ଭୁବନେଶ୍ବର: ପରଲୋକରେ ଓଡ଼ିଶାର ଜଣାଶୁଣା ଚଳଚ୍ଚିତ୍ର ପ୍ରଯୋଜକ ରବୀନ୍ଦ୍ରନାଥ ସାହୁ । ଆଜି ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୧ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘଦିନ ଧରି ଚିକିତ୍ସାଧୀନ ଥିଲେ । ତାଙ୍କର ଧର୍ମପତ୍ନୀ, ୫ ପୁଅ ଓ ଜଣେ ଝିଅ ଅଛନ୍ତି ।
ଶ୍ରୀବଳଦେବଜୀଉ ପ୍ରଡକସନ୍ ବ୍ୟାନରରେ ୧୯୮୭ରେ ମୁକ୍ତିଲାଭ କରିଥିଲା ପ୍ରଯୋଜକ ରବୀନ୍ଦ୍ର ମୋହନ ସାହୁଙ୍କ ପ୍ରଯୋଜିତ ପ୍ରଥମ ଓଡ଼ିଆ ଛବି ‘ଏଇ ତ ଦୁନିଆଁ’। ମହମ୍ମଦ ମହସୀନ୍ ଏହି ସିନେମାର ନିର୍ଦ୍ଦେଶନା ଦାୟିତ୍ବ ବହନ କରିଥିଲେ । ଏଥିରେ ମୁଖ୍ୟ ଭୂମିକାରେ ବିଜୟ ମହାନ୍ତି, ଉତ୍ତମ ମହାନ୍ତି, ଅଜିତ ଦାସ, ମିହିର ଦାସ,ମହମ୍ମଦ ମହସୀନ୍, ଅନୀତା ଦାସ, ଅପରାଜିତା, ଜୟୀ, ଦେବୁ ବୋଷ ଓ ନରି ପ୍ରମୁଖ ଅଭିନୟ କରିଥିଲେ । ଡାକ୍ତର ସୁବୋଧ ପଟ୍ଟନାୟକ ଏହାର ସଂଳାପ ରଚନା କରିଥିବା ବେଳେ ଚିରସବୁଜ ଅକ୍ଷୟ ମହାନ୍ତି ଥିଲେ ଏହାର ସଂଗୀତ ନିର୍ଦ୍ଦେଶକ।
ଏହାପରେ ରବୀନ୍ଦ୍ର ମୋହନ ସାହୁ ‘ବସ୍ତ୍ରହରଣ, ବୋହୂ ହେବ ଏମିତି, ପାଚେରି ଉଠିଲା ମଝି ଦୁଆରୁ, ନାଗପଞ୍ଚମୀ, ମଣି ନାଗେଶ୍ବରୀ, ଶାଶୁ ହାତକଡ଼ି ଭାଉଜ ବେଡ଼ି, କୁଳନନ୍ଦନ, ରସିକନାଗର ଓ ‘ଆଲୋ ମୋର କଣ୍ଢେଇ’ ଆଦି ଓଡ଼ିଆ ଛବି ଦର୍ଶକଙ୍କୁ ଭେଟି ଦେଇଥିଲେ। ସେ ଏକାଧାରାରେ ପ୍ରଜୋଯକ ସହ ଜଣେ ଅଭିନେତା, କାହାଣୀକାର ଓ ଗୀତିକାର ମଧ୍ୟ । ସେ ବିଶିଷ୍ଟ ବ୍ୟବସାୟୀ ଭାବେ ମଧ୍ୟ ବେଶ ପରିଚିତ ।
୮୦ ଦଶକରେ ରବୀନ୍ଦ୍ର ମୋହନ ସାହୁ ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇ ଥରେ କେନ୍ଦ୍ରାପଡ଼ା ପୌରପାଳିକାର କାଉନସିଲର୍ ଭାବେ ନିର୍ବାଚିତ ହୋଇଥିଲେ । ରବୀନ୍ଦ୍ର ମୋହନ ସାହୁଙ୍କ ବିୟୋଗରେ ସମଗ୍ର ଓଲିଉଡ ଜଗତ ସହ ରାଜନୈତିକ ଜଗତରେ ଶୋକର ଛାୟା ଖେଳିଯାଇଛି । ଓଡ଼ିଆ ସିନେଜଗତ ପ୍ରତି ତାଙ୍କର ଅବଦାନ ଅତୁଳନୀୟ ।