ଭୁବନେଶ୍ୱର: ଭୁବନେଶ୍ୱରର ବୁଦ୍ଧ ପାର୍କ ନିକଟରେ ରବିବାର ଦିନ ଦାର୍ଜିଲିଂର ଜଣେ ମହିଳାଙ୍କ ଗଳା କାଟିବା ନେଇ ଅଭିଯୋଗ ହୋଇଛି। ଯାହାପରେ ସେ ଗୁରୁତର ଆହତ ହୋଇଛନ୍ତି।
ପ୍ରାଥମିକ ସୂଚନା ଅନୁଯାୟୀ, ସକାଳେ ଚନ୍ଦ୍ରଶେଖରପୁର ଥାନା ଅଧୀନସ୍ଥ ବୁଦ୍ଧ ପାର୍କରେ ଉକ୍ତ ମହିଳା ଓ ତାଙ୍କ ପ୍ରେମିକଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା।
ଟିଙ୍କୁ ଗୁରୁମ୍ ନାମକ ବ୍ୟକ୍ତି ମହିଳାଙ୍କର ଅନ୍ୟତ୍ର ପ୍ରେମ ସମ୍ପର୍କ ଥିବା ସନ୍ଦେହ କରି ଯୁକ୍ତି ତର୍କ କରିଥିଲେ। ବଚସା ଉଗ୍ର ହେବାରୁ ଏଭଳି କାଣ୍ଡ ଘଟିଥିବା ଜଣାପଡ଼ିଛି।
ଅଭିଯୁକ୍ତ ଜଣକ ମହିଳାଙ୍କୁ ବିବାହ କରିବାକୁ ଚାହୁଁଥିବା ବେଳେ ସେ କିନ୍ତୁ ବିବାହ କରିବାକୁ ଅରାଜି ଥିବା ନେଇ ସେ ଅଭିଯୋଗ କରିଛନ୍ତି। ଯାହା ପରେ ରାଗିଯାଇ ଟିଙ୍କୁ ଏକ ଧାରୁଆ ଅସ୍ତ୍ର ବାହାର କରି ମହିଳାଙ୍କ ଗଳା କାଟି ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ସେ ଗୁରୁତର ଆହତ ହୋଇଛନ୍ତି। ସ୍ଥାନୀୟ ଲୋକମାନେ ସଙ୍ଗେ ସଙ୍ଗେ ଟିଙ୍କୁକୁ କାବୁ କରିଥିଲେ। ପରେ ଗୁରୁତର ଭାବେ ମହିଳାଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ।
ସୂଚନା ପାଇ ଚନ୍ଦ୍ରଶେଖରପୁର ପୋଲିସ ଅଭିଯୁକ୍ତକୁ ହେପାଜତରେ ନେଇ କୋର୍ଟରେ ହାଜର କରିବ ବୋଲି ଜଣାପଡ଼ିଛି। ପୋଲିସ ନିଜଆଡୁ ଏକ ମାମଲା ରୁଜୁ କରି ଯାଞ୍ଚ କରୁଛି। ଅପରପକ୍ଷରେ ଦାର୍ଜିଲିଂରେ ଥିବା ମହିଳାଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଘଟଣା ବିଷୟରେ ଅବଗତ କରାଯାଇଛି।
Comments are closed.