Latest Odisha News

BREAKING NEWS

ରାଜଧାନୀରେ ଘନ କୁହୁଡି, ବାତିଲ ହେଲା ୩ ବିମାନ ଉଡାଣ…

ଭୁବନେଶ୍ୱର: ଲଗାତାର ଦ୍ୱିତୀୟ ଦିନ ପାଇଁ ରାଜଧାନୀ ଭୁବନେଶ୍ୱରରେ ଘନ କୁହୁଡ଼ି ଆଚ୍ଛାଦିତ ହୋଇ ରହିଛି। ଯାହା ଫଳରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶୁକ୍ରବାର ଦିନ ବିମାନ ବାତିଲ ସହ ଉଡାଣରେ ଯଥେଷ୍ଟ ବିଳମ୍ବ ହୋଇଥିଲା।

ସୂତ୍ର ଅନୁଯାୟୀ, ରନୱେ ଉପରେ କମ୍ ଦୃଶ୍ୟମାନତା ଯୋଗୁଁ ଅହମ୍ମଦାବାଦ, କୋଲକାତା ଏବଂ ଦିଲ୍ଲୀ ଭଳି ପ୍ରମୁଖ ଗନ୍ତବ୍ୟସ୍ଥଳକୁ ଅତି କମରେ ତିନୋଟି ବିମାନ ଉଡାଣ ବାତିଲ ହୋଇଥିଲା। ସେହିପରି ୫ ବିମାନ ଦୁଇରୁ ଚାରି ଘଣ୍ଟା ପର୍ଯ୍ୟନ୍ତ ବିଳମ୍ବର ସମ୍ମୁଖୀନ ହୋଇଥିଲା। ସେଥିରେ ରହିଥିଲା ବାରାଣସୀ, ବେଙ୍ଗାଲୁରୁ, କୋଲକାତା, ଦୁର୍ଗାପୁର ଏବଂ ହାଇଦ୍ରାବାଦ ଭଳି ରୁଟକୁ ଯାଉଥିବା ବିମାନ।

ଏନେଇ ବିମାନବନ୍ଦର କର୍ତ୍ତୃପକ୍ଷ କହିଛନ୍ତି ଯେ ସୁରକ୍ଷିତ ବିମାନ ଉଡାଣ ପାଇଁ ସର୍ବନିମ୍ନ ରନୱେ ଭିଜୁଆଲ୍ ରେଞ୍ଜ ପ୍ରାୟ ୫୫୦ ମିଟର ଆବଶ୍ୟକ। ଯେତେବେଳେ କି ସକାଳ ସମୟରେ ଦୃଶ୍ୟମାନତା ୫୦ ମିଟର ପର୍ଯ୍ୟନ୍ତ ଖସିଥିଲା। ଯାହା ଫଳରେ ଉଡ଼ାଣ ଏବଂ ଅବତରଣରେ ବିପଦ ରହିଥିଲା।

ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଅନୁଯାୟୀ, ଘନରୁ ଅତି ଘନ କୁହୁଡ଼ି ପାଇଁ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ହଳଦିଆ ଏବଂ କମଳା ରଙ୍ଗର ଚେତାବନୀ ଜାରି ହୋଇଛି। ଯାହା ଜାନୁଆରୀ ୬ ପର୍ଯ୍ୟନ୍ତ ଲାଗି ରହିବ। ଫଳରେ ଏହି ଅବଧି ମଧ୍ୟରେ ସକାଳେ ଦୃଶ୍ୟମାନତା କମ୍ ରହିବ, ଯାହା ବିମାନ ଯାତ୍ରାକୁ ଆହୁରି ବାଧା ଦେଇପାରେ ବୋଲି ଆକଳନ କରାଯାଉଛି।

 

Leave A Reply

Your email address will not be published.