ଲକ୍ଷ୍ନୌ: ମେରଠର ମୁସ୍କାନ ମାମଲା ପରି ଉତ୍ତରପ୍ରଦେଶ ସମ୍ଭଲ ଜିଲ୍ଲାରେ ସମାନ ଘଟଣା ଘଟିଛି। ଯେଉଁଠାରେ ଜଣେ ମହିଳା ପ୍ରେମୀ ସହ ମିଶି ନିଜ ସ୍ୱାମୀଙ୍କୁ ହତ୍ୟା କରିବାକୁ ପଛାଇ ନାହିଁ।
ଏହି ମାମଲାରେ ପୋଲିସ ଅଭିଯୁକ୍ତ ମହିଳା ଏବଂ ତାଙ୍କ ପ୍ରେମିକଙ୍କୁ ଗିରଫ କରିଥିବା ଜଣାପଡିଛି। ଅଭିଯୁକ୍ତ ମହିଳାଙ୍କ ନାମ ରୁବି ଓ ତାଙ୍କ ପ୍ରେମିକଙ୍କ ନାମ ଗୌରବ ବୋଲି ପ୍ରକାଶ କରିଛନ୍ତି ସମ୍ଭଲ ପୋଲିସ ଅଧୀକ୍ଷକ କେ.କେ. ବିଷ୍ନୋଇ।ରୁବି ଚନ୍ଦୌସି ଅଞ୍ଚଳର ମୋହଲ୍ଲା ଚୁନିର ବାସିନ୍ଦା ଥିବା ନେଇ ଜଣାପଡ଼ିଛି।
ତେବେ ରବି ନିଜେ ନଭେମ୍ବର ୧୮ ତାରିଖରେ ତାଙ୍କ ସ୍ବାମୀ ରାହୁଲ (୩୮) ନିଖୋଜ ଥିବା ନେଇ ଥାନାରେ ଅଭିଯୋଗ କରିଥିଲେ। ଯାହାପରେ ପୋଲିସ ଏହି ମାମଲାର ତଦନ୍ତ କରି ଇଦଗାହ ଅଞ୍ଚଳ ନିକଟସ୍ଥ ଏକ ନାଳରୁ ବିକୃତ ମୃତଦେହ ଉଦ୍ଧାର କରିଥିଲା। ଯାହାର ମୁଣ୍ଡ, ହାତ ଏବଂ ପାଦ ନିଖୋଜ ଥିଲା। ପରେ ଫୋରେନସିକ୍ ଦଳ ସେଠାରେ ପହଞ୍ଚି ଯାଞ୍ଚ କରିଥିଲା ଏବଂ ଡିଏନଏ ନମୁନା ସଂଗ୍ରହ କରିଥିଲା।
ତେବେ ତଦନ୍ତ ସମୟରେ ପୋଲିସ ମୃତଦେହ ଉପରେ “ରାହୁଲ” ନାମ ଲେଖାଯାଇଥିବା ଦେଖିବାକୁ ପାଇଥିଲା ଓ ନିକଟସ୍ଥ ପୋଲିସ ଷ୍ଟେସନରୁ ନିଖୋଜ ବ୍ୟକ୍ତିଙ୍କ ରିପୋର୍ଟ ଏବଂ ବୈଷୟିକ ବିଶ୍ଳେଷଣ ଯାଞ୍ଚ କଲାପରେ ମୃତଦେହଟି ତାଙ୍କର ବୋଲି ଜଣାପଡ଼ିଥିଲା। ଏଥିସହିତ ତାଙ୍କ ଫୋନ ନଭେମ୍ବର ୧୮ ତାରିଖରୁ ବନ୍ଦ ଥିଲା। ଏହି ହତ୍ୟାକାଣ୍ଡରେ ରୁବିଙ୍କ ସମ୍ପୃକ୍ତି ଥିବା ନେଇ ପୋଲିସ ସନ୍ଦେହ କରି ପଚରାଉଚରା କରିଥିଲା। ଜେରା ସମୟରେ ରୁବି ସତ ମାନିଯାଇଥିବା ନେଇ ଏସପି କହିଛନ୍ତି।
ସୂଚନା ଅନୁଯାୟୀ, ଗୌରବଙ୍କ ସହିତ ଅବୈଧ ସମ୍ପର୍କ ରଖିଥିବାର ରାହୁଲ ଦେଖିଦେଇଥିଲେ। ଯାହାଫଳରେ ସେ ତାଙ୍କ ପ୍ରେମିକଙ୍କ ସହ ମିଶି ସ୍ୱାମୀଙ୍କୁ ଏକ ଲୁହା ରଡ୍ ଏବଂ ଏକ ଲୁହା ହେମାଦସ୍ତାରେ ଆକ୍ରମଣ କରିଥିଲେ। ଯାହାଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ପରେ ଗ୍ରାଇଣ୍ଡର ଦ୍ଵାରା ମୃତ ଦେହକୁ ଖଣ୍ଡ ଖଣ୍ଡ କରିଥିବା କୁହାଯାଇଛି। ହତ୍ୟା ପରେ ଦୁଇଜଣ ଶରୀରର ଗୋଟିଏ ଅଂଶକୁ ଏକ ନାଳରେ ଫିଙ୍ଗି ଦେଇଥିଲେ ଓ ଅବଶିଷ୍ଟ ଅଂଶଗୁଡ଼ିକୁ ରାଜଘାଟକୁ ନେଇ ଗଙ୍ଗା ନଦୀରେ ଫିଙ୍ଗି ଦେଇଥିବା ଜଣାପଡିଛି। ତେବେ ପୋଲିସ ମୃତଦେହକୁ କାଟିବା ପାଇଁ ବ୍ୟବହୃତ ହୋଇଥିବା ଗ୍ରାଇଣ୍ଡର, ଲୁହା ରଡ୍ ଏବଂ ଆକ୍ରମଣରେ ବ୍ୟବହୃତ ଅନ୍ୟାନ୍ୟ ଉପକରଣକୁ ଜବତ ମଧ୍ୟ କରିଛି।
ତେବେ ଭାରତୀୟ ଦଣ୍ଡ ସଂହିତାର ବିଭିନ୍ନ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଥିବା ନେଇ ପୋଲିସ ସୂଚନା ଦେଇଛି।