ବୌଦ୍ଧ: ୮୦ଫୁଟ ଉପରେ ଓ ୨୦୦ଫୁଟ ମାଟି ତଳେ ଚାଲିବ ଟ୍ରେନ । ଏଥିପାଇଁ ଖୋର୍ଦ୍ଧା-ବଲାଙ୍ଗୀର ରେଳପଥ ଜୋରସୋରରେ ଆଗେଇ ଚାଲିଛି । ଏହି ରେଳପଥରେ ଟ୍ରେନ୍ ଗଡ଼ିବା ପାଇଁ ବୌଦ୍ଧ ଜିଲ୍ଲାରେ ୪ଟି ଟନେଲ୍ ସହ କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ଦୁଇଟି ବଡ଼ ଭାୟାଡକ୍ଟ ନିର୍ମାଣ ହେଉଛି । ଟନେଲ୍ଗୁଡ଼ିକର ନିର୍ମାଣ କାମ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସମସ୍ତ ଟନେଲ୍ର ଉଭୟ ପଟକୁ ବାଟ ଫିଟିବା ସହ ବିଦ୍ୟୁତ୍ ସଂଯୋଗୀକରଣ କାର୍ଯ୍ୟ ମଧ୍ୟ ଚାଲିଛି ।
ଠିକାକମ୍ପାନୀ ପ୍ରାୟ ୫୦ ପ୍ରତିଶତ କାର୍ଯ୍ୟ ସାରିଥିବାବେଳେ ଆଉ ୫୦ପ୍ରତିଶତ କାର୍ଯ୍ୟ ଯୁଦ୍ଧକାଳୀନ ଭିତରେ ତ୍ୱରାନ୍ୱିତ ହେଉଛି । ବୌଦ୍ଧ ଜିଲ୍ଲା ପୁରୁଣାକଟକ ରେଳ ଷ୍ଟେସନଠାରୁ ତେଇସ ମାଇଲ ଷ୍ଟେସନ ଭିତରେ କରଞ୍ଜକଟା ଓ ତିଲକୂପ ଗ୍ରାମ ନିକଟରେ ଏହି ବଡ଼ ବଡ଼ ୨ଟି ଭାୟାଡ଼କ (ଉଚ୍ଚ ସମ୍ପନ୍ନ ବ୍ରିଜ) ନିର୍ମାଣ ଚାଲିଛି । ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପରେ ନୈସର୍ଗିକ ସୌନ୍ଦର୍ଯ୍ୟ ଉପଭୋଗ କରିବେ ରେଳ ଯାତ୍ରୀ l
ଗୋଟିଏର ୧କିମି ୨ଶହ ମିଟର ଓ ଅନ୍ୟଟି ୬ଶହ ମିଟର ଲମ୍ବ ରହିଛି । ପ୍ରଥମଟିରେ ୪୬ଟି ପିଲାର ଓ ଦ୍ୱିତୀୟଟିରେ ୨୦ପିଲାର ରହିଛି । ଯାହାର ଉଚ୍ଚତା ପ୍ରାୟ ୭୦ରୁ ୮୦ଫୁଟ ଉଚ୍ଚତା ହେବ । ଆଧୁନିକ ଯନ୍ତ୍ରପାତି ଓ ଉପକରଣରେ ଚାଲୁଛି ଏହି କାର୍ଯ୍ୟ l ସେପଟେ ତେଇସମାଇଲ ଷ୍ଟେସନଠାରୁ ଆଡ଼େଣି ଗଡ଼ ଭିତରେ ୪ଟି ଟର୍ନେଲ ଥିବାବେଳେ ଜଙ୍ଗଲର ୨୦୦ଫୁଟ ମାଟି ତଳେ ଗଡ଼ିବ ଟ୍ରେନ୍ l ଜୈବ ବିବିଧତା ତଥା ଜଙ୍ଗଲ ଓ ଜୀବଜନ୍ତୁଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ କରାଯାଇଛି ଏହି ଟନେଲ l ତେବେ ୨୦୨୬ ସୁଦ୍ଧା ବହୁ ପ୍ରତୀକ୍ଷିତ ଏହି ରେଳପଥ ସଂପୂର୍ଣ୍ଣ ହୋଇ ରେଳ ଗଡ଼ିବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ ।
Comments are closed.