ନୂଆଦିଲ୍ଲୀ: ଭାରତ ଏବେ କେବଳ ବିଦେଶୀ ସାହାଯ୍ୟ ନେଉଥିବା ଦେଶ ନୁହେଁ, ବରଂ ଗତ କିଛି ବର୍ଷ ମଧ୍ୟରେ ଏହା ଅନେକ ଦେଶକୁ ଆର୍ଥିକ ସାହାଯ୍ୟ ଏବଂ ଋଣ ଦେଉଥିବା ଏକ ଗୁରୁତ୍ୱପୂର୍ଣ୍ଣ ଦେଶ ହୋଇସାରିଛି। ପଡ଼ୋଶୀ ଦେଶମାନଙ୍କଠାରୁ ଆରମ୍ଭ କରି ଆଫ୍ରିକା ଏବଂ ଲାଟିନ୍ ଆମେରିକା ପର୍ଯ୍ୟନ୍ତ ଭାରତର ଆର୍ଥିକ ସାହାଯ୍ୟ ତାର ବୈଦେଶିକ ନୀତିର ଏକ ମଜବୁତ୍ ଅଂଶ ହୋଇଗଲାଣି। କେନ୍ଦ୍ର ସରକାରଙ୍କ ନିକଟସ୍ଥ ବଜେଟ୍ ତଥ୍ୟରୁ ସ୍ପଷ୍ଟ ହେଉଛି ଯେ ଭାରତ କେଉଁ ଦେଶମାନଙ୍କ ଉପରେ ସବୁଠାରୁ ଅଧିକ ଖର୍ଚ୍ଚ କରୁଛି ଏବଂ କାହାକୁ ସବୁଠାରୁ ଅଧିକ ସାହାଯ୍ୟ ମିଳୁଛି। ତେବେ ଆସନ୍ତୁ ଜାଣିବା ଭାରତ କେଉଁ କେଉଁ ଦେଶକୁ ଋଣ ଦେଉଛି ଏବଂ ଏଥିମଧ୍ୟରୁ ସବୁଠାରୁ ଅଧିକ ଉଧାର କାହା ଉପରେ ରହିଛି।
ବୈଦେଶିକ ମନ୍ତ୍ରଣାଳୟକୁ କେତେ ବଜେଟ୍ ମିଳିଲା?
ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଦ୍ୱାରା ଉପସ୍ଥାପିତ କେନ୍ଦ୍ରୀୟ ବଜେଟ୍ ୨୦୨୪-୨୫ ପରେ ଜାରି ହୋଇଥିବା ଦଲିଲ୍ ଅନୁଯାୟୀ, ଏହି ବର୍ଷ ବୈଦେଶିକ ମନ୍ତ୍ରଣାଳୟ ପାଇଁ ୨୨,୧୫୫ କୋଟି ଟଙ୍କାର ବଜେଟ୍ ରଖାଯାଇଛି। ଏହି ରାଶି ଗତ ଆର୍ଥିକ ବର୍ଷ ୨୦୨୩-୨୪ର ବଜେଟ୍ ଅନୁମାନ ୧୮,୦୫୦ କୋଟି ଟଙ୍କାଠାରୁ ଅଧିକ। କିନ୍ତୁ ସଂଶୋଧିତ ଅନୁମାନ ୨୯,୧୨୧ କୋଟି ଟଙ୍କାଠାରୁ କମ୍। ଅନ୍ୟପଟେ ୨୦୨୪-୨୫ରେ ବିଦେଶୀ ଦେଶମାନଙ୍କୁ ଦିଆଯାଉଥିବା ସାହାଯ୍ୟର ଅନୁମାନ ୫,୬୬୭.୫୬ କୋଟି ଟଙ୍କା ରଖାଯାଇଛି।
ଭୁଟାନ୍କୁ ସବୁଠାରୁ ଅଧିକ ଭାରତୀୟ ସାହାଯ୍ୟ
ବଜେଟ୍ ତଥ୍ୟ ଅନୁଯାୟୀ, ଭାରତରୁ ସବୁଠାରୁ ଅଧିକ ଆର୍ଥିକ ସାହାଯ୍ୟ ଭୁଟାନ୍ ପାଉଛି। ଆର୍ଥିକ ବର୍ଷ ୨୦୨୪-୨୫ରେ ଭୁଟାନ୍କୁ ପ୍ରାୟ ୨,୦୬୮.୫୬ କୋଟି ଟଙ୍କାର ସାହାଯ୍ୟ ମିଳିବାର ଅନୁମାନ କରାଯାଇଛି। ଯଦିଓ ଏହା ଗତ ବର୍ଷର ତୁଳନାରେ କିଛି କମ୍। ଅନ୍ୟପଟେ ୨୦୨୩-୨୪ରେ ଭୁଟାନ୍ ପାଇଁ ସଂଶୋଧିତ ଆଙ୍କଡ଼ା ପ୍ରାୟ ୨,୩୯୮.୯୭ କୋଟି ଟଙ୍କା ଥିଲା। ଭୁଟାନ୍ ପରେ ନେପାଳ, ମାଲଦ୍ୱୀପ ଏବଂ ମରିସସ୍ ଭଳି ଦେଶ ଭାରତର ସାହାଯ୍ୟ ତାଲିକାରେ ଉପରେ ରହିଛନ୍ତି।
ଭାରତ କେଉଁ ଦେଶମାନଙ୍କୁ କେତେ ଋଣ ଦେଉଛି?
