କେନ୍ଦୁଝର: ଶୁକ୍ରବାର କେନ୍ଦୁଝରରେ ବିପ୍ଳବୀ ଧରଣୀ ଧରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । କେନ୍ଦୁଝର ସହରରର ପ୍ରବେଶ ଦ୍ବାର ନେକେଡା ଘରଠାରେ ବିପ୍ଳବୀ ଧରଣୀଧର ଭୂୟାଁଙ୍କ ପୂର୍ଣ୍ଣବୟାବ ପ୍ରତିମୂର୍ତ୍ତି ଉନ୍ମୋଚନ ଅବସରରେ ଏକ ସ୍ବତନ୍ତ୍ର ଉତ୍ସବ ଆୟୋଜିତ ହୋଇଥିଲା । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ କହିଥିଲେଯେ, କେନ୍ଦୁଝର ମାଟି ହେଉଛି ବିପ୍ଲବୀ ମାଟି । ଏଠି ଅନେକ ବିପ୍ଲବୀ ଜନ୍ମ ଗ୍ରହଣ କରିଛନ୍ତି । କିନ୍ତୁ, ଯେତେବେଳେ ବି ବିପ୍ଳବୀଙ୍କ କଥା ଆଲୋଚନା ହେବ, ଆମ ଜିଲ୍ଲାରେ ଧରଣୀଧର ନାଏକଙ୍କ ନାମ ସର୍ବାଗ୍ରେ ଆସିବ । ବିପ୍ଳବୀ ଧରଣୀ ଧର ଆମ ପାଇଁ ପ୍ରେରଣାର ଉତ୍ସ ।
ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଆଜି ଆମ ପାଇଁ ଗର୍ବର ଦିନ କାରଣ, ଆଜି କେନ୍ଦୁଝରକୁ ଦେଇଥିବା ଆଉ ଏକ ପ୍ରତିଶ୍ରୁତି ପୂରଣ ହେଲା । ଏଇ କେନ୍ଦୁଝର ମାଟିର ବରପୁତ୍ର ଧରଣୀଧର ନାଏକଙ୍କ ପ୍ରତିମୂର୍ତ୍ତି ଆଜି କେନ୍ଦୁଝର ସହରର ମୁଖ୍ୟ ପ୍ରବେଶ ପଥ ନେକେଡ଼ା ଘର ଛକ, ଜାମୁନାଳିଆ ଠାରେ ଉନ୍ମୋଚନ ହେଲା ।
ମୁଁ ଆଜି ଏକଥା କହିବାକୁ ଗର୍ବ ବୋଧ କରୁଛି ଯେ, ଏ କେନ୍ଦୁଝରିଆ କଥା ଦେଇ କଥା ରଖିଲା । ଏଇ ବର୍ଷ ମେ ୫ ତାରିଖରେ ମୁଁ ଏଇଠାରେ କଥା ଦେଇଥିଲି ଯେ, କେନ୍ଦୁଝର ମାଟିର ବରପୁତ୍ର ଉଚିତ ସମ୍ମାନ ପାଇବେ ଆଉ ତାଙ୍କ ପ୍ରତିମୂର୍ତ୍ତି କେବଳ ରାଜଧାନୀରେ ନୁହେଁ, କେନ୍ଦୁଝର ପ୍ରବେଶ ପଥରେ ମଧ୍ୟ ଶୋଭା ପାଇବ। ଆଉ ତାହାହିଁ ହୋଇଛି ।
ସେ କହିଥିଲେ, ଯେଉଁ ଲଢୁଆ ପୁଅର ପରିଚୟ ଦେଇ ସେ ଅତ୍ୟାଚାରୀ ରାଜତନ୍ତ୍ର ବିରୁଦ୍ଧରେ ବିଦ୍ରୋହ କରିଥିଲେ, ସେ ଲଢୁଆ ପୁଅର ଶକ୍ତି ଆଜି ବି ଆମ ସମସ୍ତଙ୍କୁ ପ୍ରେରଣା ଦେଇ ଚାଲିଛି। ଏ ମାଟି କେବଳ ଖଣି ଖାଦାନର ମାଟି ନୁହେଁ, ଏ ମାଟି ଲଢ଼େଇ କରିବା ବି ଜାଣିଛି । କେନ୍ଦୁଝରରେ ନୀରିହ ପ୍ରଜାଙ୍କ ଉପରେ ଯେଉଁ ଅତ୍ୟାଚାର ହୋଇଥିଲା, ତା ବିରୋଧରେ ଆରମ୍ଭ ହୋଇଥିଲା ପ୍ରସିଦ୍ଧ ‘ଧରଣୀ ମେଳି’। ଧରଣୀଧର ଥିଲେ ଭୂୟାଁ ସମ୍ପ୍ରଦାୟର ଆଦିବାସୀ। ସ୍ୱଭାବରେ ସମସ୍ତେ ଶାନ୍ତିପ୍ରିୟ। କିନ୍ତୁ, ଅନ୍ୟାୟ, ଅତ୍ୟାଚାରକୁ ବରଦାସ୍ତ କରିବା ସେମାନେ ଶିଖିନାହାନ୍ତି। ଧରଣୀଧର ଥିଲେ ସେହି ଅତ୍ୟାଚାର-ବିରୋଧୀ ଶକ୍ତିର ମାନବୀୟ ରୂପ ।
ମଣିଷ ଜୀବନ ଖୁବ କଷ୍ଟରେ ମିଳେ ବୋଲି କୁହାଯାଏ । ସେ ଜୀବନକୁ ସାର୍ଥକ କରିବାର ଅଛି । ଅଧିକ ଦିନ ବଞ୍ଚିବା ଅପେକ୍ଷା, ଜୀବନରେ ଆପଣ କେତେ ମହତ୍ୱପୂର୍ଣ୍ଣ କାର୍ଯ୍ୟ କରିଛନ୍ତି ତାହା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେ କୌଣସି ମାର୍ଗରେ ରହି ଦେଶର ସ୍ୱାଧୀନତା, ଅଖଣ୍ଡତା ଓ ବିକାଶ ପାଇଁ ଅବଦାନ ରଖିହେବ । ଧରଣୀଧରଙ୍କ ଜୀବନୀ ହିଁ ଆମକୁ ସେହି ଶିକ୍ଷା ପ୍ରଦାନ କରେ । ଜୀବନର ପ୍ରଥମ ଭାଗ ସେ ବିଦ୍ରୋହ କରି ସ୍ୱାଧୀନତାର ଅଗ୍ନି ଜଳାଇଥିଲେ ଓ ଶେଷ ଭାଗକୁ ସେ ଆଧ୍ୟାତ୍ମିକ ମାର୍ଗରେ ଯାଇ ଦେଶର ସ୍ୱାଧୀନତା ପାଇଁ ଇଶ୍ୱରଙ୍କ ଆଶୀର୍ବାଦ ଲାଭ କରିଥିଲେ ବୋଲି ସେ କହିଥିଲେ ।
କେନ୍ଦୁଝରର ଆଉ ଜଣେ ଗୌରବଙ୍କ କଥା କହିଥିଲେ । କହିଥିଲେ, ଗୋଟିଏ କୋଡ଼ି ଏବଂ ଗୋଟିଏ କୋଦାଳ ଯେ ମଣିଷକୁ ଆତ୍ମବିଶ୍ଵାସୀ କରିଦେଇପାରେ ତାହା କେନାଲ ମ୍ୟାନ ପଦ୍ମଶ୍ରୀ ଶ୍ରୀ ଦୈତାରୀ ନାୟକଙ୍କ ଜୀବନୀରୁ ଆମେ ଶିଖୁ । ଗୋନସିକା ପାହାଡ଼ରୁ ନିଜ ଗ୍ରାମ ତଳବୈତରଣୀ ପର୍ଯ୍ୟନ୍ତ କେନାଲ ଖୋଲିବାକୁ ସମର୍ଥ ହୋଇଥିଲେ। ଦୀର୍ଘ ତିନି ବର୍ଷ ଲାଗିଯାଇଥିଲା ତାଙ୍କୁ ଏ କଥା କରିବାକୁ। ଦୈତାରୀବାବୁଙ୍କ ଏ ଚମତ୍କାର କାହାଣୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ପାଖରେ ପହଞ୍ଚିଥିଲା ଏବଂ ୨୦୧୯ରେ ତାଙ୍କୁ ପଦ୍ମଶ୍ରୀ ଉପାଧିରେ ବିଭୂଷିତ କରିଥିଲେ। ସେ ଆମ ସମସ୍ତଙ୍କ ପାଇଁ ଜଣେ ପ୍ରେରଣା କାରଣ ସେ ମଧ୍ୟ ଜଣେ ବିପ୍ଳବୀ ବୋଲି ସେ ମତବ୍ୟକ୍ତ କରିଥିଲେ ।