ରାଂଚୀ: ଭାରତର ପୂର୍ବତନ କ୍ରିକେଟର ଓ କୋଚ ରବି ଶାସ୍ତ୍ରୀଙ୍କ ଏକ ବୟାନ ହେବେ ଭାଇରାଲ ହେବାରେ ଲାଗିଛି । ସେ ଏକ ସାକ୍ଷାତକାରରେ କହିଛନ୍ତି ଯେଉଁମାନେ ଉଦ୍ଦେଶ୍ୟମୂଳକ ଭାବେ ଦୁଇ ମହାନ ଖେଳାଳି ବିରାଟ କୋହଲି ଓ ରୋହିତ ଶର୍ମାଙ୍କୁ ହଇରାଣ କରୁଛନ୍ତି ସେମାନେ ନିଜେ ହଜିଯିବେ । ଧଳାବଲ କ୍ରିକେଟରେ ଏମାନଙ୍କଠାରୁ ଆଉ କିଏ ବଡ ଖେଳାଳି ଅଛନ୍ତି କି ? ସେମାନେ ଏହି ଫର୍ମାଟର ଦାଦା । ଅଯଥା ସେମାନଙ୍କୁ ହଇରାଣ କରନ୍ତୁ ନାହିଁ । ସେମାନଙ୍କ ମୁଣ୍ଡ ବିଗିଡିଗଲେ ବହୁତ କିଛି ହୋଇଯିବ । ତୁମମାନଙ୍କ ପତା ମିଳିବ ନାହିଁ । ଏହି ଅବସରରେ ଉଭୟ ୨୦୨୭ ଦିନିକିଆ ବିଶ୍ୱକପ ଖେଳିବାରେ କୌଣସି ଅସୁବିଧା ନାହିଁ ବୋଲି କହିଥିଲେ । ସେମାନଙ୍କ ନିକଟରେ ଅଭିଜ୍ଞତା ଅଛି । ଆଉ ଏହା ବଜାରରେ ବିକ୍ରି ହୁଏନି ।
ଶାସ୍ତ୍ରୀ ସିଧାସଳଖ ନାମ ନ ନେଇଥିଲେ ମଧ୍ୟ କୋଚ ଗୌତମ ଗମ୍ଭୀର ଓ ଚୟନ କମିଟି ମୂଖ୍ୟ ଅଜିତ ଅଗରକରଙ୍କ ଉଦ୍ଦେଶ୍ୟରେ ସେ ଏହା କହିଥିବା ଅନୁମାନ କରାଯାଉଛି । କୋହଲି ଦକ୍ଷିଣ ଆଫ୍ରିକା ବିପକ୍ଷରେ କ୍ରମାଗତ ୨ଟି ଶତକ ମାରି ସମାଲୋଚକଙ୍କ ମୁହଁ ବନ୍ଦ କରିଛନ୍ତି । ରୋହିତ ଅଷ୍ଟ୍ରେଲିଆ ବିପକ୍ଷରେ ଶତକ ହାସଲ କରିଥିବା ବେଳେ ଚଳିତ ସିରିଜରେ ଗୋଟିଏ ଅର୍ଦ୍ଧଶତକ ମାରିଛନ୍ତି । କୋହଲି ବିଜୟ ହଜାରେ ଟ୍ରଫି ଖେଳିବା ପାଇଁ ରାଜି ହୋଇଛନ୍ତି । ସେହିପରି ରୋହିତ ବିଜୟ ହଜାରେ ଏବଂ ସୟେଦ ମୁସ୍ତାକ ଅଲୀ ଟ୍ରଫିରେ ଖେଳିବେ ବୋଲି ଜଣାପଡିଛି ।