Latest Odisha News

BREAKING NEWS

ଧାନ ଇନପୁଟ୍ ସହାୟତା ଚାଷୀଙ୍କ ମନୋବଳ ବଢ଼ାଇଛି, ଚାଷ ପ୍ରତି ଆଗ୍ରହ ବଢ଼ିଛି-ମୁଖ୍ୟମନ୍ତ୍ରୀ

କେନ୍ଦୁଝର: କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ । ଏହି ଅବସରରେ ଶୁକ୍ରବାର କେନ୍ଦୁଝର ସ୍ଥିତ ପଳାସପଙ୍ଗ ଲ୍ୟାମ୍ପସ‌ରେ ଧାନ ସଂଗ୍ରହର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଏହି ଅବସରରେ ଆୟୋଜିତ ଚାଷୀ ସମାବେଶରେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଥିଲେ, ଓଡ଼ିଶା ସରକାର ଚାଷୀଙ୍କ ସରକାର । ଚାଷୀଙ୍କ ପାଇଁ ଏକାଧିକ ଯୋଜନା ପ୍ରସ୍ତୁତ କରିଥିବା ସରକାରଙ୍କ ଦ୍ବାରା ଧାନର ବୋନସ ୮୦୦ ଟଙ୍କାମ ପ୍ରଦାନ କରିବା ହେଉଛି ସବୁଠୁ ବଡ଼ ଉପଳବ୍ଧି । ଏହା ଦ୍ବାରା ଚାଷ ପ୍ରତି ଚାଷୀଙ୍କ ମନୋବଳ ବଢ଼ିଛି ବୋଲି କହିଛନ୍ତି ।

ଏହି ଅବସରରେ ଆମେ ଶୁଣୁଥିଲୁ, ଚାଷ ପ୍ରତି ଚାଷୀମାନଙ୍କ ଆଗ୍ରହ କମିଯାଉଛି । ଚାଷୀ ଭାଇମାନେ ବିଲକୁ ଯିବାକୁ ବିମୁଖ ହେଉଛନ୍ତି । କିନ୍ତୁ, ଏବର୍ଷର ତଥ୍ୟ ସମ୍ପୂର୍ଣ୍ଣଭାବେ ଅଲଗା ଚିତ୍ର ପ୍ରଦାନ କରୁଛି । ଏହାର କାରଣ ହେଉଛି, ମୋଦୀଜୀଙ୍କ ନେତୃତ୍ବରେ ଓଡିଶାରେ ଗଠିତ ଆପଣ ମାନଙ୍କ ଡବଲ ଇଞ୍ଜିନ ସରକାର । କାରଣ ଆମେ ଆପଣ ମାନଙ୍କୁ ଆପଣଙ୍କ ପରିଶ୍ରମ ଓ ତ୍ୟାଗର ମୂଲ୍ୟଦେବା ପାଇଁ ପ୍ରତିବଦ୍ଧ ହୋଇ ପଦକ୍ଷେପ ନେଇଛୁ । ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାରେ କୋଟିଏ ଟଙ୍କା ସବସିଡି ପାଇଥିବା ଚାଷୀଙ୍କୁ ତାଙ୍କ ଘରକୁ ଯାଇ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧନା ଦେବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ପୂର୍ବ ସରକାର ୧୦୦ ଟଙ୍କା ଅଧିକ ଦେବେ ବୋଲି କହିଥିଲେ। କିନ୍ତୁ, ଦେଇପାରିଲେ ନାହିଁ। କିମ୍ବା ହୁଏତ ଜାଣି ଜାଣି ଦେଲେ ନାହିଁ। କିନ୍ତୁ, ଆମର ପ୍ରତିଶ୍ରୁତି ପଥରରେ ଅଙ୍କା ହୋଇଥିବା ଚିତ୍ରପରି। ଆମେ ଆପଣମାନଙ୍କୁ ଆମର ସଂକଳ୍ପ ଅନୁଯାୟୀ ୮୦୦ ଟଙ୍କା ଦେଲୁ। ତାହା ନିଶ୍ଚିତ ଭାବରେ ଆପଣମାନଙ୍କ ମନୋବଳ ବୃଦ୍ଧି କରିଛି। ଚାଷ ଉପରେ ଭରସା ବଢିଛି।

