ନୂଆଦିଲ୍ଲୀ: ବେଟିଂ ଆପ୍ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)ର ବଡ ଚଢାଉ । 1X ବେଟିଂ ଆପ୍ ମାମଲାରେ ୭ ଜଣଙ୍କ ସମ୍ପତ୍ତି ଜବତ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ସେମାନେ ହେଲେ ପୂର୍ବତନ କ୍ରିକେଟର ଯୁବରାଜ ସିଂହ, ରବିନ ଉଥାପ୍ପା, ବଲିଉଡ ପ୍ରସିଦ୍ଧ ଅଭିନେତା ସୋନୁ ସୁଦ, ଅଭିନେତ୍ରୀ ଉର୍ବଶୀ ରୌଟେଲା, ଅଭିନେତ୍ରୀ ମିମି ଚକ୍ରବର୍ତ୍ତୀ, ନେହା ଶର୍ମା ଓ ଅଙ୍କୁଶ ହଜାରା । ଏମାନଙ୍କ ସମ୍ପତ୍ତି ଜବତ କରିଛି ଇଡି ।
ଶୁକ୍ରବାର ମୋଟ ୭.୯୩ କୋଟିର ସମ୍ପତ୍ତି ଜବତ କରାଯାଇଛି । ଯୁବରାଜ ସିଂହଙ୍କର ୨.୫ କୋଟିର ସମ୍ପତ୍ତି ଜବତ ହୋଇଥିବାବେଳେ, ରବିନ ଉଥାପ୍ପାଙ୍କର ୮.୨୬ ଲକ୍ଷର ସମ୍ପତ୍ତି ଜବତ ହୋଇଛି । ସେହିପରି ଅଭିନେତ୍ରୀ ଉର୍ବଶୀ ରୌଟେଲାଙ୍କର ୨.୦୨ କୋଟିର ସମ୍ପତ୍ତି, ସୋନୁ ସୁଦଙ୍କର ୧ କୋଟି ମୂଲ୍ୟର ସମ୍ପତ୍ତି, ମିମି ଚକ୍ରବର୍ତ୍ତୀଙ୍କର ୫୯ ଲକ୍ଷର ସମ୍ପତ୍ତି, ଅଙ୍କୁଶ ହଜାରା- ୪୭.୨୦ ଲକ୍ଷର ସମ୍ପତ୍ତି ଓ ନେହା ଶର୍ମାଙ୍କର ୧.୨୬ କୋଟିର ସମ୍ପତ୍ତି ଜବତ କରିଛି ଇଡି ।
ଏହି ମାମଲାରେ ପୂର୍ବରୁ ଇଡି ଶିଖର ଧୱନଙ୍କ ୪.୫୫ କୋଟିର ସମ୍ପତ୍ତି, ସୁରେଶ ରୈନାଙ୍କ ୬.୬୪ କୋଟିର ସମ୍ପତ୍ତି ଜବତ କରିଥିଲା । ବର୍ତ୍ତମାନ ସୁଦ୍ଧା 1X ବେଟିଂ ଆପ୍ ମାମଲାରେ ଇଡି ମୋଟ ୧୯.୦୭ କୋଟିର ସମ୍ପତ୍ତି ଜବତ କରିଥିବା ବେଳେ ତଦନ୍ତ ଜାରି ରଖିଥିବା ସୂଚନା ରହିଛି ।
ଇଡିର ତଦନ୍ତ ବେଳେ ଜଣାପଡ଼ିଛି 1xBet ଓ ତାର ଅନ୍ୟ ବ୍ରାଣ୍ଡ୍ସ ଯେଭଳି 1xBat ଓ Sporting Lines ଭାରତରେ କୌଣସି ଅନୁମତି ନ ନେଇ ଅନଲାଇନ୍ ବେଟିଂ ଓ ଜୁଆ ଖେଳ ଚଲାଉଥିଲେ ।
ସୂଚନା ମୁତାବକ, ତଦନ୍ତ ବେଳେ ଜଣାପଡ଼ିଥିଲା, ଏହି ସେଲିବ୍ରିଟି ମାନେ ବିଦେଶୀ କମ୍ପାନୀ ସହ ବିଜ୍ଞାପନ ନେଇ ଚୁକ୍ତି କରିଥିଲେ । 1xBetର ପ୍ରମୋସନ ପାଇଁ ଭିଡିଓ ଓ ସୋସିଆଲ୍ ମିଡିଆ ପୋଷ୍ଟ ଜରିଆରେ ବିଜ୍ଞାପନ କରିଥିଲେ । ବିଜ୍ଞାପନ ବାବଦକୁ ଏହି ସେଲିବ୍ରିଟିମାନେ ସିଧାସଳଖ ଟଙ୍କା ପାଉ ନଥିଲେ । ବିଦେଶରୁ ଏପରି ଟଙ୍କା ପଠା ଯାଉଥିଲା, ଯେମିତି ମିଳୁଥିବା ଟଙ୍କା ନେଇ କେହି ସୁରାକ୍ ପାଇବେ ନାହିଁ । ଇଡି ଅନୁସାରେ, ଏହି ଟଙ୍କା ଅବୈଧ ବେଟିଂ ଆପ୍ରୁ ମିଳିଥିଲା ଏବଂ ଏହାକୁ ଧଳା କରିବାକୁ ଡିଲ୍ ହୋଇଥିଲା ।