1. ଭୁଟାନ୍ – ୨,୦୬୮.୫୬ କୋଟି ଟଙ୍କା
2. ନେପାଳ – ୭୦୦ କୋଟି ଟଙ୍କା
3. ମାଲଦ୍ୱୀପ – ୪୦୦ କୋଟି ଟଙ୍କା
4. ମରିସସ୍ – ୩୭୦ କୋଟି ଟଙ୍କା
5. ମ୍ୟାନମାର – ୨୫୦ କୋଟି ଟଙ୍କା
6. ଶ୍ରୀଲଙ୍କା – ୨୪୫ କୋଟି ଟଙ୍କା
7. ଆଫଗାନିସ୍ତାନ – ୨୦୦ କୋଟି ଟଙ୍କା
8. ଆଫ୍ରିକୀୟ ଦେଶମାନେ – ୨୦୦ କୋଟି ଟଙ୍କା
9. ବାଂଲାଦେଶ – ୧୨୦ କୋଟି ଟଙ୍କା
10. ସେଚେଲସ୍ – ୪୦ କୋଟି ଟଙ୍କା
11. ଲାଟିନ୍ ଆମେରିକୀୟ ଦେଶମାନେ – ୩୦ କୋଟି ଟଙ୍କା
ଭାରତ ନିଜେ କେତେ ଋଣଗ୍ରସ୍ତ?
ଭାରତ ଅନେକ ଦେଶକୁ ଋଣ ଦେଉଛି, କିନ୍ତୁ ସମାନ ଭାବେ ଭାରତ ଅନେକ ଦେଶଠାରୁ ଋଣ ନେଉଛି ମଧ୍ୟ। ଯଦି ଭାରତର ବୈଦେଶିକ ଋଣର କଥା କହିବା ତେବେ ୨୦୨୦ ମାର୍ଚ୍ଚ ଶେଷ ସୁଦ୍ଧା ଦେଶର ମୋଟ ବୈଦେଶିକ ଋଣ ପ୍ରାୟ ୫୫୮.୫ ବିଲିୟନ୍ ଡଲାର୍ ପର୍ଯ୍ୟନ୍ତ ପହଞ୍ଚିଯାଇଥିଲା। ଏଥିରେ ବାଣିଜ୍ୟିକ ଉଧାର ଏବଂ ଏନ୍ଆର୍ଆଇ ଡିପୋଜିଟ୍ର ବଡ଼ ଭୂମିକା ରହିଥିଲା। ଅନ୍ୟପଟେ କରୋନା ସଙ୍କଟ ସମୟରେ ଭାରତ ବିଶ୍ୱ ବ୍ୟାଙ୍କ ଏବଂ ଏସିଆନ୍ ଡେଭେଲପମେଣ୍ଟ ବ୍ୟାଙ୍କଠାରୁ ମଧ୍ୟ ଋଣ ନେଇଥିଲା, ଯାହା ଦ୍ୱାରା ଏମ୍ଏସ୍ଏମ୍ଇ, ସ୍ୱାସ୍ଥ୍ୟ ଏବଂ ଶିକ୍ଷା ଭଳି କ୍ଷେତ୍ରଗୁଡ଼ିକୁ ସମ୍ଭାଳିବାକୁ ସାହାଯ୍ୟ ମିଳିଥିଲା। ଆଜି ଭାରତ ୬୫ରୁ ଅଧିକ ଦେଶକୁ ବିଭିନ୍ନ ରୂପରେ ସାହାଯ୍ୟ ପ୍ରଦାନ କରୁଛି।