ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱୀନଙ୍କ ଏକ ପୋଷ୍ଟ ଏବେ ଚର୍ଚ୍ଚାର କାରଣ ସାଜିଛି । ଅଶ୍ୱୀନ ଆଗାମୀ ୨୦୨୭ ଦିନିକିଆ ବିଶ୍ୱକପ ପାଇଁ ଭାରତର ଶ୍ରେଷ୍ଠ ୪ ଜଣଙ୍କ ନାମ ଲେଖିଥିଲେ । ଏଥିରେ ରୋହିତ ଶର୍ମା, ବିରାଟ କୋହଲି, ରିତୁରାଜ ଗାଏକ୍ୱାଡ ଓ ଶ୍ରେୟାଶ ଆୟାରଙ୍କ ନାମ ରଖିଛନ୍ତି । ଅଶ୍ୱୀନ ଟିମ ଇଣ୍ଡିଆର ଅଧିନାୟକ ଶୁଭମନ ଗିଲଙ୍କ ନାମ ରଖି ନ ଥିଲେ । ଅବଶ୍ୟ କିଛି ସମୟ ପରେ ଅଶ୍ୱୀନ ତାଙ୍କ ଭୁଲ ବୁଝି ପାରିଥିଲେ । ସେ ପରେ ଲେଖିଥିଲେ ମୁଁ ଗିଲଙ୍କ ନାମ ଭୁଲି ଯାଇଥିଲି । ସୋସିଆଲ ମିଡିଆରେ ଏହି ପୋଷ୍ଟକୁ ନେଇ ବିତର୍କ ଆରମ୍ଭ ହୋଇ ଯାଇଥିଲା ।
କେତେକ ଏହାକୁ ପ୍ରଶଂସା କରୁଥିବା ବେଳେ ଅନ୍ୟମାନେ ଗିଲଙ୍କ ଅନୁପସ୍ଥିତି ବଡ କଥା ନୁହେଁ ବୋଲି କହିଥିଲେ । ଆଘାତ ସମସ୍ୟା ଯୋଗୁ ଗିଲ ଏବେ ଜାତୀୟ ଦଳରେ ସାମିଲ ନାହାନ୍ତି । ଅଶ୍ୱୀନ ଜାଣିଶୁଣି ଏହା ଲେଖିଛନ୍ତି ବୋଲି ଆଉ କେତେକ ୟୁଜର୍ସ ଲେଖିଛନ୍ତି । ଗିଲ ଓ ଆୟାର ଏବେ ସମ୍ପୂଣ୍ର ଭାବେ ଫିଟ ନାହାନ୍ତି । ଗିଲଙ୍କ ଅନୁପସ୍ଥିତିରେ କେଏଲ ରାହୁଲ ଦିନିକିଆ ଦଳର ଅଧିନାୟକ ଦାୟିତ୍ୱ ତୁଲାଉଛନ୍ତି ।