ଭୁବନେଶ୍ୱର: କାଳବୈଶାଖୀ ବର୍ଷା ଆଣିଲା ତାତିରୁ ଆଶ୍ୱସ୍ତୀ। ୪୦ ଡିଗ୍ରୀ ତଳେ ସବୁ ସହରର ତାପମାତ୍ରା। ୩୫ ଡିଗ୍ରୀ ସହ ରାଉରକେଲା ସବୁଠୁ ଉତ୍ତପ୍ତ ସହର। ୨ ଦିନ ପରେ ଖସିବ ୨ ରୁ ୩ ଡିଗ୍ରୀ ପାରଦ। କାଲିଠାରୁ ରାଜ୍ୟର ବିଭିନ୍ନ ସ୍ଥାନରେ କାଳବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଯାହା ଫଳରେ ପ୍ରଚଣ୍ଡ ତାତିରୁ ଆଶ୍ବସ୍ତି ପାଇବେ ଲୋକେ। ଆଗାମୀ ୬ ଦିନ ଯାଏଁ ଝଡବର୍ଷା ହେବା ନେଇ ପାଣିପାଗ ବିଭାଗର ଚେତାବନୀ।
ଅନ୍ୟପଟେ କାଳବୈଶାଖୀ ନେଇ ସତର୍କ କରାଇଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ। ରାସ୍ତାରେ ଗାଡି ମୋଟରରେ ନ ବୁଲିବାକୁ ପରାମର୍ଶ ଦେଇଛନ୍ତି। ଘର କିମ୍ବା ଚାଷ କ୍ଷୟକ୍ଷତି ହୋଇଥିଲେ ୨୪ ଘଣ୍ଟାରେ ମିଳିବ କ୍ଷତିପୂରଣ। କାଳବୈଶାଖୀ କ୍ଷୟକ୍ଷତି ନେଇ ଜିଲ୍ଲାପାଳମାନଙ୍କୁ ତୁରନ୍ତ ରିପୋର୍ଟ ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। କାଳବୈଶାଖୀ ହେବା ପୂର୍ବରୁ ସମ୍ପୃକ୍ତ ଅଂଚଳର ଲୋକଙ୍କ ପାଖକୁ ମେସେଜ ଯାଉଛି। ଗ୍ରାମାଞ୍ଚଳରେ ଘର ଭାଙ୍ଗିଥିବା ରିପୋର୍ଟ ଆସିଛି, କିନ୍ତୁ କୌଣସି ଲୋକ ମୃତାହତ ହୋଇନଥିବା ରିପୋର୍ଟରୁ ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ।
ଆଜି ପୁଣି କାଳବୈଶାଖୀ ବର୍ଷା ନେଇ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ବିଜୁଳି ଘଡ଼ଘଡ଼ି ସହ ପ୍ରବଳ କୁଆପଥର ବର୍ଷା ନେଇ ୮ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି। ମୟୂରଭଞ୍ଜ, ବାଲେଶ୍ବର, କଳାହାଣ୍ଡି, ରାୟଗଡ଼ା, ଗଜପତି, କୋରାପୁଟ, ମାଲକାନାଗିର ଏବଂ ନବରଙ୍ଗପୁର ପାଇଁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଏହା ସହ ଘଣ୍ଟାପ୍ରତି ୫୦ରୁ ୬୦ କିମି ବେଗରେ ପବନ ବହିବା ସମ୍ଭାବନା ରହିଛି। ସେହିପରି ଆଜି କାଳବୈଶାଖୀ ବର୍ଷା ପାଇଁ ୧୬ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି।
ଆସନ୍ତାକାଲି ଉପକୂଳ ଓଡ଼ିଶା ସହ, ଦକ୍ଷିଣ, ପଶ୍ଚିମ ଏବଂ ଉତ୍ତର ଓଡ଼ିଶାର ୨୩ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି ହୋଇଛି । ୫ ତାରିଖ ଦିନ ପୁରା ରାଜ୍ୟରେ ବର୍ଷା ସମ୍ଭାବନା ନେଇ ୟେଲୋ ଆଲର୍ଟ ଜାରି ହୋଇଛି। ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା ରହିଛି। ଚେତାବନୀ ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
Comments are closed.