କୋଲକତା:ପଶ୍ଚିମବଙ୍ଗର ସମସ୍ତ ୨୯୪ ବିଧାନସଭା ଆସନ ପାଇଁ ଦୁଇଟି ପର୍ଯ୍ୟାୟରେ ମତଦାନ ସମାପ୍ତ ହୋଇଛି। ଭୋଟ ଗଣତି ମେ ୪ ତାରିଖରେ ହେବ। ଏହା ପୂର୍ବରୁ, ନିର୍ବାଚନ କମିଶନ ମେ ୨ ତାରିଖରେ ବଙ୍ଗଳାର ୧୫ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ନିର୍ବାଚନ କମିଶନ ମତଦାନ ଅନିୟମିତତା ଅଭିଯୋଗରେ ପ୍ରଭାବିତ ପଶ୍ଚିମବଙ୍ଗର ଦୁଇଟି ବିଧାନସଭା ନିର୍ବାଚନମଣ୍ଡଳୀର ୧୫ଟି ମତଦାନ କେନ୍ଦ୍ରରେ ପୁନଃ ମତଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହି ପୁନଃ ମତଦାନ ଆସନ୍ତାକାଲି (ଶନିବାର) ସକାଳ ୭ଟାରୁ ଆରମ୍ଭ ହେବ। ଏହି ବୁଥଗୁଡ଼ିକରେ ଭୋଟ ଅନିୟମିତତା ଅଭିଯୋଗ ଆସିଥିଲା। ସ୍ୱତନ୍ତ୍ର ନିର୍ବାଚନ ପର୍ଯ୍ୟବେକ୍ଷକଙ୍କ ସୁପାରିଶ ପରେ ନିର୍ବାଚନ କମିଶନ ଏହି ନିର୍ଦ୍ଦେଶ ଦେଇଛନ୍ତି ।
ଅନିୟମିତତାର ଅଭିଯୋଗ ପରେ, ନିର୍ବାଚନ କମିଶନ ବଙ୍ଗଳାର ଡାଇମଣ୍ଡ ହାର୍ବର ଏବଂ ମଗ୍ରରାହାଟ ପଶ୍ଚିମ ନିର୍ବାଚନମଣ୍ଡଳୀର ୧୫ଟି ବୁଥରେ ପୁନଃ ମତଦାନ ଘୋଷଣା କରିଛନ୍ତି।
ଦକ୍ଷିଣ ୨୪ ପରଗନା ଜିଲ୍ଲାର ମଗ୍ରହାଟ ପଶ୍ଚିମ ବିଧାନସଭା ନିର୍ବାଚନମଣ୍ଡଳୀର ୧୧ଟି ବୁଥ ଏବଂ ଡାଇମଣ୍ଡ ହାର୍ବର ବିଧାନସଭା ନିର୍ବାଚନମଣ୍ଡଳୀର ୪ଟି ବୁଥରେ ଆସନ୍ତାକାଲି(ମେ ୨ ତାରିଖରେ) ପୁନଃ ମତଦାନ ଅନୁଷ୍ଠିତ ହେବ।
କମିଶନଙ୍କ ୧ ମେ,୨୦୨୬ ତାରିଖର ନିର୍ଦ୍ଦେଶ ଅନୁଯାୟୀ, ପୁନଃ ମତଦାନ ୨ ମେ, ୨୦୨୬ ରେ ସକାଳ ୭:୦୦ ରୁ ସନ୍ଧ୍ୟା ୬:୦୦ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ୨୯ ଏପ୍ରିଲ, ୨୦୨୬ ରେ ହୋଇଥିବା ମତଦାନ ଉପରେ ସମ୍ପୃକ୍ତ ରିଟର୍ଣ୍ଣିଂ ଅଧିକାରୀ ଏବଂ ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ଏପଟେ ଫଲଟାରେ ଇଭିଏମ୍ରେ ଟେପ୍ ଲଗାଯାଇଥିବା ଅଭିଯୋଗ ଉପରେ କମିଶନ ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇନାହାଁନ୍ତି।
କମିଶନ କହିଛନ୍ତି ଯେ ଚିହ୍ନଟ ହୋଇଥିବା ମତଦାନ କେନ୍ଦ୍ରଗୁଡ଼ିକରେ ଜନପ୍ରତିନିଧିତ୍ୱ ଆଇନ, 1951ର ଧାରା 58(2) ଅନୁଯାୟୀ ଭୋଟ୍ ଗ୍ରହଣ ବାତିଲ କରାଯାଇଛି ଏବଂ ନୂତନ ମତଦାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।