Best Woman Parliamentarian Award: ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ମିଳିଲା ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର
ନୂଆଦିଲ୍ଲୀ: ଓଡ଼ିଶାର ବିଜେପି ସାଂସଦ ସଙ୍ଗୀତା ସିଂହ ଦେଓଙ୍କୁ ବର୍ଷର ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର (ଲୋକସଭା) ପ୍ରଦାନ କରାଯାଇଛି। ଲୋକମତ ତରଫରୁ ୨୦୨୪-୨୫ ବର୍ଷ ପାଇଁ ନୂଆଦିଲ୍ଲୀରେ ବଲାଙ୍ଗୀର ସାଂସଦ ସଙ୍ଗୀତା କୁମାରୀ ସିଂହଦେଓଙ୍କୁ ଶ୍ରେଷ୍ଠ ମହିଳା ସାଂସଦ ପୁରସ୍କାର (Best Woman Parliamentarian Award) ପ୍ରଦାନ କରାଯାଇଛି। ସଂଗୀତା କୁମାରୀ ସିଂ ଦେଓ ଓଡିଶା ମାଟିର ଭାରତୀୟ ଜନତା ପାର୍ଟିରୁ ଜଣେ ସୁନାମଧନ୍ୟ ଓ ଜଣାଶୁଣା ରାଜନୀତିଜ୍ଞ। ସେ ବର୍ତ୍ତମାନ ବଲାଙ୍ଗୀରରୁ ଲୋକସଭା ସଦସ୍ୟା ଭାବରେ ପଞ୍ଚମ ଥର ମନୋନୀତ ହୋଇଛନ୍ତି। ସମୟ କ୍ରମେ ଓଡିଶାବାସୀ ଓ ତାଙ୍କ ଅଞ୍ଚଳର ବିକାଶ ଏବଂ ଜାତୀୟ ସ୍ତରରେ ବିଭିନ୍ନ ଯୋଜନାରେ ତାଙ୍କର ଅବଦାନ ପ୍ରଶଂସା ଯୋଗ୍ୟ।
ସଂଗୀତା ସିଂ ଦେଓଙ୍କ ଜନ୍ମ ଡିସେମ୍ବର ୩ ତାରିଖ ୧୯୬୧ ମସିହାରେ ହୋଇଥିଲା। ସେ ରାଜନୀତି ବିଜ୍ଞାନରେ ସ୍ନାତକ ଏବଂ କମ୍ପ୍ୟୁଟରରେ ମଧ୍ୟ ଡିପ୍ଲୋମା କରିଛନ୍ତି। ସଂଗୀତା ଜଣେ ବହୁମୁଖୀ ପ୍ରତିଭାର ଅଧିକାରିଣୀ। ସେ ଏକାଧାରାରେ ଜଣେ ସମାଜ ସେବୀ, ରାଜନୀତିଜ୍ଞ ଏବଂ ଲୋକପ୍ରିୟ ନେତ୍ରୀ ମଧ୍ୟ। ସଂଗୀତା ସିଂ ଦେଓ ଲୋକପ୍ରିୟ ରାଜନୀତିଜ୍ଞ ଓ ବର୍ତ୍ତମାନର ଉପ-ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂ ଦେଓଙ୍କୁ ବିବାହ କରିଛନ୍ତି।
ସଂଗୀତା ସବୁବେଳେ ଲୋକସଭାରେ ନିଜ ଜିଲ୍ଲା ବଲାଙ୍ଗୀରବାସୀ ତଥା ଓଡିଶାବାସୀଙ୍କ ପାଇଁ ସ୍ୱର ଉତ୍ତୋଳନ କରି ଆସିଛନ୍ତି। ସେ ଜଣେ ଦୂର ଦୃଷ୍ଟି ସମ୍ପର୍ଣ ରାଜନେତ୍ରୀ ଅଟନ୍ତି। ଲୋକ ସଭାର ବିଭିନ୍ନ ଡିବେଟରେ ଅଂଶ ଗ୍ରହଣ କରିବା ସହିତ ନିଜ ଅଞ୍ଚଳ ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଶ୍ରମିକମାନଙ୍କର ବିକାଶ ପାଇଁ ନିଜର ପକ୍ଷ ରଖି ଥାଆନ୍ତି। କେନ୍ଦ୍ରୀୟ ମନ୍ତ୍ରୀ, ପୂର୍ବତନ ବିଚାରପତି, ପ୍ରମୁଖ ସାଂସଦ ଏବଂ ଗଣମାଧ୍ୟମ ବ୍ୟକ୍ତିତ୍ୱଙ୍କ ଉପସ୍ଥିତିରେ ଏକ ସମାରୋହରେ ସେ ଭାରତର ପୂର୍ବତନ ମୁଖ୍ୟ ବିଚାରପତି ବି.ଆର୍. ଗଭାଇଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଥିଲେ।