Latest Odisha News

BREAKING NEWS

ବାଂଲାଦେଶରେ ବଢୁଛି ହିଂସା; ଚିଟାଗଙ୍ଗର ଭିସା ଆବେଦନ କେନ୍ଦ୍ର ବନ୍ଦ କଲା ଭାରତ

ନୂଆଦିଲ୍ଲୀ: ବାଂଲାଦେଶରେ ବୃଦ୍ଧି ପାଉଥିବା ରାଜନୈତିକ ହିଂସା ଏବଂ ଭାରତ ବିରୋଧୀ ଘଟଣା ମଧ୍ୟରେ ସୁରକ୍ଷାକୁ ନେଇ ଭାରତର ଚିନ୍ତା ବୃଦ୍ଧି ପାଇଛି। ଯାହାଫଳରେ ବାଂଲାଦେଶର ଦ୍ୱିତୀୟ ବୃହତ୍ତମ ସହର ଚିଟାଗଙ୍ଗରେ ଥିବା ଭାରତୀୟ ଭିସା ଆବେଦନ କେନ୍ଦ୍ର (IVAC)ରେ ସମସ୍ତ ଭିସା ସେବା ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସୂଚନା ଅନୁଯାୟୀ, ଇନକିଲାବ ମଞ୍ଚର ମୁଖପାତ୍ର ତଥା ଯୁବ ନେତା ସରିଫ ଓସମାନ ହାଦିଙ୍କ ମୃତ୍ୟୁ ପରେ ବାଂଲାଦେଶରେ ରାଜନୈତିକ ହିଂସା ବୃଦ୍ଧି ପାଇବାରେ ଲାଗିଛି।

ତେବେ ଚିଟାଗଙ୍ଗରେ ଥିବା ଭାରତୀୟ ସହାୟକ ଉଚ୍ଚାୟୋଗ ସହିତ ଜଡିତ ସୁରକ୍ଷା ପରିସ୍ଥିତି ଏବଂ ସାମ୍ପ୍ରତିକ ଘଟଣାଗୁଡ଼ିକର ସମୀକ୍ଷା କରିବା ପରେ ଡିସେମ୍ବର ୨୧ତାରିଖରେ ଏହି ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଥିବା ସୂଚନା ମିଳିଛି। ଆଗାମୀ ଦିନରେ ପରିସ୍ଥିତିକୁ ଦୃଷ୍ଟିରେ ରଖି ଭିସା ସେବା ପୁନଃ ଆରମ୍ଭ କରିବା ସମ୍ପର୍କରେ ପୁନଃମୂଲ୍ୟାୟନ କରାଯିବ ବୋଲି IVAC ସ୍ପଷ୍ଟ କରିଛି।

ଗତ ବର୍ଷର ଫେବୃଆରି ୧୨ ତାରିଖରେ ହୋଇଥିବା ଛାତ୍ର ଆନ୍ଦୋଳନର ହାଦି ଜଣେ ପ୍ରମୁଖ ବ୍ୟକ୍ତି ଥିଲେ ଓ ଡିସେମ୍ବର ୧୨ ତାରିଖରେ ଢାକାର ବିଜୟନଗର ଅଞ୍ଚଳରେ ପ୍ରଚାର କରିବା ସମୟରେ ତାଙ୍କ ମୁଣ୍ଡରେ କିଛି ବ୍ୟକ୍ତି ଗୁଳି ମାରିଥିଲେ। ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ସିଙ୍ଗାପୁରକୁ ବିମାନରେ ନିଆଯାଇଥିଲା। ଯେଉଁଠାରେ ତାଙ୍କର ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ତାଙ୍କ ମୃତ୍ୟୁ ପରେ ବାଂଲାଦେଶର ବିଭିନ୍ନ ସ୍ଥାନରେ ହିଂସା, ପୋଡ଼ାଜଳା ଏବଂ ଭଙ୍ଗାରୁଜା ଘଟଣା ରିପୋର୍ଟ ହୋଇଥିଲା। ଏଥିସହିତ ଚିଟାଗଙ୍ଗରେ ଥିବା ଭାରତୀୟ ସହାୟକ ଉଚ୍ଚାୟୁକ୍ତଙ୍କ ବାସଭବନ ଉପରେ ମଧ୍ୟ ପଥରମାଡ଼ କରାଯାଇଥିଲା।

 

 

Leave A Reply

Your email address will not be published.