Latest Odisha News

BREAKING NEWS

ବିଜେପିକୁ ମିଳିଛି ୬୬୫୪ କୋଟି; ଜାଣନ୍ତୁ ଆଉ କେଉଁ ଦଳକୁ କେତେ ମିଳିଛି ଚାନ୍ଦା…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ ଉଚ୍ଛେଦ କରିବା ପରେ ଭାରତୀୟ ଜନତା ପାର୍ଟି ନିର୍ବାଚନ କମିଶନଙ୍କୁ ଏକ ରିପୋର୍ଟ ଦାଖଲ କରିଥିଲା। ଯେଉଁଥିରେ ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେପିକୁ ୬,୬୫୪.୯୩ କୋଟି ଟଙ୍କା ଚାନ୍ଦା ମିଳିଥିବା ନେଇ ସୂଚନା ଦିଆଯାଇଛି। ଯାହାକି ପୂର୍ବ ବର୍ଷ ତୁଳନାରେ ପ୍ରାୟ ୬୮ ପ୍ରତିଶତ ଅଧିକ ରହିଛି।

ତେବେ ବିଜେପି ଡିସେମ୍ବର ୮ ତାରିଖରେ ହିଁ ରିପୋର୍ଟ ଦାଖଲ କରିଥିଲା। ନିର୍ବାଚନ କମିଶନଙ୍କ ୱେବସାଇଟରେ ଉପଲବ୍ଧ ଏହି ରିପୋର୍ଟରେ କେବଳ ୨୦,୦୦୦ ଟଙ୍କାରୁ ଅଧିକ ଦାନର ବିବରଣୀ ଦିଆଯାଇଛି। ବିଜେପିର ପ୍ରାୟ ୪୦ ପ୍ରତିଶତ ଦାନ ନିର୍ବାଚନୀ ଟ୍ରଷ୍ଟରୁ ଆସିଥିଲା। ସେଥିମଧ୍ୟରୁ ପ୍ରୁଡେଣ୍ଟ ଇଲେକ୍ଟୋରାଲ୍ ଟ୍ରଷ୍ଟ ୨,୧୮୦ କୋଟି ଟଙ୍କା, ପ୍ରୋଗ୍ରେସିଭ୍ ଇଲେକ୍ଟୋରାଲ୍ ଟ୍ରଷ୍ଟ ୭୫୭ କୋଟି ଟଙ୍କା ଏବଂ ନ୍ୟୁ ଡେମୋକ୍ରାଟିକ୍ ଇଲେକ୍ଟୋରାଲ୍ ଟ୍ରଷ୍ଟ ୧୫୦ କୋଟି ଟଙ୍କା ଦାନ କରିଥିଲା। ଅନ୍ୟ ନିର୍ବାଚନ ଟ୍ରଷ୍ଟ ଗୁଡ଼ିକ ୩୧୧୨.୫ କୋଟି ପ୍ରଦାନ କରିଥିବା ନେଇ ସୂଚନା ମିଳିଛି।

ସେହିପରି ବାକି ଦାନ ଗୁଡ଼ିକ କମ୍ପାନୀ ଏବଂ ବ୍ୟକ୍ତି ବିଶେଷଙ୍କ ଠାରୁ ଆସିଥିଲା। କର୍ପୋରେଟ୍ ଦାତା ମାନଙ୍କ ମଧ୍ୟରେ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ ୧୦୦ କୋଟି, ରୁଙ୍ଗଟା ସନ୍ସ ପ୍ରାଇଭେଟ୍ ଲିମିଟେଡ୍ ୯୫କୋଟି, ବେଦାନ୍ତ ୬୭ କୋଟି ଏବଂ ମାକ୍ରୋଟେକ୍ ଡେଭଲପର୍ସ (ବର୍ତ୍ତମାନ ଲୋଧା ଡେଭଲପର୍ସ ଭାବରେ ଜଣାଶୁଣା) ୬୫ କୋଟି ଦାନ କରିଥିବା ସୂଚନା ଦିଆଯାଇଛି। ସେହିପରି ତିନୋଟି ପୃଥକ ପୃଥକ ବଜାଜ୍ ଗ୍ରୁପ୍ କମ୍ପାନୀ ୬୫ କୋଟି ଦାନ କରିଥିବା ବେଳେ ଡ୍ରାଇଭ୍ ଇନଭେଷ୍ଟମେଣ୍ଟ୍ସ ୫୦ କୋଟି ଦାନ କରିଥିବା ଜଣାପଡିଛି।

