ନୂଆଦିଲ୍ଲୀ: କର୍ଣ୍ଣାଟକ ଓ ସୌରାଷ୍ଟ୍ର ବିଜୟ ହଜାରେ ଟ୍ରଫି କ୍ରିକେଟ ଟୁର୍ଣ୍ଣାମେଂଟର ସେମିଫାଇନାଲରେ ପ୍ରବେଶ କରିଛନ୍ତି । ସୋମବାର ୨ଟି କ୍ୱାର୍ଟର ଫାଇନାଲ ମ୍ୟାଚ ମୁମ୍ବାଇ-କର୍ଣ୍ଣାଟକ ଓ ଉତରପ୍ରଦେଶ-ସୌରାଷ୍ଟ୍ର ମଧ୍ୟରେ ଖେଳା ଯାଇଥିଲା । ପ୍ରଥମ ମ୍ୟାଚରେ ମୁମ୍ବାଇ ଆଗ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ ହରାଇ ୨୫୪ ରନ କରିଥିଲା । ଶମ୍ସ ମୂଲାନୀ ୮୬ ରନ କରିଥିଲେ । କର୍ଣ୍ଣାଟକ ଟିମ ୩୩ ଓଭର ପର୍ଯ୍ୟନ୍ତ ଖେଳିଥିବା ବେଳେ ବର୍ଷା ହୋଇଥିଲା । ସେତେବେଳକୁ ଦଳ ୧ ୱିକେଟ ହରାଇ ୧୮୭ ରନ କରିଥିଲେ । ଦେବଦତ ପାଡିକଲ ୮୧ ଓ କରୁଣ ନାୟାର ୭୪ ରନ କରି ଅପରାଜିତ ଥିଲେ । ଆଉ ମ୍ୟାଚ ଖେଳାଯିବା ସମ୍ଭବପର ହୋଇ ନ ଥିଲା । କର୍ଣ୍ଣାଟକକୁ ବିଜୟୀ ଘୋଷିତ କରାଯାଇଥିଲା ।
ଦ୍ୱିତୀୟ ମୁକାବିଲାରେ ପ୍ରଥମେ ବ୍ୟାଟିଂ କରି ଉତରପ୍ରଦେଶ ୫୦ ଓଭରରେ ୮ ୱିକେଟ ହରାଇ ୩୧୦ ରନ କରିଥିଲା । ଅଭିଷେକ ଗୋସ୍ୱାମୀ ୮୮ ଓ ସମୀର ରିଜଭୀ ୮୮ ରନର ଗୁରୁତ୍ୱପୂର୍ଣ୍ଣ ଇନିଂସ ଖେଳିଥିଲେ । ସୌରାଷ୍ଟ୍ର ୪୦.୧ ଓଭରରେ ୩ ୱିକେଟ ହରାଇ ୨୩୮ ରନ କରିଥିବା ବେଳେ ବର୍ଷା ହୋଇଥିଲା । ହାର୍ଦ୍ଦିକ ଦେଶାଇ ୧୦୦ ରନ କରିଥିଲେ । ଆଉ ମ୍ୟାଚ ଖେଳାଯିବା ସମ୍ଭବପର ନ ହେବାରୁ ସୌରାଷ୍ଟ୍ରକୁ ୧୭ ରନରେ ବିଜୟୀ ଘୋଷିତ କରାଯାଇଥିଲା । ଜାନୁୟାରୀ ୧୩ରେ ଦିଲ୍ଲୀ-ବିଦର୍ଭ ଓ ପଞ୍ଜାବ-ମଧ୍ୟପ୍ରଦେଶ ମଧ୍ୟରେ ମୁକାବିଲା ହେବ ।