କଟକ: କଟକବାସୀଙ୍କ ପାଇଁ ଗୌରବର ଆଣିଛନ୍ତି ବିଦ୍ୟାଧରପୁର ନିବାସୀ ଶୀତଲ ସ୍ନିଗ୍ଧା ମହାରଣା। କୌନ୍ ବନେଗା କରୋଡ଼ପତି ୧୭ର ସଦ୍ୟତମ ଏପିସୋଡ୍ କଟକ ଝିଅ ଶୀତଲଙ୍କ ଆଗମନ ସହିତ ଆରମ୍ଭ ହୋଇଛି। ଶୀତଲ ବର୍ତ୍ତମାନ ତାଙ୍କ ପାଠପଢ଼ା ଜାରି ରଖିଛନ୍ତି। ହୋଷ୍ଟ ଅମିତାଭ ବଚ୍ଚନ ତାଙ୍କୁ ସ୍ୱାଗତ କରି କହିଛନ୍ତି ଯେ ଏହା ପ୍ରଥମ ଥର ପାଇଁ ସେ “ଉଦ୍ଭିଦ ରୋଗବିଜ୍ଞାନ” ଶବ୍ଦଟି ଶୁଣିଛନ୍ତି ଏବଂ “ରୋଗବିଜ୍ଞାନ” ଶବ୍ଦଟି ସାଧାରଣତଃ ରକ୍ତ ପରୀକ୍ଷାକୁ ମନେ ପକାଇଥାଏ। ସେ ଶୀତଲଙ୍କ ଫ୍ରିଞ୍ଜ ହେୟାରଷ୍ଟାଇଲ୍କୁ ପ୍ରଶଂସା କରିଛନ୍ତି ଏବଂ ତାଙ୍କୁ ସୁନ୍ଦର ବୋଲି କହିଛନ୍ତି।
ତା’ପରେ ସେ ଶୀତଲଙ୍କୁ ତାଙ୍କ ପ୍ରେମ ଜୀବନ ବିଷୟରେ ପଚାରନ୍ତି, ବିଭିନ୍ନ କଥା କଗି ମଜା ମଧ୍ୟ କରନ୍ତି। ଅନ୍ୟପଟେ ଅମିତାଭ ବଚ୍ଚନଙ୍କୁ ଓଡ଼ିଶୀ ନୃତ୍ୟର ପୋଜ୍ ଶିଖାଇଲେ ଶୀତଲ। ତେବେ ଏହି ଲୋକପ୍ରିୟ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ କୌନ୍ ବନେଗା କରୋଡ଼ପତିରେ ଶୀତଲ ଅଂଶଗ୍ରହଣ କରି ୧୨.୫ ଲକ୍ଷ ଟଙ୍କାର ଅର୍ଥରାଶି ଜିତିଛନ୍ତି। ସେ ବର୍ତ୍ତମାନ ହରିୟାଣାର ହିସାରରେ ଥିବା ଚୌଧୁରୀ ଚରଣ ସିଂହ କୃଷି ବିଶ୍ୱବିଦ୍ୟାଳୟରେ ଉଦ୍ଭିଦ ରୋଗ ବିଜ୍ଞାନରେ ସ୍ନାତକୋତ୍ତର କରୁଛନ୍ତି। ଶୀତଲ ୧୨ଟି ପ୍ରଶ୍ନର ଠିକ ଉତ୍ତର ଦେଇଥିଲେ। ଶୋ’ରେ ତାଙ୍କର ସ୍ଥିରତା, ଧୀର ସ୍ୱଭାବ, ମେଧାଶକ୍ତିକୁ ଦର୍ଶକ ଓ ଅମିତାଭ ବଚ୍ଚନଙ୍କୁ ମଧ୍ୟ ମୁଗ୍ଧ କରିଥିଲା। ସେ ତାଙ୍କ ପୁରସ୍କାର ରାଶିକୁ ଆଗାମୀ ଅଧ୍ୟୟନ ଓ ପରିବାର ସହଯୋଗରେ ବ୍ୟୟ କରିବାକୁ ଯୋଜନା କରୁଛନ୍ତି।