ଏହା ବ୍ୟତୀତ ମାଲାବାର ଗୋଲ୍ଡ ୧୦ କୋଟି, କଲ୍ୟାଣ ଜୁଏଲର୍ସ ୧୫.୧ କୋଟି, ହିରୋ ଗ୍ରୁପ୍ ୨୩.୬୫ କୋଟି, ଦିଲୀପ ବିଲ୍ଡକନ୍ ଗ୍ରୁପ୍ ୨୯ କୋଟି, ଆଇଟିସି ଲିମିଟେଡ୍ ୩୫ କୋଟି, ୱେଭ୍ ଇଣ୍ଡଷ୍ଟ୍ରିଜ୍ ୫.୨୫ କୋଟି ଏବଂ ନିଖିଲ କାମଥଙ୍କ ଦ୍ୱାରା ପ୍ରୋତ୍ସାହିତ ଏକ ନିବେଶ କମ୍ପାନୀ ଜେରୋଧା ୧.୫କୋଟି ଦାନ କରିଥିବା କୁହାଯାଇଛି। ତେବେ ଏଥିରେ ବିଜେପି ନେତା ମାନେ ମଧ୍ୟ ନିଜର ଯୋଗଦାନ କରିଛନ୍ତି।

ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ୩ ଲକ୍ଷ, ଆସାମ ମନ୍ତ୍ରୀ ପିଜୂଷ ହଜାରିକା ୨.୭୫ ଲକ୍ଷ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ୧ ଲକ୍ଷ, ଓଡିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୫ଲକ୍ଷ, ଇନ୍ଦୋର ମେୟର ପୁଷ୍ୟମିତ୍ର ଭାର୍ଗବ ୧ ଲକ୍ଷ ଏବଂ ବିଜେପି ନେତା କୈଳାସ ବିଜୟବର୍ଗୀୟଙ୍କ ପୁଅ ଆକାଶ ବିଜୟବର୍ଗୀୟ ୧ ଲକ୍ଷ ଦାନ କରିଛନ୍ତି।

ଅପରପକ୍ଷେ କଂଗ୍ରେସ ୨୦୨୩-୨୪ରେ ୧୧୨୯ କୋଟି ଦାନ ପାଇଥିବା ବେଳେ ଚଳିତ ବର୍ଷ ଅର୍ଥାତ୍ ୨୦୨୪-୨୫ରେ ୫୨୨.୧୩ କୋଟି ଦାନ ସ୍ୱରୂପ ପାଇଥିଲା। ଯାହା କି ଗତ ବର୍ଷ ତୁଳନାରେ ପ୍ରାୟ ୪୩ ପ୍ରତିଶତ କମ ଅଟେ। ତୃଣମୂଳ କଂଗ୍ରେସ (ଟିଏମସି)କୁ ଦାନ ଗତ ବର୍ଷ ୬୧୮.୮ କୋଟିରୁ ହ୍ରାସ ପାଇ ୧୮୪.୦୮ କୋଟିକୁ ପହଞ୍ଚିଛି। ଭାରତ ରାଷ୍ଟ୍ର ସମିତିକୁ (ବିଆରଏସ) ଗତ ବର୍ଷ ୫୮୦ କୋଟି ଟଙ୍କା ମିଳିଥିବା ବେଳେ ଚଳିତ ବର୍ଷ ଏହା ୧୫.୦୯ କୋଟିକୁ ହ୍ରାସ ପାଇଛି।

ସେହିପରି ୨୦୨୪-୨୫ ଆର୍ଥିକ ବର୍ଷରେ ବିଜେଡି ମାତ୍ର ୬୦ କୋଟି ଟଙ୍କା ସଂଗ୍ରହ କରିପାରିଥିଲା। ଯେତେବେଳେ କି ପୂର୍ବ ଆର୍ଥିକ ବର୍ଷରେ ୨୪୬ କୋଟି ଟଙ୍କା ଥିଲା। ୨୦୦୦ରୁ ୨୦୨୪ ପର୍ଯ୍ୟନ୍ତ ୨୪ ବର୍ଷରୁ ଅଧିକ ସମୟ ଧରି ଓଡ଼ିଶାରେ ଶାସକ ଦଳ ରହିଥିବା ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ଆଞ୍ଚଳିକ ଦଳ ୨୦୨୪-୨୫ ଆର୍ଥିକ ବର୍ଷରେ ୬୦ କୋଟି ଟଙ୍କା ଦାନ ପାଇଥିଲା। ବେଦାନ୍ତ ଲିମିଟେଡ୍ ସର୍ବାଧିକ ଦାନ କରିଥିଲା।

ଫର୍ମ ୨୪ଏରେ ଦଳ ଦ୍ୱାରା ଇସିଆଇକୁ ଦାଖଲ କରାଯାଇଥିବା ଦାନ ରିପୋର୍ଟରୁ ଜଣାପଡିଛି ଯେ ବେଦାନ୍ତ ଲିମିଟେଡ୍ ଠାରୁ ବିଜେଡି ୨୫ କୋଟି ଟଙ୍କା ପାଇଥିଲା ବେଳେ ତିନୋଟି ନିର୍ବାଚନ ଟ୍ରଷ୍ଟ ମାଧ୍ୟମରେ ୩୫ କୋଟି ଟଙ୍କା ଆସିଥିଲା।

Leave A Reply

Your email address will not be published.