ଭୁବନେଶ୍ୱର:ଆସନ୍ତା ଜାନୁଆରୀ ୧୬ ରୁ ୨୧ ତାରିଖ ପର୍ୟ୍ୟନ୍ତ ଓଡ଼ିଶା ସରକାରଙ୍କ କ୍ରୀଡ଼ା ଓ ଯୁବସେବା ବିଭାଗ, ରଗବୀ ଇଣ୍ଡିଆ ଏବଂ ଓଡ଼ିଶା ଷ୍ଟେଟ୍ ରଗବୀ ଆସୋସିଏସନ ମିଳିତ ସହଯୋଗରେ ଭୁବନେଶ୍ୱରସ୍ଥିତ କଳିଙ୍ଗ ଷ୍ଟାଡିୟମଠାରେ ‘ଦଶମ ସବ୍-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫’ ଆୟୋଜିତ ହେବାକୁ ଯାଉଛି । ଆଜି କଳିଙ୍ଗ ଷ୍ଟାଡ଼ିୟମରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ କ୍ରୀଡ଼ା ଓ ଯୁବସେବା ବିଭାଗର କ୍ରୀଡ଼ା ନିର୍ଦ୍ଦେଶକ ଡା. ୟେଦୁଲା ବିଜୟ, ରଗବୀ ଇଣ୍ଡିଆ ସଭାପତି ରାହୁଲ ବୋଷ ଏବଂ ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନ ସଭାପତି ପ୍ରିୟଦର୍ଶୀ ମିଶ୍ର ସୂଚନା ଦେଇଥିଲେ ।
କ୍ରୀଡ଼ା ନିର୍ଦ୍ଦେଶକ ଡା. ବିଜୟ ସାମ୍ବାଦିକ ସମ୍ମିଳନୀରେ ଏହି କ୍ରୀଡ଼ା ମହାକୁମ୍ଭର ଆନୁଷ୍ଠାନିକ ଘୋଷଣା କରିବା ସହ କହିଥିଲେ ଯେ, ଜାନୁଆରୀ ୧୬ ରୁ ୨୧ ତାରିଖ ପର୍ୟ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ‘ଦଶମ ସବ୍-ଜୁନିୟର ଜାତୀୟ ରଗବୀ ସେଭେନ୍ସ ଚାମ୍ପିୟନସିପ୍-୨୦୨୫’ରେ ଦେଶର ୨୪ଟି ରାଜ୍ୟରୁ ୫୫୦ରୁ ଅଧିକ ୧୫ ବର୍ଷରୁ କମ୍ ବୟସ୍କ ଖେଳାଳି ଏବଂ ୧୩୦ରୁ ଅଧିକ ଅଫିସିଆଲ୍ସ ଓ ବୈଷୟିକ ଅଧିକାରୀ ସାମିଲ ହୋଇଛନ୍ତି । ଏହି ପ୍ରତିଯୋଗିତାରେ ଉଭୟ ବାଳକ ଓ ବାଳିକା ବର୍ଗରେ ସମୁଦାୟ ୬୮ଟି ଲେଖାଏଁ ମ୍ୟାଚ୍ ଅନୁଷ୍ଠିତ ହେବ । ଏଥିରେ ଓଡ଼ିଶା ସମେତ ବିହାର, ରାଜସ୍ଥାନ, ମହାରାଷ୍ଟ୍ର, କେରଳ, ପଞ୍ଜାବ, ଉତ୍ତର ପ୍ରଦେଶ, ଝାଡ଼ଖଣ୍ଡ, ଦିଲ୍ଲୀ, ଛତିଶଗଡ଼, ଗୁଜରାଟ, ମଣିପୁର, ଆସାମ ଏବଂ ହରିୟାଣା ଭଳି ୨୪ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଦଳଗୁଡ଼ିକ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।
ରଗବୀ ଇଣ୍ଡିଆର ସଭାପତିବୋଷ କହିଛନ୍ତି ଯେ, “ଭାରତୀୟ ରଗବୀର ବିକାଶ ଏବଂ ସଫଳତା ପଛରେ ଓଡ଼ିଶାର ଅବଦାନ ଅତୁଳନୀୟ । ଓଡ଼ିଶା ଆଜି ଦେଶର ରଗବୀ ଇକୋସିଷ୍ଟମକୁ ସମର୍ଥନ କରୁଥିବା ଏକ ପ୍ରମୁଖ ରାଜ୍ୟ ଭାବେ ଉଭା ହୋଇଛି । ତୃଣମୂଳ ସ୍ତରର ପ୍ରତିଭାମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଶ୍ରେଷ୍ଠ ଖେଳାଳି ଭାବେ ଗଢ଼ିତୋଳିବାରେ ଓଡ଼ିଶା ଏକ ମଡେଲ୍ ସାଜିଛି । ଓଡ଼ିଶା ରଗବୀ ଫୁଟବଲ ଆସୋସିଏସନର ସଭାପତି ପ୍ରିୟଦର୍ଶୀ ମିଶ୍ର ଓଡ଼ିଶାର ଖେଳାଳିମାନଙ୍କ ସଫଳତା ସମ୍ପର୍କରେ କହିଛନ୍ତି ଯେ, ଓଡ଼ିଶାର ରଗବୀ ଖେଳାଳିମାନେ ଜାତୀୟ ସ୍ତରରେ ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଅର୍ଜନ କରିଛନ୍ତି । କ୍ରୀଡ଼ା ଓ ଯୁବସେବା ବିଭାଗର ଅତିରିକ୍ତ ଶାସନ ସଚିବ ଅଶୋକ କୁମାର ପଣ୍ଡା ଏବଂ ଅତିରିକ୍ତ ଶାସନ ସଚିବ ବିଜୟ କୁମାର ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।