କୋଲକାତା: ମୁଖ୍ୟମନ୍ତ୍ରୀ ହେଇ ବି ମାନିଲେନି ପ୍ରୋଟୋକଲ
ସିଧା ଇଡି ଚଢ଼ାଉ ବେଳେ ଧସେଇ ପଶିଲେ
ହାତରେ ଗୋଟିଏ ଗ୍ରୀନ ଫାଇଲ ଧରି ଚାଲି ଆସିଲେ
ନା କାହାକୁ କିଛି ପ୍ରଶ୍ନ କଲେ, ନା ଇଡି ଅଧିକାରୀଙ୍କୁ ଦେଲେ ଉତ୍ତର
ଗୁରୁବାର ମନି ଲଣ୍ଡରିଂ ମାମଲାରେର କୋଲକାତା ସ୍ଥିତ ଆଇପ୍ୟାକ କମ୍ପାନି ଉପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଅଚାନକ ଚଢ଼ାଉ ଏବେ ରାଜନୈତିକ ଉଷ୍ମତା ବୃଦ୍ଧି କରିଛି। କଲିକତାର ଦିଲ୍ଲୀ ସବୁଠୁ ହାଇଡ୍ରାମାଦେଖିବାକୁ ମିଳୁଛି। ଗୋଟେପଟେ ଇଡି ଟିଏମସର ନିର୍ବାଚନୀ ରଣନୀତି ବନାଉଥିବା ଏକ ବଡ଼ କମ୍ପାନି ଆଇପ୍ୟାକ ଉପରେ ଚଢାଉ କରିଥିବା ବେଳେ ହଠାତ୍ ପହଞ୍ଚି ଯାଇଥିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ସିଧା କମ୍ପାନୀର କିଛି ଜରୁରୀ ଫାଇଲ ନିଜ ସହିତ ଧରି ଚାଲିଯାଇଥିଲେ। ହାତରେ ଫାଇଲ୍ ଧରି ଇଡି ଚଢ଼ାଉକୁ ବିଜେପିର ଚାଲ ବୋଲି ଅଭିଯୋଗ କରିଥିଲେ ମମତା। ସମର୍ଥକଙ୍କ ସହ କରିଥିଲେ ପ୍ରତିବାଦ ରାଲି। ହେଲେ ହାତରୁ ଫାଇଲକୁ ଗୋଟେ ମିନିଟ ବି ଛାଡିନଥିଲେ ମମତା। ଯାହାକୁ ନେଇ ଏବେ ରାଜନୈତିକ ବିବାଦ ସୃଷ୍ଟି ହୋଇଛି।
ଏମିତି ସେ ଗ୍ରୀନ ଫାଇଲ ଭିତରେ ଥିଲା କ’ଣ?
ଇଡି ପଞ୍ଝାରୁ କାହିଁକି କାଢି ଆଣିଲେ ଗ୍ରୀନ ଫାଇଲ୍?
ଏ ଡର ପଛରେ ରଣନୀତି ନା ଦୁର୍ନୀତିର ଚିଠା?
ନା ସତରେ ରହିଛି ବିଜେପିର ଚାଲ୍?
ଗ୍ରୀନ ଫାଇଲ୍ ନିଜ ସହ ନେବା ସପକ୍ଷରେ କହି, ବିଜେପିକୁ କଡ଼ା ନିଶାନ ସାଧିଛନ୍ତି ମମତା। ଇଡି ଚଢ଼ାଉକୁ ବିଜେପିର ଷଡ଼ଯନ୍ତ୍ର କହିଛନ୍ତି। ବିଜେପି ମମତା ସରକାରଙ୍କୁ ଗାଦିରୁ ହଟାଇବା ପାଇଁ ତାଙ୍କ ରଣନୀତି ଚୋରି କରିବାକୁ ଆସିଥିବା କହିଛନ୍ତି ମମତା। କେନ୍ଦ୍ର ସରକାରଙ୍କୁ ତାଙ୍କ ଦଳରୁ ବ୍ୟକ୍ତିଗତ ସୂଚନା ଚୋରି କରିବାର ଅଭିଯୋଗ କରିଛନ୍ତି। ଯାହାକୁ ନେଇ ଶୁକ୍ରବାର ସାରା ବଙ୍ଗରେ ପ୍ରତିବାଦ ଘୋଷଣା କରିଛନ୍ତି ମମତା। ଯାହାର ପ୍ରଭାବ ଆଜି ସକାଳୁ ସକାଳୁ ଦିଲ୍ଲୀରେ ଦେଖିବାକୁ ମିଳିଥିଲା। ଗୃହମନ୍ତ୍ରୀ ଅମିତ୍ ଶାହାଙ୍କ କାର୍ଯ୍ୟାଳୟ ଆଗରେ ବିରୋଧ ପ୍ରଦର୍ଶନ କରିଥିଲେ ତୃଣମୂଳ କଂଗ୍ରେସ ସାଂସଦ। ତେବେ ଯଦି ଦେଖିବା, ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନିର୍ବାଚନ ରଣନୀତି ସ୍ଥିର କରୁଥିବା ଆଇପ୍ୟାକ୍ ଦୀର୍ଘଦିନ ଧରି ମମତା ସରକାରଙ୍କ ସହ ଏହି ଆସିଛି। ୨୦୨୧ ବିଧାନସଭା ନିର୍ବାଚନରେ ଏହା ତୃଣମୂଳ କଂଗ୍ରେସ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା । ଯାହା ଦଳକୁ ବିଜେପି ବିରୋଧରେ ଏକ ବଡ଼ ବିଜୟ ହାସଲ କରିବାରେ ସାହାଯ୍ୟ କରିଥିଲା । ତେଣୁ ୨୦୨୬ରେ ଆଇପ୍ୟାକର ରଣନୀତି ଉପରେ ନିର୍ଭରଶୀଳ ଟିଏମସିର ମନୋବଳ ଭାଙ୍ଗିବାକୁ ଇଡି ନାଁରେ ଏହା ଆଉ ବିଜେପିର ଚାଲ ନୁହେଁ ତ ବୋଲି ଅନେକ ପ୍ରଶ୍ନ ଉଠୁଛି।
ଅନ୍ୟପଟେ କେନ୍ଦ୍ରୀୟ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମମତା ବାନାର୍ଜୀଙ୍କ ବିରୋଧରେ ଏକ ଆବେଦନ ଦାଖଲ କରିଛି। ତାଙ୍କ ବିରୁଦ୍ଧରେ ସରକାରୀ କାର୍ଯ୍ୟ ଏବଂ ଇଡି ତଦନ୍ତରେ ବାଧା ସୃଷ୍ଟି କରିବା ଏବଂ ମନି ଲଣ୍ଡରିଂ ମାମଲା ସହିତ ଜଡିତ ପ୍ରମାଣ ନଷ୍ଟ କରିବାର ଅଭିଯୋଗ ଆଣି ବଙ୍ଗ ହାଇକୋର୍ଟର ଦ୍ବାରସ୍ଥ ହୋଇଛି ଇଡି। ଇଡି କହିଛି ଯେ ମମତା ବାନାର୍ଜୀଙ୍କ ଟିଏମସି ଦଳର ଏକ ରାଜନୈତିକ ପରାମର୍ଶଦାତା ସଂସ୍ଥା ଆଇପିଏସିର କାର୍ଯ୍ୟାଳୟରେ ଚଢାଉ କୋଇଲା ଚୋରି ଦୁର୍ନୀତି ସହିତ ଜଡିତ ମନି ଲଣ୍ଡରିଂ ତଦନ୍ତର ଏକ ଅଂଶ ଭାବରେ କରାଯାଇଥିଲା। ତଥାପି, ଚଢାଉ ସମୟରେ, ମମତା ବାନାର୍ଜୀ IPAC ନିର୍ଦ୍ଦେଶକ ପ୍ରତୀକ ଜୈନଙ୍କ ଘର ଏବଂ କାର୍ଯ୍ୟାଳୟକୁ ଯାଇଥିଲେ, ଜୋରଜବରଦସ୍ତ କାର୍ଯ୍ୟାଳୟରେ ପ୍ରବେଶ କରି ମାମଲା ସହିତ ଜଡିତ ଗୁରୁତ୍ୱପୂର୍ଣ୍ଣ ଫାଇଲଗୁଡ଼ିକୁ ନେଇଯାଇଥିଲେ। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବି ଇଡି ଅଧିକାରୀଙ୍କ ବିରୁଦ୍ଧରେ ଦୁଇଟି ଥାନାରେ ମାମଲା ମଧ୍ୟ ଦାୟର କରିଛନ୍ତି।
ଗିରଫ ହେବେ କି ଦିଦି?
କ’ଣ କହୁଛି ନିୟମ?
ଆଇନଗତ ବିଶେଷଜ୍ଞଙ୍କ ଅନୁଯାୟୀ, ଏହି ମାମଲାରେ ଇଡିର ପକ୍ଷ ଭାରୀ ଅଛି। କାରଣ ସେମାନେ ତାଙ୍କ ଯୁକ୍ତିରେ PMLAର ଧାରା ୬୭ ଉଲ୍ଲେଖ କରିପାରିବେ। ଆଇପିଏସି ଏବଂ ମମତା ବାନାର୍ଜୀଙ୍କୁ ପ୍ରମାଣ କରିବାକୁ ପଡିବ ଯେ ଇଡି ଚଢାଉ କରିଥିଲା ଏବଂ ବ୍ୟକ୍ତିଗତ ଲାଭ ପାଇଁ ଫାଇଲ ଏବଂ ଡକ୍ୟୁମେଣ୍ଟ ଜବତ କରିଥିଲା। ଯଦି ଏହା ପ୍ରମାଣିତ ନହୁଏ, ତେବେ ଚଢାଉ ଏବଂ ଜବତକୁ ଅପରାଧ ଭାବରେ ବିବେଚନା କରାଯିବ ନାହିଁ। ଯଦି ED ପ୍ରମାଣ କରେ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ IPAC କାର୍ଯ୍ୟାଳୟରୁ ବଳପୂର୍ବକ ନେଇଥିବା ଫାଇଲଗୁଡ଼ିକ ମାମଲାର ତଦନ୍ତ ପାଇଁ ଅତ୍ୟାବଶ୍ୟକ, ତେବେ ତାଙ୍କୁ ଗିରଫ କରାଯାଇପାରେ। ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ହୋଇଥିବାରୁ ତାଙ୍କର ସାମ୍ବିଧାନିକ ସୁରକ୍ଷା କିମ୍ବା ପ୍ରତିରକ୍ଷା ନାହିଁ। ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀମାନଙ୍କର ଗୃହରେ ବିଶେଷ ଅଧିକାର ଅଛି, କିନ୍ତୁ ବାହାରେ ନୁହେଁ। ଯାହା ଏବେ ଦିଦିଙ୍କ ପାଇଁ ଏକ ନୂଆ ଅଡ଼ୁଆ ସୃଷ୍ଟି କରିପାରେ।