ସେ କହିଥିଲେ, ସମସ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ଯେ ସମ୍ପୂର୍ଣ୍ଣ ଧାନ କିଣା ପ୍ରକ୍ରିୟା ସ୍ବଚ୍ଛତାର ସହ ଚାଲିବ। ଏଥିରେ ଅବହେଳା ହେଲେ, ନିଶ୍ଚିତ ଭାବରେ ସମ୍ପୃକ୍ତ ଅଧିକାରୀ ତା’ର ଫଳ ଭୋଗିବେ ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଥିଲେ। ଧାନ ସହିତ ଅଣ-ଧାନ ଫସଲରେ ମଧ୍ୟ ଆପଣ ମାନଙ୍କୁ ଅଧିକ ପ୍ରୋତ୍ସାହନ ଦେବା ପାଇଁ ଆମର ବିଚାର ଚାଲିଛି। ଆମେ ଚାହୁଁଛୁ ଫସଲର ବିବିଧକରଣ ହେଉ। ଆପଣ ମାନେ କେବଳ ଆଉ ଧାନ ନକରି ଡାଲି ଓ ତୈଳବୀଜ ଜାତୀୟ ଫସଲ କରନ୍ତୁ। ମାଣ୍ଡିଆ ଚାଷ କରନ୍ତୁ। ଏଥିରେ ଆପଣଙ୍କର ସର୍ବନିମ୍ନ ସହାୟକ ମୂଲ୍ୟ ମଧ୍ୟ ଅଧିକ ରହୁଛି ଏବଂ ରାଜ୍ୟ ସରକାର ମଧ୍ୟ ଆହୁରି ଅଧିକ ସହାୟତା ଦେବାପାଇଁ ଚିନ୍ତା କରୁଛନ୍ତି।

ଏହିସବୁ ଚାଷଦ୍ବାରା ଦେଶର ତିନୋଟି ଫାଇଦା ହେବ। ଗୋଟିଏ ହେଲା ଏହିସବୁ ଶସ୍ୟଗୁଡିକ- ବିଶେଷକରି ଡାଲି ଓ ତେଲ ଜାତୀୟ ଶସ୍ୟଉପରେ ଆମେ ବିଦେଶ ଉପରେ ନିର୍ଭର କରୁଛୁ। ଆପଣମାନେ ଏଗୁଡିକ ଚାଷ କରିବା ଦ୍ବାରା ଦେଶ ଆତ୍ମନିର୍ଭର ହେବ। ଆତ୍ମ ନିର୍ଭର ଭାରତ ଗଠନରେ ଆପଣମାନଙ୍କ ଆଉଏକ ଯୋଗଦାନ ରହିବ। ଦ୍ବିତୀୟଟି ହେଉଛି, ନ୍ୟୁଟ୍ରିସନ ସିକ୍ୟୁରିଟୀ ବା ପୁଷ୍ଟି ସୁରକ୍ଷା। ପୁଷ୍ଟି ହୀନତା ଆମ ଦେଶର ଏକ ମୁଖ୍ୟ ସମସ୍ୟା। ସେଥିପାଇଁ ମିଲେଟ୍ ବା ମାଣ୍ଡିଆ ଜାତୀୟ ଶସ୍ୟ ଅଧିକ ଜରୁରୀ। ବିଭିନ୍ନ ପ୍ରକାରର ଡାଲି ଜାତୀୟ ଖାଦ୍ୟମଧ୍ୟ ଜରୁରୀ। ତେଣୁ, ଏହା ଦ୍ବାରା ଆମର ପୁଷ୍ଟି ସୁରକ୍ଷା ମଧ୍ୟ ହାସଲ କରିବାରେ ସହାୟକ ହେବ। ତୃତୀୟଟି ହେଉଛି, ଆପଣମାନେ ଏହାଦ୍ବାରା ଅଧିକ ଅର୍ଥ ରୋଜଗାର କରିପାରିବେ। ଆପଣ ମାନଙ୍କ ପରିବାର ଆହୁରି ସ୍ବଚ୍ଛଳ ହେବ।

