ଭୁବନେଶ୍ବର: ବଦଳିବ କ୍ୟାପିଟାଲ ହସ୍ପିଟାଲ ଦନ୍ତ ବିଭାଗର ରୂପ ରେଖ । ବରିଷ୍ଠ ଦାନ୍ତ ଡାକ୍ତରଙ୍କୁ ନିଯୁକ୍ତି କରାଯିବ । ବିଭାଗରେ ଅତ୍ୟାଧୁନିକ ଚିକିତ୍ସା ଉପଲବ୍ଧ କରାଯିବ । ବିଭାଗରେ ରୋଗୀଙ୍କୁ ନିୟମିତ ହେଉଥିବା ଦୁର୍ବ୍ୟବହାର ଉପରେ ତଦନ୍ତ ହେବ । ଏନେଇ କ’ଣ କ’ଣ ପଦକ୍ଷେପ ନିଆଯିବ ସେନେଇ ସ୍ୱାସ୍ଥ୍ୟ ବିଭାଗ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପ୍ରସ୍ତାବ ମାଗିଛି ।
ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ହସ୍ପିଟାଲ କର୍ତ୍ତୃପକ୍ଷ ରୋଗୀଙ୍କ ପକ୍ଷରୁ କରାଯାଇଥିବା ଅଭିଯୋଗ ସମ୍ପର୍କରେ ତଦନ୍ତ ଆରମ୍ଭ କରିଛନ୍ତି । ହସ୍ପିଟାଲ ଦାନ୍ତ ବିଭାଗରେ ଚିକିତ୍ସା ସୁବିଧା ଉପଲବ୍ଧ ଥାଇ କାହିଁକି ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ରେଫର୍ କରାଯାଉଛି, ତାହାକୁ ନେଇ ଖୋଳତାଡ଼ ଆରମ୍ଭ ହୋଇଛି । ବିଭାଗ ତଦନ୍ତ ରିପୋର୍ଟ ପାଇଲା ପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ଖବର ମିଳିଛି ।
ଦାନ୍ତ ବିଭାଗରେ ଚିକିତ୍ସା ପାଇଁ ଉପଲବ୍ଧ ଯନ୍ତ୍ରପାତି ରୋଗୀଙ୍କ କାମରେ ଲାଗୁନି । ସାମାନ୍ୟ ଦାନ୍ତ ରୁଟ୍ କେନାଲ କିମ୍ବା ଦାନ୍ତ ଫିଲିଂ ମଧ୍ୟ ହୋଇପାରୁନି ବୋଲି ରୋଗୀଙ୍କ ପକ୍ଷରୁ ଅନେକ ଥର ଅଭିଯୋଗ ପାଇଥିଲେ ହେଁ କର୍ତ୍ତୃପକ୍ଷ କାହିଁକି ନିରବ ରହୁଛନ୍ତି ସେନେଇ ମଧ୍ୟ କୈଫିୟତ ମଗାଯାଇଥିବା ଜଣାପଡ଼ିଛି ।