ନୂଆଦିଲ୍ଲୀ: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏକ ନୂଆ ମୁକ୍ତ ବାଣିଜ୍ୟିକ ଚୁକ୍ତିନାମା ସ୍ୱାକ୍ଷର କରିଛନ୍ତି। ଯାହା ନ୍ୟୁଜିଲାଣ୍ଡର ୯୫ ପ୍ରତିଶତ ସାମଗ୍ରୀ ଉପରେ ଶୁଳ୍କ ହ୍ରାସ କରୁଛି। ଏହି ଚୁକ୍ତିନାମା ୧.୪ ବିଲିୟନ ଭାରତୀୟ ଗ୍ରାହକଙ୍କ ନିକଟରେ ପହଞ୍ଚିବା ପାଇଁ ନ୍ୟୁଜିଲାଣ୍ଡକୁ ଏକ ପ୍ରମୁଖ ସୁଯୋଗ ପ୍ରଦାନ କରିବ।
ଏହି ଐତିହାସିକ ଚୁକ୍ତିନାମା ଅନୁଯାୟୀ, ନ୍ୟୁଜିଲାଣ୍ଡର ୯୫ ପ୍ରତିଶତ ରପ୍ତାନି ଉପରେ ଟିକସ ହ୍ରାସ କରାଯାଇଛି। ପ୍ରଥମ ଦିନରୁ ୫୭ ପ୍ରତିଶତ ସାମଗ୍ରୀ ଟିକସମୁକ୍ତ ହେବ ଏବଂ ଚୁକ୍ତି କାର୍ଯ୍ୟକାରୀ ହେବା ପରେ ଏହା ୮୨ ପ୍ରତିଶତକୁ ବୃଦ୍ଧି ପାଇବ। ଯେତେବେଳେ କି ବାକି ୧୩ ପ୍ରତିଶତ ସାମଗ୍ରୀରେ ଏକ ବଡ଼ ଟିକସ ହ୍ରାସ ହେବ।
ଏକ ସରକାରୀ ବିବୃତ୍ତି ଅନୁଯାୟୀ, ଏହି ଚୁକ୍ତିନାମା ନ୍ୟୁଜିଲ୍ୟାଣ୍ଡ ରପ୍ତାନିକାରୀଙ୍କୁ ଭାରତରେ ସେମାନଙ୍କର ଉତ୍ପାଦ ବିକ୍ରୟ କରିବାରେ ଯଥେଷ୍ଟ ସୁବିଧା ପ୍ରଦାନ କରିବ। ମଟନ୍, ଓଲ, କୋଇଲା ଏବଂ ପନିପରିବା ଉତ୍ପାଦ ଉପରେ ଟିକସ ତୁରନ୍ତ ଉଚ୍ଛେଦ କରାଯିବ। ଏହା ବ୍ୟତୀତ କିୱି ଏବଂ ସେଓ ଭଳି ଉତ୍ପାଦ ପାଇଁ ବିଶେଷ ପ୍ରୋତ୍ସାହନ ପ୍ରଦାନ କରାଯାଇଛି। ମାଛ ଭଳି ସାମୁଦ୍ରିକ ଉତ୍ପାଦ ଉପରେ ଟିକସ ସାତ ବର୍ଷ ମଧ୍ୟରେ ଉଚ୍ଛେଦ କରାଯିବ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ କ୍ରିଷ୍ଟୋଫର ଲକ୍ସନଙ୍କ ସହ ଫୋନ ଯୋଗେ ଆଲୋଚନା କରିଛନ୍ତି । ଉଭୟ ପ୍ରଧାନମନ୍ତ୍ରୀ ମିଳିତ ଭାବେ ଐତିହାସିକ, ମହତ୍ୱାକାଂକ୍ଷୀ ଏବଂ ପାରସ୍ପରିକ ରୂପରେ ଲାଭଦାୟକ ଭାରତ-ନ୍ୟୁଜିଲାଣ୍ଡ ମୁକ୍ତ ବାଣିଜ୍ୟ ଚୁକ୍ତିନାମା (ଏଫଟିଏ)ର ସଫଳତା ସମ୍ପର୍କରେ ଘୋଷଣା କରିଛନ୍ତି।
ଏହି ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଦ୍ୱିପକ୍ଷୀୟ ଆର୍ଥିକ ସମ୍ପର୍କକୁ ଅଧିକ ସୁଦୃଢ଼ କରିବ। ବଜାର ଉପଲବ୍ଧତାକୁ ବଢ଼ାଇବ, ନିବେଶକୁ ପ୍ରୋତ୍ସାହିତ କରିବ, ଉଭୟ ଦେଶ ମଧ୍ୟରେ ରଣନୀତିକ ସହଯୋଗକୁ ମଜବୁତ କରିବ ଏବଂ ଉଭୟ ଦେଶର ନବପ୍ରବର୍ତ୍ତକ, ଉଦ୍ୟମୀ, କୃଷକ, ଲଘୁ ଏବଂ ମଧ୍ୟମ ଉଦ୍ୟୋଗୀ, ଛାତ୍ର ଏବଂ ଯୁବକମାନଙ୍କ ପାଇଁ ନୂଆ ସୁଯୋଗ ଖୋଲିବ।
ଉଭୟ ପ୍ରଧାନମନ୍ତ୍ରୀ ଆଗାମୀ ପାଞ୍ଚ ବର୍ଷରେ ଦ୍ୱିପକ୍ଷୀୟ ବ୍ୟାପାରକୁ ଦୁଇ ଗୁଣ କରିବା ସହ ଆଗାମୀ ୧୫ ବର୍ଷରେ ନ୍ୟୁଜିଲାଣ୍ଡ ପକ୍ଷରୁ ଭାରତରେ ୨୦ ଅରବ ଆମେରିକୀୟ ଡଲାର ନିବେଶ ନେଇ ଆଶା ରଖିଛନ୍ତି। ଉଭୟ ନେତା କ୍ରୀଡ଼ା, ଶିକ୍ଷା ଏବଂ ଉଭୟ ଦେଶର ଜନସାଧାରଣଙ୍କ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ଭଳି ଦ୍ୱିପକ୍ଷୀୟ ସହଯୋଗ ସହ ଭାରତ-ନ୍ୟୁଜିଲ୍ୟାଣ୍ଡ ସହଭାଗିତାକୁ ଅଧିକ ମଜବୁତ କରିବାକୁ ନିଜର ପ୍ରତିବଦ୍ଧତାକୁ ନିଶ୍ଚିତ କରିଥିଲେ।