Latest Odisha News

Rath Wood: ରଥଯାତ୍ରା-୨୦୨୬: ରଥକାଠ ଅନୁକୂଳ ପୂଜା ପାଇଁ ଶୁଭଦିନ ନିର୍ଘଣ୍ଟ

ପୁରୀ: ବିଶ୍ବ ପ୍ରସିଦ୍ଧ ରଥଯାତ୍ରା-୨୦୨୬ ପାଇଁ ହେବାକୁ ଥିବା ରଥକାଠ ଅନୁକୂଳ ପୂଜା ପାଇଁ ଆଜି ଶୁଭଦିନ ନିର୍ଘଣ୍ଟ ହେଇଛି । ବନଖଣ୍ତ ଅଧିକାରୀ ଦେବାର୍ଚ୍ଚନ ବେହେରାଙ୍କ ନିର୍ଦ୍ଦେଶ କ୍ରମେ ଦଶପଲ୍ଲା ବନାଞ୍ଚଳ ଅଧିକାରୀ ଶ୍ରୀନିବାସ ଦାଶ ଏବଂ ଅବସରପ୍ରାପ୍ତ ବନପାଳ ତଥା ‘ଗଣକ’ ପ୍ରଫୁଲ୍ଲ କୁମାର ଦାଶ ମା’ ବଡ଼ରାଉଳଙ୍କ ରଥକାଠ ଅନୁକୂଳ ପୂଜକ ଗଣିଆ ବ୍ରାହ୍ମଣ ଶାସନସାହି ସ୍ଥିତ ପ୍ରସନ୍ନ କୁମାର ଦାଶଙ୍କ ନିକଟରେ ପହଞ୍ଚି ପାଞ୍ଜିଗଣନା କରି ଶୁଭଦିନ ନିର୍ଦ୍ଧାରଣ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଡ଼ିସେମ୍ବର ୨୩ ଓ ୩୦ ଦୁଇଟି ତାରିଖକୁ ପାଞ୍ଜିଗଣନା କରାଯାଇ ଶୁଭଦିନ ନିର୍ଦ୍ଧାରଣ କରାଯାଇଛି । ଏଥିମଧ୍ୟରୁ ୩୦ ତାରିଖ ଦିନଟି ସର୍ବୋକୃଷ୍ଟ ରହିଥିବା ଗଣକଙ୍କ ପକ୍ଷରୁ କୁହାଯାଇଛି ।

ତେବେ ବିଶ୍ବ ନିୟନ୍ତା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥ ପାଇଁ ନୟାଗଡ଼ା ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ରଥକାଠ ଅନୁକୂଳ ପୂଜା କରାଯିବା ସହ ପ୍ରଥମ ରଥକାଠ ଯୋଗାଇ ଦିଆଯାଇଥାଏ । ଆଜି ବନାଞ୍ଚଳ ପକ୍ଷରୁ ଏହାର ପ୍ରାକ୍ ପ୍ରସ୍ତୁତି ପର୍ବ ଅନୁଷ୍ଠିତ ହୋଇଛି । ଏହି ପୂଜା ପ୍ରତିବର୍ଷ ପୈାଷମାସ ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଥାଏ ।

ପରମ୍ପରା ତଥା ରିତିନୀତି ଅନୁଯାୟୀ ନୟାଗଡ଼ ଜିଲ୍ଲା ଗଣିଆ ବଡ଼ମୂଳ ସ୍ଥିତ ମା’ବଡ଼ରାଉଳଙ୍କ ପୀଠରେ ରଥକାଠ ଅନୁକୂଳ ପୂଜା ଅନୁଷ୍ଠିତ ହେବାପରେ ପ୍ରତିବର୍ଷ ରଥକାଠ କଟାଯିବା କାର୍ଯ୍ୟ ଆରମ୍ଭ ହୋଇଥାଏ । ଆବାହମାନ କାଳରୁ ଏହି କାଠକୁ ନୟାଗଡ଼ ବନଖଣ୍ତ ଅଧୀନସ୍ଥ ଦଶପଲ୍ଲା ବନାଞ୍ଚଳରୁ ଯୋଗାଇ ଦିଆଯିବା ପରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥାଏ । ମା’ ବଡ଼ରାଉଳଙ୍କ ପୀଠରେ ମହାପ୍ରଭୁ ଜଗନ୍ନାଥଙ୍କ ଆଜ୍ଞାମାଳ ଆସି ପହଞ୍ଚିବା ପରେ ଦଶପଲ୍ଲା ବନାଞ୍ଚଳ ପକ୍ଷରୁ ଏହି ପୂଜାନୀତି ଅନୁଷ୍ଠିତ ହୁଏ ।

Comments are closed.