ଭୁବନେଶ୍ବର: କନଷ୍ଟେବଳ ଶୁଭମିତ୍ରା ହତ୍ୟା ମାମଲାରେ ଭୁବନେଶ୍ୱର SDJM କୋର୍ଟରେ ଚାର୍ଜସିଟ୍ ଦାଖଲ କଲା କ୍ୟାପିଟାଲ ଥାନା ପୋଲିସ। ୭୦୦ ପୃଷ୍ଠାର ଚାର୍ଜସିଟ୍ ଦାଖଲ କରିଛି ପୋଲିସ। ୪୨ ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ଏଥିରେ ଶୁଭମିତ୍ରାଙ୍କ ସ୍ବାମୀ କନଷ୍ଟେବଳ ଦୀପକ ରାଉତଙ୍କୁ ମୁଖ୍ୟ ଅଭିଯୁକ୍ତ ଦର୍ଶାଯାଇଛି। ଦୀପକଙ୍କ ସମ୍ପର୍କୀୟ ଭାଇ ବିନୋଦ ଓ ଜଟିଆକୁ ମଧ୍ୟ ଅଭିଯୁକ୍ତ ଦର୍ଶାଯାଇଛି।
ସୂଚନା ଥାଉକି, ଶୁଭମିତ୍ରାଙ୍କୁ ତଣ୍ଟି ଚିପି ହତ୍ୟା କରିଥିଲା ଦୀପକ। ବୀମା ଓ ଅର୍ଥ ଟଙ୍କା ଫେରସ୍ତ ମାଗିବାରୁ ହତ୍ୟା କରିଥିଲା। ହତ୍ୟା ପରେ ମୃତଦେହକୁ ବିନୋଦ ଓ ଜଟିଆ ସହାୟତାରେ ମାଟି ତଳେ ପୋତି ଦେଇଥିଲା। ଶୁଭମିତ୍ରାଙ୍କ ପୋଷ୍ଟମୋର୍ଟମ ରିପୋର୍ଟ, ଡିଏନଏ ରିପୋର୍ଟ, କୋର୍ଟ ମ୍ୟାରେଜ୍ ସାର୍ଟିଫିକେଟ, ଇନସ୍ୟୁରାନସ କାଗଜପତ୍ର ଆଦି ଅନେକ ଦସ୍ତାବିଜ୍ ମଧ୍ୟ ଦାଖଲ ହୋଇଛି। ଦୋଷୀ ସାବ୍ୟସ୍ତ ପାଇଁ ଦୀପକ ସମେତ ଅନ୍ୟ ତିନି ଜଣକ ବିରୋଧରେ ବଳିଷ୍ଠ ପ୍ରମାଣ ରହିଛି। ଏବେ ମାମଲାର କୋର୍ଟରେ ହେବ ଟ୍ରାଏଲ୍।
ଅଭିଯୁକ୍ତ ଦୀପକ ରାଉତ ଓ ଶୁଭମିତ୍ରାଙ୍କ ବିବାହ ପରେ ଦୀପକର ଆକାଉଣ୍ଟ ଉପରେ ଥିଲା ଶୁଭମିତ୍ରାଙ୍କ ଆଖି। ପ୍ରଥମ ପତ୍ନୀଙ୍କ ସନ୍ଦେହଜନକ ମୃତ୍ୟୁ ପରେ ଇନସ୍ୟୁରାନ୍ସ ବାବଦକୁ ପ୍ରାୟ ୧ କୋଟି ୨୫ ଲକ୍ଷ ଟଙ୍କା ପାଇଥିଲା ଦୀପକ। ଶୁଭମିତ୍ରା ସେହି ଟଙ୍କାରୁ ୨୦ ଲକ୍ଷ ମାଗୁଥିଲେ ବୋଲି ଦୀପକ କହିଥିବା ବେଳେ, ହ୍ୱାଟ୍ସଆପ୍ ଚାଟିଂରୁ ସ୍ପଷ୍ଟ ହୋଇଥିଲା ୨୦ଲକ୍ଷ ଟଙ୍କା ଶୁଭମିତ୍ରା ଦୀପକକୁ ଦେଇଥିଲା। ସେପ୍ଟେମ୍ବର ୬ ତାରିଖରେ ଶୁଭାମିତ୍ରା ନିଖୋଜ ଥିବା ନେଇ ପରିବାର ପକ୍ଷରୁ କ୍ୟାପିଟାଲ ଥାନାରେ ମାମଲା ହୋଇଥିଲା।