ହାଇଦ୍ରାବାଦ: ସୟେଦ ମୁସ୍ତାକ ଅଲି ଟ୍ରଫିରେ ପଞ୍ଜାବର ଅଭିଷେକ ଶର୍ମା ବେଙ୍ଗଲ ବିପକ୍ଷରେ ବିସ୍ଫୋରକ ଶତକ ମାରିଛି । ଏହି ଇନିଂସ ଅବସରରେ ସେ ଅନେକ ରେକର୍ଡ ଧ୍ୱସ୍ତ କରିଛନ୍ତି । ଅଭିଷେକ ୫୨ ବଲରେ ୮ ଚୌକା ଓ ୧୬ ଛକା ସହାୟତାରେ ୧୪୮ ରନର ଇନିଂସ ଖେଳିଥିଲେ । ୧୨ ବଲରେ ୫ ଚୌକା ଓ ୫ଛକା ସହାୟତାରେ ସେ ଅର୍ଦ୍ଧଶତକ ହାସଲ କରିଥିଲେ । ସେ ଅଳ୍ପକେ ଟି୨୦ ଇତିହାସରେ ଦ୍ରୁତ ଅର୍ଦ୍ଧଶତକ ରେକର୍ଡ ଭାଙ୍ଗି ପାରି ନ ଥିଲେ । ନେପାଳର ଦୀପେନ୍ଦ୍ର ସିଂ ଏରୀ ମଙ୍ଗୋଲିଆ ବିପକ୍ଷରେ ୯ ବଲରେ ଅର୍ଦ୍ଧଶତକ ମାରିଥିଲେ । ଭାରତର ଆଶୁତୋଷ ଶର୍ମା ୨୦୨୩ ଏସଏମଏଟିରେ ୧୧ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଅଭିଷେକ ଓଭରାଲ ଏହି ତାଲିକାରେ ତୃତୀୟ ସ୍ଥାନରେ ରହିଛନ୍ତି ।
ଅବଶ୍ୟ ସେ ନିଜ ଆଦର୍ଶ ଯୁବରାଜ ସିଂଙ୍କ କ୍ଲବରେ ସାମିଲ ହୋଇଛନ୍ତି । ୨୦୦୭ ଟି୨୦ ବିଶ୍ୱକପରେ ଯୁବରାଜ ୧୨ ବଲରେ ଅର୍ଦ୍ଧଶତକ ମାରିଥିଲେ । ଅଭିଷେକଙ୍କ ଇନିଂସ ବଳରେ ପଞ୍ଜାବ ପ୍ରଥମେ ବ୍ୟାଟିଂ କରି ୩୧୦ ରନ କରିଥିଲା । ଏହାର ଜବାବରେ ବେଙ୍ଗଲ ୧୯୮ ରନ କରିବାକୁ ସକ୍ଷମ ହୋଇଥିଲା । ଅଭିଷେକ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ୯୧ ଛକା ମାରି ଭାରତୀୟଙ୍କ ମଧ୍ୟରେ ରେକର୍ଡ କରିଛନ୍ତି । ୧୫୭ ଇନିଂସରେ ଦ୍ୱିତୀୟ ଭାରତୀୟଙ୍କ ମଧ୍ୟରେ ୮ଶତକ ମାରିଛନ୍ତି । ସେହିପରି ତୃତୀୟ ଭାରତୀୟ ଭାବେ ୩୨ ବଲରେ ଶତକ ହାସଲ କରିଛନ୍ତି । ଟି୨୦ରେ ସେ ୧୪୮ ରନ କରି ଭାରତୀୟଙ୍କ ମଧ୍ୟରେ ବ୍ୟକ୍ତିଗତ ସର୍ବାଧିକ ରନ କରିବାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଗୋଟିଏ ଇନିଂସରେ ପ୍ରଥମ ଭାରତୀୟ ଭାବେ ସର୍ବାଧିକ ୧୬ ଛକା ମାରିଛନ୍ତି ।
Comments are closed.