ନୂଆଦିଲ୍ଲୀ: କଚ୍ଛରେ ଗତ ଶୁକ୍ରବାର ସକାଳେ ୪.୬ ତୀବ୍ରତାର ଭୂମିକମ୍ପ ହୋଇଥିବା ସୂଚନା ମିଳିଛି। ତେବେ ଏହି ଭୂମିକମ୍ପ ବୈଜ୍ଞାନିକମାନଙ୍କ ମଧ୍ୟରେ ଚିନ୍ତା ସୃଷ୍ଟି କରିଛି। ତେବେ ଏହା ଫଳରେ ତିନୋଟି କମ୍ ସକ୍ରିୟ ଫଲ୍ଟ ରେଖା ସକ୍ରିୟ ହୋଇଥିବା ଜଣାପଡ଼ିଛି। ଯାହାଦ୍ଵାରା କଚ୍ଛରେ ଭୂମିକମ୍ପ ହେବାର ଆଶଙ୍କା ବୃଦ୍ଧି ପାଇଥିବା ବୈଜ୍ଞାନିକ ମାନେ ପ୍ରକାଶ କରିଛନ୍ତି।
ତେବେ ଶୁକ୍ରବାର ପ୍ରାୟ ଭୋର ୪:୩୦ ସମୟରେ କଚ୍ଛରେ ଏକ ବଡ଼ ଭୂମିକମ୍ପ ହୋଇଥିଲା ଓ ଏହା ପରେ ୩୦ ଘଣ୍ଟା ମଧ୍ୟରେ ୨୩ ଥର ଆଫ୍ଟରଶକ୍ ହୋଇଥିବା ମଧ୍ୟ ସୂଚନା ମିଳିଛି।ଭୂମିକମ୍ପର କେନ୍ଦ୍ରସ୍ଥଳ ଉତ୍ତର ଭାଗ ଫଲ୍ଟ ନିକଟରେ ଥିଲା। ଯାହାକୁ ପୂର୍ବରୁ କମ୍ ସକ୍ରିୟ ବୋଲି ବିବେଚନା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ତଥ୍ୟରୁ ଜଣାପଡିଛି ଯେ ତିନୋଟି ଫଲ୍ଟ ରେଖା – କାଥରୋଲ୍ ପାହାଡ, ଗୋରା ଡୋଙ୍ଗର ଏବଂ ଉତ୍ତର ଭାଗ – ଏକକାଳୀନ ଭାବରେ ସକ୍ରିୟ ହୋଇଯାଇଛି। ଯାହାଫଳରେ କଚ୍ଛକୁ ଗମ୍ଭୀର ଚେତାବନୀ ଭାବରେ ବିବେଚନା କରାଯାଉଛି।କଚ୍ଛ ମୁଖ୍ୟଭୂମି ଫଲ୍ଟ ଏବଂ ଦକ୍ଷିଣ ଭାଗ ଫଲ୍ଟ ସମେତ ୧୦ରୁ ଅଧିକ ଫଲ୍ଟ ରେଖାରେ ଅବସ୍ଥିତ।ପୂର୍ବରୁ ୨୦୦୧ ରେ ଏହି ଅଞ୍ଚଳରେ ଏକ ୭.୭ ତୀବ୍ରତାର ଭୂମିକମ୍ପ ଆସିଥିଲା।
ପୂର୍ବରୁ ସକ୍ରିୟ ବିବେଚିତ ନଗର ପାର୍କର ଏବଂ ଆଲ୍ଲାହ ବୁଣ୍ଡ ଫଲ୍ଟ ବ୍ୟତୀତ ସାମ୍ପ୍ରତିକ ମାସଗୁଡ଼ିକରେ କାଥରୋଲ ପାହାଡ଼ ଏବଂ ଗୋରା ଡୋଙ୍ଗରରେ ମଧ୍ୟ ଭୂକମ୍ପ କାର୍ଯ୍ୟକଳାପ ରେକର୍ଡ କରାଯାଇଥିବା ଭୁଜସ୍ଥିତ କଚ୍ଛ ବିଶ୍ୱବିଦ୍ୟାଳୟର ଭୂତତ୍ତ୍ୱ ବିଭାଗର ସହକାରୀ ପ୍ରଫେସର ଗୌରବ ଚୌହାନ କହିଛନ୍ତି।ତେବେ ୧ରୁ ୩ ତୀବ୍ରତାର ପରବର୍ତ୍ତି ଝଟକା ସଞ୍ଚିତ ଶକ୍ତିକୁ ମୁକ୍ତ କରିବାରେ ସାହାଯ୍ୟ କରିଥାଏ। ଯାହା ଫଳରେ ଏହା ତୁରନ୍ତ ବଡ଼ ଭୂମିକମ୍ପର ବିପଦକୁ ହ୍ରାସ କରିଥାଏ କିନ୍ତୁ ଏକାଧିକ ଫଲ୍ଟ ରେଖାର ଏକକାଳୀନ ସକ୍ରିୟକରଣ ହେବା ଭବିଷ୍ୟତ ପାଇଁ ବିପଦକର ବୋଲି ସେ କହିଛନ୍ତି।
ଯଦି କଚ୍ଛରେ ବଡ଼ ଭୂମିକମ୍ପ ହୁଏ ତେବେ ଏହାର ପ୍ରଭାବରେ ପଶ୍ଚିମ ଭାରତର ବହୁ ସ୍ଥାନରେ ମଧ୍ୟ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇପାରେ ବୋଲି ବୈଜ୍ଞାନିକ ମାନେ କହିଛନ୍ତି। ତେଣୁ ସ୍କୁଲ ମାନଙ୍କରେ ନିୟମିତ ମକ୍ ଡ୍ରିଲ୍, କୋଠା ନିୟମାବଳୀର କଡ଼ା ପାଳନ ଏବଂ ସ୍କୁଲଗୁଡ଼ିକରେ ବାଧ୍ୟତାମୂଳକ ବିପର୍ଯ୍ୟୟ ପରିଚାଳନା ଶିକ୍ଷାର ଆବଶ୍ୟକତା ରହିଛି ବୋଲି ଚୌହାନ କହିଛନ୍ତି।