ନୂଆଦିଲ୍ଲୀ: ଛାଡପତ୍ର ପରେ ମହିଳାମାନେ ଫେରି ପାଇବେ ଦେଇଥିବା ଯୌତୁକ। ମଙ୍ଗଳବାର ଦିନ ସୁପ୍ରିମକୋର୍ଟ ଛାଡପତ୍ର ଏବଂ ଯୌତୁକ ଉପରେ ଏକ ଐତିହାସିକ ରାୟ ଦେଇଛନ୍ତି। କୋର୍ଟ ରାୟ ଦେଇଛନ୍ତି ଯେ ଜଣେ ଛାଡପତ୍ରପ୍ରାପ୍ତ ମୁସଲିମ ମହିଳା ବିବାହ ସମୟରେ ତାଙ୍କ ସ୍ବାମୀଙ୍କ ଘରକୁ ନେଇଥିବା ଯୌତୁକ ଯଥା- ନଗଦ ଟଙ୍କା, ସୁନା, ଅଳଙ୍କାର ଏବଂ ଅନ୍ୟାନ୍ୟ ଉପହାରକୁ ଫେରି ପାଇପାରିବେ। କୋର୍ଟ ଏହି ଉପହାରଗୁଡ଼ିକୁ ମହିଳାଙ୍କ ନିଜସ୍ବ ସମ୍ପତ୍ତି ଭାବରେ ଘୋଷଣା କରିଛନ୍ତି।
ବିବାହ ବିଛେଦ ହେବା ପରେ ସେଗୁଡ଼ିକୁ ତାଙ୍କୁ ଫେରାଇ ଦିଆଯିବ। ଜଷ୍ଟିସ୍ ସଞ୍ଜୟ କାରୋଲ ଏବଂ ଏନ. କୋଟିଶ୍ୱର ସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ ଏହି ଶୁଣାଣି କରିଛନ୍ତି । ମୁସଲିମ ମହିଳା (ଛାଡପତ୍ର ଉପରେ ଅଧିକାର ସୁରକ୍ଷା) ଆଇନ, ୧୯୮୬ର ବ୍ୟବସ୍ଥାଗୁଡ଼ିକୁ କେବଳ ଏକ ନାଗରିକ ବିବାଦ ଦୃଷ୍ଟିକୋଣରୁ ଦେଖାଯିବା ପରିବର୍ତ୍ତେ ସମାନତା ଏବଂ ସ୍ୱାୟତ୍ତତାର ସାମ୍ବିଧାନିକ ପ୍ରତିଶ୍ରୁତି ପୂରଣ କରିବା ପାଇଁ ବ୍ୟାଖ୍ୟା କରାଯିବା ଉଚିତ।
ପୀଠ ତାଙ୍କ ରାୟରେ କହିଛନ୍ତି ଯେ ଛାଡପତ୍ର ପାଇଥିବା ମୁସଲିମ ମହିଳାଙ୍କ ଅଧିକାରକୁ ସୁରକ୍ଷା ଦେଉଥିବା ୧୯୮୬ ର ଆଇନ ସମାନତା, ମର୍ଯ୍ୟାଦା ଏବଂ ସ୍ୱାୟତ୍ତତାକୁ ପ୍ରାଥମିକତା ଦେବା ଉଚିତ, ଏବଂ ମହିଳାମାନଙ୍କ ଅଭିଜ୍ଞତାକୁ ମଧ୍ୟ ବିଚାରକୁ ନେବା ଉଚିତ। କାରଣ ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ପିତୃସତ୍ତ୍ୱା ଭେଦଭାବ ଏବେ ବି ରହିଛି।
ଏହି ମାମଲା ପଶ୍ଚିମବଙ୍ଗର ରୋଶନାରା ବେଗମଙ୍କ ସହିତ ଜଡିତ । ଯିଏ ଅଗଷ୍ଟ ୨୦୦୫ରେ ବିବାହ କରିଥିଲେ। ବିବାହର କିଛି ଦିନ ପରେ ଉଭୟ ଦମ୍ପତ୍ତିଙ୍କ ସମ୍ପର୍କ ଖରାପ ହୋଇଗଲା। ଫଳରେ ସେ ମେ ୨୦୦୯ ରେ ସେ ତାଙ୍କ ଶ୍ୱଶୁର ଘର ଛାଡି ତାଙ୍କ ବାପାମାଆଙ୍କ ଘରକୁ ଆସି ରହିବାକୁ ଲାଗିଲେ। ପରେ ଡିସେମ୍ବର ୨୦୧୧ ରେ ଛାଡପତ୍ର ଦାୟର କରାଯାଇଥିଲା । ଛାଡପତ୍ର ପରେ ୧୯୮୬ ଆଇନର ଧାରା ୩ ଅନୁଯାୟୀ ମହିଳା ଜଣଙ୍କ ୧୭,୬୭,୯୮୦ ନଗଦ ଟଙ୍କା ଏବଂ ୩୦ ଭରି ସୁନା ଅଳଙ୍କାର ଫେରସ୍ତ କରିବା ପାଇଁ ଦାବି କରିଥିଲେ।