କଟକର ବାରବାଟୀ ଷ୍ଟାଡିୟମକୁ ଫେରିଛି ଆନ୍ତର୍ଜାତୀୟ ଟି୨୦ ମୁକାବିଲା । ସବୁ କିଛି ପ୍ରସ୍ତୁତି ହୋଇଛି ଶେଷ । ଡିସେମ୍ବର ୯ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ହେବାକୁ ଥିବା ଟି୨୦ ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ଚଳିତ ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜରେ ଭାରତ ଟେଷ୍ଟ ସିରିଜ ହାତଛଡା କରିବା ପରେ ଦିିନିକିଆ ମୁକାବିଲାରେ ବିଜୟ ସହ ମଧୂର ପ୍ରତିଶୋଧ ନେଇଛି । ସୂର୍ଯ୍ୟକୁମାର ଯାଦବଙ୍କ ନେତୃତ୍ୱରେ ଭାରତ ଟି୨୦ରେ ଚମତ୍କାର ପ୍ରଦର୍ଶନ ଜାରୀ ରଖିଛି । ୨୨ ମ୍ୟାଚରେ ସେ ଦଳର ନେତୃତ୍ୱ ନେଇଥିବା ବେଳେ ମାତ୍ର ୨ଟିରେ ପରାଜିତ ହୋଇଛନ୍ତି । ବାରବାଟୀରେ ଦକ୍ଷିଣ ଆଫ୍ରିକାର ରେକର୍ଡ ନେଇ ଟିମ ଇଣ୍ଡିଆ ସାମାନ୍ୟ ଚିନ୍ତାରେ ରହିଛି । ଏଠାରେ ଓଭରାଲ ୩ଟି ଆନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ୨ଟି ଏବଂ ଶ୍ରୀଲଙ୍କା ବିରୋଧରେ ଗୋଟିଏ ମ୍ୟାଚ ଖେଳାଯାଇଛି । ଦକ୍ଷିଣ ଆଫ୍ରିକା ବିପକ୍ଷରେ ଭାରତ ୨ଟି ଯାକ ମୁକାବିଲାରେ ପରାଜିତ ହୋଇଛି । ଅବଶ୍ୟ ଶ୍ରୀଲଙ୍କା ବିପକ୍ଷରେ ବିଜୟୀ ହୋଇଛି ।
୨୦୧୫ ଅକ୍ଟୋବାର ୫ରେ ଖେଳା ଯାଇଥିବା ପ୍ରଥମ ଟି୨୦ରେ ଭାରତ ୧୭.୨ ଓଭରରେ ୯୨ ରନ କରି ଅଲଆଉଟ ହୋଇ ଯାଇଥିଲା । ରୋହିତ ଶର୍ମା ୨୨ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ୧୭.୧ ଓଭରରେ ୪ ୱିକେଟ ହରାଇ ବିଜୟୀ ହୋଇଥିଲା । ଜେପି ଡୁମିନର ୩୦ ରନ କରି ଦଳର ବିଜୟରେ ମୂଖ୍ୟ ଭୂମିକା ଗ୍ରହଣ କରିଥିଲେ । ଭାରତର ଖରାପ ପ୍ରଦର୍ଶନ ନେଇ ଏହି ମ୍ୟାଚରେ ଦର୍ଶକ ବାଧା ସୃଷ୍ଟି କରିଥିଲେ । ପରେ ସୁରକ୍ଷାକର୍ମୀ ଓ ଓସିଏ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ହସ୍ତକ୍ଷେପ ପରେ ମ୍ୟାଚ ଚାଲୁ ହୋଇଥିଲା ।
ଦ୍ୱିତୀୟ ଟି୨୦ ୨୦୧୭ ଡିସେମ୍ବର ୨୦ରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳା ଯାଇଥିଲା । ପ୍ରଥମେ ବ୍ୟାଟିଂ କରି ଭାରତ ୨୦ ଓଭରରେ ୩ ୱିକେଟ ହରାଇ ୧୮୦ ରନ କରିଥିଲା । ଲୋକେଶ ରାହୁଲ ୪୮, ମହେନ୍ଦ୍ର ସିଂ ଧୋନୀ ୩୯ ଓ ମନୀଷ ପାଣ୍ଡେ ୩୭ ରନ କରିଥିଲେ । ଶ୍ରୀଲଙ୍କା ୧୬ ଓଭରରେ ୮୭ ରନ କରି ଅଲଆଉଟ ହୋଇ ଯାଇଥିଲା । ୟୁଜଭେନ୍ଦ୍ର ଚହଲ ୪ଟି ଓ ହାର୍ଦ୍ଦିକ ପାଣ୍ଡ୍ୟା ୩ଟି ୱିକେଟ ନେଇଥିଲେ ।
ତୃତୀୟ ଟି୨୦ ୨୦୨୨ ଜୁନ ୧୨ରେ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୨୦ ଓଭରରେ ୬ ୱିକେଟ ୧୪୮ ରନ କରିଥିଲା । ଶ୍ରେୟାଶ ଆୟାର ୪୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୬ ୱିକେଟ ହରାଇ ବିଜୟୀ ହୋଇଥିଲା । ହେନରିକ କ୍ଲାସେନ ୮୧ ରନ କରି ଏକତରଫା ଦଳକୁ ବିଜୟୀ କରାଇଥିଲେ ।