Latest Odisha News

ବାଂଲାଦେଶରେ କଳାକାରଙ୍କୁ ଆକ୍ରମଣ, କନସର୍ଟରେ ଭଙ୍ଗାରୁଜା… 

ଢାକା: ବାଂଲାଦେଶର ଫରିଦପୁରରେ ଲୋକପ୍ରିୟ ଗାୟକ ଜେମ୍ସଙ୍କ କନସର୍ଟ ଉପରେ ଆକ୍ରମଣ ହୋଇଛି। ଏହି ଘଟଣାରେ ୨୦ ଜଣ ଆହତ ହୋଇଥିଲେ।

କନସର୍ଟ ଉପରେ କିଛି ଲୋକ ଇଟା ଏବଂ ପଥର ଫିଙ୍ଗିଥିଲେ, ଯେଉଁଥିରେ ଅନେକ ଲୋକ ଆହତ ହୋଇଥିଲେ। ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ ଏହି କନସର୍ଟ ହୋଇଥିଲା। ସୂଚନା ଅନୁଯାୟୀ, ଏକ ଗୋଷ୍ଠୀ ହଠାତ୍ କନସର୍ଟରେ ପ୍ରବେଶ କରି ଉପସ୍ଥିତ ଲୋକଙ୍କ ଉପରେ ପଥର ଏବଂ ଇଟା ଫିଙ୍ଗିବା ଆରମ୍ଭ କରିଦେଲେ। ତେବେ ଲୋକମାନେ ପ୍ରତିବାଦ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ଶେଷରେ କାର୍ଯ୍ୟକ୍ରମ ବାତିଲ କରାଯାଇଥିଲା।

ସୁରକ୍ଷା କର୍ମୀ ଏବଂ ଆୟୋଜକମାନେ ସେମାନଙ୍କୁ ଅଟକାଇବା ପରେ, ଭିଡ଼ ହିଂସାତ୍ମକ ହୋଇ ପଡ଼ିଥିଲା ଯାହାପରେ ସେମାନେ ମଞ୍ଚ ଉପରକୁ ପଥର ଏବଂ ଇଟା ଫିଙ୍ଗିଥିଲେ। ତେବେ ଜେମ୍ସ ହେଉଛନ୍ତି ଜଣେ ବାଂଲାଦେଶୀ ଗାୟକ ଏବଂ ଗୀତିକାର। ଅନେକ ହିନ୍ଦୀ ଚଳଚ୍ଚିତ୍ର ପାଇଁ ସେ ଗୀତ ଗାଇଛନ୍ତି। ସେ ବାଂଲାଦେଶରେ ବହୁତ ଲୋକପ୍ରିୟ ମଧ୍ୟ।

ବାଂଲାଦେଶୀ ଲେଖିକା ତସଲିମା ନସରିନ ଇନଷ୍ଟାଗ୍ରାମରେ ଘଟଣାର ଏକ ଭିଡିଓ ସେୟାର କରି ଦେଶରେ ଗାୟକ ଏବଂ କଳାକାରଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇବା ଉପରେ ଚିନ୍ତା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ “ସାଂସ୍କୃତିକ କେନ୍ଦ୍ର ଛାୟାନୌତ ପୋଡ଼ି ପାଉଁଶ ହୋଇଯାଇଛି। ଉଡିଚି (ଏକ ସଂଗଠନ ଯାହାର ଉଦ୍ଦେଶ୍ୟ ସଂଗୀତ, ଥିଏଟର, ନୃତ୍ୟ, କବିତା ପାଠ ଏବଂ ଲୋକ ସଂସ୍କୃତିକୁ ପ୍ରୋତ୍ସାହିତ କରି ଧର୍ମନିରପେକ୍ଷ ଏବଂ ପ୍ରଗତିଶୀଳ ଚେତନା ଯୋଡ଼ିବା ଥିଲା) ମଧ୍ୟ ପାଉଁଶ ହୋଇଯାଇଛି।”

ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡ଼ିବା ପରେ ବାଂଲାଦେଶରେ ଭିଡ଼ ଆକ୍ରମଣ ବୃଦ୍ଧି ପାଇଛି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ମଧ୍ୟବର୍ତ୍ତୀକାଳୀନ ସରକାର ଉଗ୍ରବାଦୀମାନଙ୍କୁ ପ୍ରଭାବଶାଳୀ ଭାବରେ ନିୟନ୍ତ୍ରଣ କରିବାରେ ଅସମର୍ଥ ହୋଇଛି। ଯଦିଓ ୟୁନୁସ ସରକାର ବାରମ୍ବାର ପରିସ୍ଥିତି ନିୟନ୍ତ୍ରଣରେ ଥିବା ଦାବି କରୁଛି ତଥାପି କଳାକାର ଏବଂ ସାମ୍ବାଦିକଙ୍କ ଉପରେ ଆକ୍ରମଣ ଜାରି ରହିଛି। ବାଂଲାଦେଶରେ ଫେବୃଆରୀ ୧୨ରେ ସଂସଦୀୟ ନିର୍ବାଚନ ହେବାକୁ ଯାଉଛି। ଏହି ନିର୍ବାଚନ ପାଇଁ ପ୍ରଚାର କରୁଥିବା ସମୟରେ ମୌଳବାଦୀ ଯୁବ ନେତା ସରିଫ ଓସମାନ ହାଦିଙ୍କୁ ଗୁଳି କରାଯାଇଥିଲା। ହାଦିଙ୍କ ମୃତ୍ୟୁ ପରେ ଉଗ୍ରବାଦୀ ଆକ୍ରମଣ ବୃଦ୍ଧି ପାଇଛି।

 

Leave A Reply

Your email address will not be published.