ ଆରଟିଓ ଅଧୀନରେ ମୋଟ୍ ଉପରେ 1180 ଚାଲାଣ ଜାରି ହୋଇଥିବା ବେଳେ ଭୁବନେଶ୍ୱର-1 ଅଧୀନରେ 840, କଟକ ଆରଟିଓରେ 791, ତାଳଚେର ଆରଟିଓରେ 741, ଭଦ୍ରକ 719, ଜଗତସିଂହପୁର 632, ରାୟଗଡ଼ାରେ 555, ଅନୁଗୁଳରେ 520, କଳାହାଣ୍ଡିରେ 462, ଯାଜପୁର 397, ଗଂଜାମ 339 ଓ ବଡ଼ବିଲ ଏଆରଟିଓ ଅଧୀନରେ 275 ଚାଲାଣ ଜାରି ହୋଇଛି ।
ତେବେ କେବଳ ଏନଫୋର୍ସମେଣ୍ଟ ନୁହେଁ, ସମସ୍ତ ଆରଟିଓଙ୍କ ଦ୍ୱାରା ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ମଧ୍ୟ ଗ୍ରହଣ କରାଯାଇଛି । ସଡ଼କ ଦୁର୍ଘଟଣା ହ୍ରାସର ଏହି ମହତ ଅଭିଯାନରେ ସାମିଲ ହୋଇଛି ସର୍ବଦା ସଡ଼କ ସୁରକ୍ଷା ନିୟମ ପାଲ କରିବାକୁ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଜନସାଧାରଣଙ୍କୁ ଅନୁରୋଧ କରାଯାଇଛି ।

 

Comments are closed.