ଭୁବନେଶ୍ୱର: ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ବିକାଶ ପାଇଁ ଆଫଗାନିସ୍ତାନ ରାଷ୍ଟ୍ରପତି ମହମ୍ମଦ ଅସରଫ ଘନି ଅହମ୍ମଦଜାଇ ଓ ‘ସୋଆ’ ପ୍ରତିନିଧିଙ୍କ ମଧ୍ୟରେ ଏକ ସାକ୍ଷାତ ଆଲୋଚନା ହୋଇଯାଇଛି । ଆଫଗାନିସ୍ତାନ ରାଷ୍ଟ୍ରପତିଙ୍କ ଅନୁରୋଧ କ୍ରମେ ଭାରତର ଅନ୍ୟତମ ଅଗ୍ରଣୀ ବିଶ୍ୱବିଦ୍ୟାଳୟ ‘ସୋଆ’ ପକ୍ଷରୁ ଏହାର ନିର୍ଦ୍ଦେଶକ ଡକ୍ଟର ମହେନ୍ଦ୍ର ପ୍ରସାଦ ଗତ ୧୪ ତାରିଖରେ କାବୁଲସ୍ଥିତ ରାଷ୍ଟ୍ରପତି ପ୍ରାସାଦରେ ଡକ୍ଟର ଘନିଙ୍କୁ ଭେଟି ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାରସ୍ପରିକ ବୌଦ୍ଧିକ ସହଯୋଗ ବିନିମୟ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ । ଏହି ଆଲୋଚନା ସମୟରେ ଆଫଗାନିସ୍ତାନର ଉଚ୍ଚସ୍ତରୀୟ କମିଟିର ବରିଷ୍ଠ ଅଧିକାରୀଗଣ ଉପସ୍ଥିତ ଥିଲେ ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଆଫଗାନିସ୍ତାନର ରାଷ୍ଟ୍ରପତି ଡକ୍ଟର ଘନି ୨୦୧୪ରୁ ରାଷ୍ଟ୍ରପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ତାଙ୍କର ଦ୍ୱିତୀୟ ପାଳି କାର୍ଯ୍ୟକାଳ ମଧ୍ୟରେ ସେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ତାଙ୍କ ଲିଖିତ ବହି ‘ଫିକ୍ସିଂ ଫେଲ୍ଡ ଷ୍ଟେଟ୍ସ’ରେ ଡକ୍ଟର ଘନି ଏ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଛନ୍ତି । ଡକ୍ଟର ଘନି ବର୍ତମାନ ସମୟରେ ଜଣେ ବିଚକ୍ଷଣ ରାଷ୍ଟ୍ରନୀତିଜ୍ଞ ତଥା ବିଦ୍ୱାନ ଭାବେ ପରିଗଣିତ । ସେ ରାଷ୍ଟ୍ରପତି ଦାୟିତ୍ୱ ଗ୍ରହଣ କରିବା ଆଗରୁ ବିଶ୍ୱବ୍ୟାଙ୍କ୍ର ଉଚ୍ଚ ପଦବିରେ କାର୍ଯ୍ୟ କରି ଆନ୍ତର୍ଜାତିକ ଅର୍ଥନୀତି ସମ୍ପର୍କରେ ବିଶେଷ ଜ୍ଞାନ ଅର୍ଜନ କରିଥିଲେ । ଡକ୍ଟର ଘନି ପୂର୍ବରୁ କାବୁଲ ବିଶ୍ୱବିଦ୍ୟାଳୟର ପ୍ରଫେସର ଥିଲେ ଏବଂ ଜଣେ ଅଗ୍ରଣୀ ସାମାଜିକ ନୃତତ୍ୱବିଦ୍ ଭାବେ ତାଙ୍କର ପ୍ରସିଦ୍ଧି ରହିଛି । ଆଫଗାନିସ୍ତାନକୁ ଏକ ସମୃଦ୍ଧ ଓ ସମ୍ମାନିତ ରାଷ୍ଟ୍ର ଭାବେ ଗଢ଼ି ତୋଳିବା ତାଙ୍କର ସ୍ୱପ୍ନ ବୋଲି ଡକ୍ଟର ଘନି ତାଙ୍କର ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି ।
ରାଷ୍ଟ୍ରପତି ଘନିଙ୍କ ସହ ସାକ୍ଷାତ ଆଲୋଚନା ଖୁବ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ଥିଲା ଓ ଏହାଦ୍ୱାରା ସୋଆ ବିଶ୍ୱବିଦ୍ୟାଳୟ ଉପକୃତ ହେବା ସେ ଆଶା କରନ୍ତି ବୋଲି ଡକ୍ଟର ମହେନ୍ଦ୍ର ପ୍ରସାଦ କହିଛନ୍ତି । ସୋଆର ପ୍ରତିଷ୍ଠାତା ପ୍ରଫେସର ମନୋଜ ରଞ୍ଜନ ନାୟକ ଏହି ଅନୁଷ୍ଠାନକୁ ଉଭୟ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଭାରତର ଅଗ୍ରଣୀ ଶିକ୍ଷା ଅନୁଷ୍ଠାନ ଭାବେ ଗଢ଼ିବାକୁ ସଂକଳ୍ପ ନେଇଥିବାରୁ ଆମେ ଏଥି ନିମନ୍ତେ ଆବଶ୍ୟକ ଜାତୀୟ ଓ ଅନ୍ତର୍ଜାତୀୟ ସ୍ତରର ବୌଦ୍ଧିକ ସହଯୋଗ ଲୋଡୁଥିବା ଡକ୍ଟର ମହେନ୍ଦ୍ର ପ୍ରସାଦ ସୂଚନା ଦେଇଛନ୍ତି ।
Comments are closed.