ଧାନ ସଂଗ୍ରହ ଓ ବିଭିନ୍ନ କ୍ଷେତ୍ରରେ ଆପଣ ମାନଙ୍କୁ ସହାୟତା ଦେବା ପାଇଁ ପ୍ୟାକ୍ସ ଓ ଲ୍ୟାମ୍ପସ୍ ମାନଙ୍କ ଭୂମିକା ଖୁବ ଗୁରୁତ୍ବପୂର୍ଣ୍ଣ। ସେଥିପାଇଁ ରାଜ୍ୟରେ ୧,୫୪୨ଟି ନୂଆ ପ୍ୟାକ୍ସ ଓ ଲ୍ୟାମ୍ପସ ଗଠନ କରାଯାଇଛି ଏବଂ ସେମାନଙ୍କୁ କାର୍ଯ୍ୟକ୍ଷମ କରିବା ପାଇଁ ୫ ଲକ୍ଷ ଟଙ୍କା ସିଡ୍ ମନି ବା ମୂଳଧନ ମଧ୍ୟ ଦିଆଯାଉଛି। ବର୍ତ୍ତମାନ ସାରା ରାଜ୍ୟରେ ୪,୨୫୩ଟି ପ୍ୟାକ୍ସ ଓ ଲ୍ୟାମ୍ପସ୍ ରହିଛି। ଏଗୁଡିକ ଏକ ୱାନ ଷ୍ଟପ ସେଣ୍ଟର ଭାବେ ବିକଶିତ କରାଯାଉଛି। ଏଥିରେ ଆପଣ ମାନେ ଗୋଟିଏ ଜାଗାରେ ସବୁ ପ୍ରକାର ସୁବିଧା ପାଇ ପାରିବେ। 15 ଲକ୍ଷ ହେକ୍ଟର ଜମି ଆଗାମୀ ତିନିବର୍ଷରର ଜଳ ସେଚିତ ହେବ। କାନୁପୁର ଜଳ ସେଚନ ପ୍ରକଳ୍ପ ଆଉ ମାତ୍ର ଦୁଇରୁ ୩ ମାସରେ ଉଦଘାଟନ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।

କୃଷକ ମାନଙ୍କ ହିତ ପାଇଁ ଆମ ସରକାର ସମ୍ପୂର୍ଣ୍ଣ ଭାବରେ ପ୍ରତିଶ୍ରୁତିବଦ୍ଧ। ଜାନୁଆରୀ ୧୦ ତାରିଖ ସୁଦ୍ଧା ସବୁ ଜିଲ୍ଲାରେ ଧାନ କିଣା ଆରମ୍ଭ ହେବ। ଗତବର୍ଷ ପ୍ରାୟ ୨୦ ଲକ୍ଷ ଚାଷୀ ୭ ହଜାର କୋଟି ଟଙ୍କା ଇନ୍‌ପୁଟ୍ ସହାୟତା ପାଇଥିଲେ। ଏବର୍ଷ ଏ ସଂଖ୍ୟା ଆହୁରି ବଢିବାର ଆଶା କରାଯାଉଛି । ତା ସହିତ ଚାଷ ପାଇଁ ଅନେକ ଯୋଜନା ମଧ୍ୟ ରହିଛି। ଜନ କଲ୍ୟାଣ କ୍ଷେତ୍ରରେ ଆମର ଯେଉଁ ଯୋଜନା ରହିଛି ସେଥିରେ ଅଧିକାଂଶ ସୁବିଧା ଚାଷୀଭାଇ ମାନେ ପାଉଛନ୍ତି। ସୁଭଦ୍ରା ଯୋଜନାରେ ମା ମାନଙ୍କୁ ଯେଉଁ ୧୦ ହଜାର ଟଙ୍କା ଦିଆ ଯାଉଛି ସେଥିରେ ଅଧିକାଂଶ ହେଉଛନ୍ତି ଚାଷୀ ପରିବାରର। ଏହା ସହିତ ପିଏମ କିଷାନ ଓ ସିଏମ କିଷାନ ମିଶି ବର୍ଷକୁ ୧୦ ହଜାର ଟଙ୍କା ଦିଆଯାଉଛି। ଏହା ସହିତ ଚାଷୀ ଭାଇ ମାନଙ୍କ ପିଲାମାନଙ୍କୁ ମଧ୍ୟ ଉଚ୍ଚ ଶିକ୍ଷା ପାଇଁ ବୃତ୍ତି ପ୍ରଦାନ କରାଯାଉଛି। ଏହିପରି ସବୁ ସହାୟତା ମିଶାଇଲେ ଚାଷୀ ପରିବାର ମାନଙ୍କୁ ବର୍ଷକୁ ପ୍ରାୟ ୬୦ ହଜାର ଟଙ୍କା ଅଧିକ ରୋଜଗାର ହେଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.