ଭୁବନେଶ୍ୱର: ରାଜଗାଙ୍ଗପୁର ଅଞ୍ଚଳରେ ଜଣେ କଲେଜ ଛାତ୍ରୀ ଆତ୍ମହତ୍ୟା କରିବା ପରେ ତାଙ୍କ ମୃତ୍ୟୁ ଘଟଣାରେ ଓଡ଼ିଶା ସରକାରଙ୍କୁ ଟାର୍ଗେଟ କରିଛନ୍ତି ବିଜୁ ଜନତା ଦଳ ସଭାପତି ନବୀନ ପଟ୍ଟନାୟକ। ଏଥିସହିତ ପିଡିତାଙ୍କୁ ନ୍ୟାୟ ପ୍ରଦାନ ଏବଂ ଅପରାଧୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।
ସେ ସୋସିଆଲ ମିଡିଆରେ ପୋଷ୍ଟ କରି କହିଛନ୍ତି ଯେ, ରାଜଗାଙ୍ଗପୁର ଲାଞ୍ଜିବେର୍ଣ୍ଣାରେ ନିଆଁରେ ଜଳି କଲେଜ ଛାତ୍ରୀ ପ୍ରାଣ ହରାଇବା ଘଟଣା ଅତ୍ୟନ୍ତ ହୃଦୟ ବିଦାରକ। ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇବା ସହ ଛାତ୍ରୀଙ୍କ ଅମର ଆତ୍ମାର ସଦଗତି କାମନା କରୁଛି। ତେବେ ତାଙ୍କୁ ଜୀବନରୁ ମାରିଦେବା ପାଇଁ ପୂର୍ବରୁ ଧମକ ମିଳିଥିବା ନେଇ ପରିବାର ଲୋକେ କହିବା ପରେ ବି ସରକାରଙ୍କ ନିଷ୍କ୍ରିୟତା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ସରକାର କେତେ ଆଉ ନିରୀହ ଜୀବନ ଏପରି ଜଳିବାକୁ ଛାଡ଼ିଦେବେ? ଓଡ଼ିଶାରେ ବଢୁଥିବା ଏହିପରି ଘଟଣାକୁ ରୋକିବା ଦିଗରେ ସରକାରଙ୍କ ଉଦାସୀନତା ଅପରାଧୀଙ୍କ ସାହସ ବଢ଼ାଉଛି। ଲୋକେ ଅସୁରକ୍ଷିତ ହେଉଛନ୍ତି, ଅପରାଧୀମାନେ ଖୁଲମଖୋଲା ବୁଲୁଛନ୍ତି। ସରକାର ସୁରକ୍ଷା କାହାକୁ ଦେଉଛନ୍ତି? ରାଜ୍ୟରେ ଆଇନଶୃଙ୍ଖଳା ବ୍ୟବସ୍ଥା ସଜାଡ଼ିବା ଦିଗରେ ସରକାର କଠୋର ହୁଅନ୍ତୁ। ଲୋକଙ୍କୁ ନ୍ୟାୟ ମିଳୁ, ଅପରାଧୀଙ୍କ ଉପରେ ତୁରନ୍ତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ସେ ଦାବି କରିଛନ୍ତି।
ଅପରପକ୍ଷରେ ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି।