ମୁମ୍ବାଇ: ନିକଟରେ ଏକ କାର୍ଯ୍ୟକ୍ରମରେ ରୋହିତ ଶର୍ମାଙ୍କୁ ନେଇ ବିସିସିଆଇର ପୂର୍ବତନ ସେକ୍ରେଟାରୀ ଓ ବର୍ତମାନର ଆଇସିସି ଅଧ୍ୟକ୍ଷ ଜୟ ଶାହଙ୍କ ଏକ ବୟାନ ଏବେ ଭାଇରାଲ ହେବାରେ ଲାଗିଛି । ଏହି କାର୍ଯ୍ୟକ୍ରମରେ ସେ ରୋହିତଙ୍କୁ ଭାରତର ଅଧିନାୟକ ବୋଲି କହିଥିଲେ । ଅକ୍ଟୋବର ୨୦୨୫ରେ ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ରୋହିତଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଦଳର ଅଧିନାୟକ କରାଯାଇଥିଲା । ରୋହିତ ଏହା ପୂର୍ବରୁ ଟେଷ୍ଟ ଏବଂ ଟି୨୦ରୁ ଅବସର ଘୋଷଣା କରି ସାରିଛନ୍ତି ।
ନୀତୁ ଅମ୍ବାନୀଙ୍କ ଦ୍ୱାରା ଆୟୋଜିତ ୟୁନାଇଟେଡ ଇନ ଟ୍ରାଏଫ ଇଭେଂଟରେ ଜୟ ଶାହ କହିଥିଲେ, ଆମର ଅଧିନାୟକ ଏଠାରେ ଉପସ୍ଥିତ ଅଛନ୍ତି । ମୁଁ ତାଙ୍କୁ ଅଧିନାୟକ କହିବି କାହିଁକି ନା ସେ ଆମକୁ ୨ଟି ଆଇସିସି ଟ୍ରଫି ଜିତାଇଛନ୍ତି । ୨୦୨୩ ବିଶ୍ୱକପରେ ଆମେ କ୍ରମାଗତ ୧୦ ମ୍ୟାଚ ଜିତିଥିଲେ ମଧ୍ୟ ଚାମ୍ପିୟନ ହୋଇପାରି ନ ଥିଲୁ । ରୋହିତ ଏବଂ ଟିମ ଆମ ମନୋବଳ ଜିତିଥିଲେ । ଏହା ପରେ ସେ କହିଥିଲେ ଆମେ ୨୦୨୪ ବିଶ୍ୱକପ ଓ ମନ ୨ଟି ଯାକ ଜିତିବୁ । ଆଉ ଏହା ମଧ୍ୟ ହୋଇଥିଲା ।
ଶାହଙ୍କ ବୟାନ ପରେ ସମସ୍ତେ ଏକସ୍ୱରରେ ତାଳି ବଜାଇଥିଲେ । ରୋହିତଙ୍କ ପାଖରେ ତାଙ୍କ ପତ୍ନୀ, ବରୁଣ ଧାୱନ ଓ ଶାହାରୁଖ ଖାଁ ମଧ୍ୟ ବସିଥିଲେ । ସେମାନେ ମଧ୍ୟ ଶାହଙ୍କ ବୟାନକୁ ସମର୍ଥନ କରିଥିଲେ । ରୋହିତଙ୍କ ନେତୃତ୍ୱରେ ଭାରତ ୫୬ ମ୍ୟାଚରୁ ୪୨ରେ ବିଜୟୀ ହୋଇଛି । ତାଙ୍କ ନେତୃତ୍ୱରେ ଭାରତ ୨୦୧୮ ଓ ୨୦୨୩ ଏସିଆ କପ ଜିତିଥିଲା । ୨୦୨୩ ବିଶ୍ୱକପ ଫାଇନାଲରେ ଭାରତ ରନର୍ସଅପ ହୋଇଥିବା ବେଳେ ୨୦୨୪ ଟି୨୦ ବିଶ୍ୱକପ ଓ ୨୦୨୫ ଚାମ୍ପିୟନ୍ସ ଟ୍ରଫିରେ ଟାଇଟଲ ଜିତିଛି ।