ଭୁବନେଶ୍ୱର: ଭୁବନେଶ୍ୱରରେ ଜଣେ ବ୍ୟକ୍ତି ନକଲି ଡାକ୍ତର ପ୍ରମାଣ ପତ୍ର ଦେଖାଇ ବିବାହର ମିଥ୍ୟା ପ୍ରତିଶୁତି ଦେଇ ଜଣେ ମହିଳା ଓ ତାଙ୍କ ପରିବାର ଠାରୁ ୨୨.୭୦ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ ହୋଇଥିଲା। ବର୍ତ୍ତମାନ ପାହାଳ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିବା ସୂଚନା ମିଳିଛି।
ତେବେ ଅଭିଯୁକ୍ତ ରଞ୍ଜିବ କୁମାର ପ୍ରଧାନ ୨୦୨୧ ମସିହାରେ ଏକ ମାଟ୍ରିମୋନି ୱେବସାଇଟରେ ମିଥ୍ୟା ପ୍ରୋଫାଇଲ୍ ତିଆରି କରି ନିଜକୁ ଡାକ୍ତର ପ୍ରକାଶ ପ୍ରଧାନ ଭାବରେ ପରିଚୟ ଦେଇଥିଲେ। ଏଥିସହିତ ତାଙ୍କ ସାନ ଭାଇ ତୁଷାର ପ୍ରଧାନ ରାୟଗଡ଼ାର ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଡେପୁଟି ମ୍ୟାନେଜର ପଦବୀରେ ଥିବା ନେଇ ମଧ୍ୟ ସେ ଲେଖିଥିଲେ।ମିଥ୍ୟା ପରିଚୟ ଦ୍ଵାରା ସେ ପୀଡ଼ିତାଙ୍କ ସହ ସମ୍ପର୍କ ସ୍ଥାପନ କରି ବିବାହର ପ୍ରତିଶୁତି ଦେଇଥିଲେ। ପରେ କୋଭିଡ୍-୧୯ ବରିଷ୍ଠ ନାଗରିକ ନୀତି, ବିଭାଗୀୟ ତାଲିମ କାର୍ଯ୍ୟକ୍ରମ ଏବଂ ପେଟ୍ରୋଲ ପମ୍ପ ଡିଲରସିପ୍ ନିଲାମ ଭଳି ବିଭିନ୍ନ ଯୋଜନାରେ ଟଙ୍କା ନିବେଶ କରିବା ପାଇଁ ମହିଳାଙ୍କ ବାପାଙ୍କୁ ରାଜି କରାଇଥିଲେ। ତେବେ ୨୦୨୧ ଜୁନ୍ ରୁ ଡିସେମ୍ବର ମଧ୍ୟରେ ମହିଳାଙ୍କ ପରିବାର ମୋଟ ୨୨.୭୦ ଲକ୍ଷ ଟଙ୍କା ସ୍ଥାନାନ୍ତର କରିଥିଲା। ଏହି ରାଶି ପାଇସାରିବା ପରେ ସେ ମହିଳାଙ୍କ ପରିବାର ତରଫରୁ ଆସୁଥିବା ସମସ୍ତ କଲ୍ ଏବଂ ମେସେଜ ଗୁଡ଼ିକୁ ଅଣଦେଖା କରିଥିଲେ ଓ ପୀଡ଼ିତାଙ୍କ ପରିବାରକୁ ଏ ନେଇ ସନ୍ଦେହ ହେବା ପରେ ସେମାନେ ପାହାଳ ଥାନାରେ ଏକ ମାମଲା ରୁଜୁ କରିଥିଲେ।
ପରେ ପୋଲିସ ମାମଲାର ତଦନ୍ତ କରି ଠକେଇର ପର୍ଦ୍ଦାଫାସ କରିଥିଲେ। ତଦନ୍ତ ସମୟରେ ଜଣାପଡିଥିଲା ଯେ SBI ରାୟଗଡା ଶାଖା ଏବଂ ମନମୁଣ୍ଡାର କମ୍ୟୁନିଟି ହେଲ୍ଥ ସେଣ୍ଟର (CHC) ରେ ତୁଷାର ପ୍ରଧାନ କିମ୍ବା ଡାକ୍ତର ପ୍ରକାଶ ପ୍ରଧାନ ନାମକ କୌଣସି ବ୍ୟକ୍ତି ସେଠାରେ ନିଯୁକ୍ତି ପାଇନାହାଁନ୍ତି। ଯୋଗାଯୋଗରେ ବ୍ୟବହୃତ ହେଉଥିବା ଦୁଇଟି ପୃଥକ ନମ୍ବର ଗୋଟିଏ ହ୍ୟାଣ୍ଡସେଟରୁ ପରିଚାଳିତ ହୋଇଥିବା କଲ୍ ଡିଟେଲ୍ ରେକର୍ଡ (CDR) ଯାଞ୍ଚରୁ ଜଣାପଡିଥିଲା।
ଶେଷରେ ତଦନ୍ତ କରି ପୋଲିସ ଅଭିଯୁକ୍ତ ରଞ୍ଜିବ କୁମାର ପ୍ରଧାନଙ୍କ ପାଖରେ ପହଞ୍ଚିଥିଲା। ସେ ଠକେଇ ରାଶି ପାଇବା ପାଇଁ ତାଙ୍କ ପିତାଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରିଥିବା ନେଇ ଜଣାପଡ଼ିଛି। ପଚରାଉଚରା ସମୟରେ ସେ ଅପରାଧ ସ୍ୱୀକାର କରିଥିଲେ ଓ ବ୍ୟାଙ୍କ ଯାଞ୍ଚ ସମେତ ସଂଗୃହିତ ପ୍ରମାଣ ଆଧାରରେ ପୋଲିସ ଅଭିଯୁକ୍ତଉଙ୍କୁ ଗିରଫ କରିଥିବା ଜଣାପଡିଛି।